ପାଣି ଖସୁଛି ହେଲେ ବଢୁଛି ଦୁର୍ଦ୍ଦଶା। ଏବେ ବି ପାଣି ଘେରରେ ପ୍ରଭାବିତ ଜିଲ୍ଲାର ଅନେକ ଗାଁ।

45

କନକ ବ୍ୟୁରୋ: ଯୁଆଡ଼େ ଚାହିଁବେ ଖାଲି ପାଣି ହିଁ ପାଣି  । ଏପରି ସ୍ଥିତି ପାଣି ଭିତରେ ଚାଲି ଚାଲି ବହୂ ଦୂର ବାହାରିଥିଲେ ଦୁଇ ଜଣ ବ୍ୟକ୍ତି  । ଘର ସେମାନଙ୍କର ଜଗତସିଂହପୁରର ବାଣେଶ୍ୱର ଗାଁ  । ଘରେ ପରିବାର ଲୋକଙ୍କ ଦେହ ଖରାପ  ।  ଫଳରେ ଜୀବନକୁ ବାଜି ଲଗାଇ ଔଷଧ ଆଣିବାକୁ ବନ୍ୟାଜଳ ଭର୍ତ୍ତି ବିପଦ ସଙ୍କୁଳ ରାସ୍ତାରେ ବାହାରିଥିଲେ ଦୁଇ ସାହସୀ  । ଏପରି ରାସ୍ତାରେ ୩ କିଲୋମିଟର ଚାଲି ଚାଲି ପହଞ୍ଚିଥିଲେ ରାହାମାରେ । ବନ୍ୟାର ବିପଦ ଭିତରେ ବଞ୍ଚିବା ପାଇଁ ସଙ୍ଘର୍ଷ  । ସେପଟେ ତିର୍ତୋଲର ଧନୁଆ ଗ୍ରାମ ପଞ୍ଚାୟତରେ କଚ୍ଚା ଘରୁ ମା’, ଝିଅ ଓ ଅନ୍ୟ ଜଣେ ପିଲାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗ  ।

ଏପଟେ ଥମୁନି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା । ଖୋର୍ଦ୍ଧାରେ ଲୋକେ ଜଳବନ୍ଦୀ ହୋଇ ରହିଥିବାବେଳେ ବିଭିନ୍ନ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ଖୋର୍ଦ୍ଧାର ଓରବରସିଂର ହିରିମୂଳରେ ଅବସ୍ଥା ଅତି ଶୋଚନୀୟ  । ଗାଁର ଲୋକମାନେ ଉଚ୍ଚ ଘର ବାରଣ୍ଡା ଓ ଛାତ ଉପରେ ଆଶ୍ରୟ ନେଇଛନ୍ତି  । ଗାଁ ଭିତରେ ବୋଟ୍ ଚାଲୁଥିବାର ଦୃଶ୍ୟ ସଙ୍ଗୀନ ସ୍ଥିତର କଥା କହୁଛି ।

ପୁରୀ  ଗୋପ ବ୍ଲକ ଖଣ୍ଡିଆକୁଦ ଠାରେ ୩୦ଫୁଟର ଘାଇ  ହୋଇଛି ।  ତେବେ ଏହି ଘାଇ ଯୋଗୁ  ଗଣେଶ୍ୱର, ବେଦପୁର, ଡଭାର ପଞ୍ଚାୟତର ଶତାଧିକ ଗାଁ ପ୍ରଭାବିତ ହୋଇଛି । ଘରଦ୍ୱାର ଜଳମଗ୍ନ ହେବା ସହିତ ହେକ୍ଟର ହେକ୍ଟର ଚାଷଜମି ଏବେ ନଷ୍ଟ ହୋଇଯାଇଛି । କିଛି ଲୋକ ରାସ୍ତାକଡ଼ରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି ।

ସେହିପରି ପୁରୀ ଜିଲ୍ଲା ନିମାପଡ଼ା ବଡ଼ସିରୁଲା ପଞ୍ଚାୟତର ଗଡ଼ତରିହ ଓ ବକୁଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି  । ଯାତାୟତର ଏକମାତ୍ର ମାଧ୍ୟମ ସାଜିଛି ଡଙ୍ଗା  । ଗାଁର ଅନେକ ଚାଳ ଛପର ଘର ଭାଙ୍ଗିଯାଇଛି  । ପିପିଲିର ବିଭିନ୍ନ ଅଞ୍ଚଳ ମଧ୍ୟ ଏବେ ପାଣି ଘେରରେ । ବନ୍ୟାର ଏହି ବିଭୀଷିକା ରୂପକୁ କଏଦ କରିଛି ଡ଼୍ରୋନ । ଗାଁ ଗହଳି , ରାସ୍ତାଘାଟ ,ବିଲବାଡ଼ି ଆଦି ପାଣିରେ ବୁଡ଼ି ରହିଛି । ଲୋକଙ୍କ ଘରେ ପାଣି ପଶିବା ସହ ତିନି ଚାରି ଦିନ ହେବ ପାଣିରେ ଫଶି ରହିଛନ୍ତି ଲୋକେ । ଜଳସ୍ତର କିଛିଟା ସ୍ଥାନରେ କମୁଥିଲେ ମଧ୍ୟ ଏବେ ବି ଲୋକଙ୍କ ଦୁର୍ଦ୍ଦଶା କମିନାହିଁ ।