ମା’ ଆସିଲେ : ଭକ୍ତ ବ୍ୟାକୁଳ, ବାଟ ଓଗାଳିଛି କରୋନା; ସବୁ ନିରବ, ନିଶ୍ଚଳ ଓ ଶୂନଶାନ୍…

Advertisment
ପରଦା ପଛରେ ମା’ଙ୍କ ପୂଜା : ଆଜି ମଣ୍ଡପରେ ଜଗତଜନନୀଙ୍କ ଷଷ୍ଠୀ ପୂଜା, ପରଦା ଆଢ଼ୁଆଳରେ ହେବ ଜଗତଜନନୀଙ୍କ ପୂଜା; କୋଭିଡ୍ ଯୋଗୁଁ ଶ୍ରଦ୍ଧାଳୁ କରିପାରିବେ ନାହିଁ ଦର୍ଶନ

କନକ ବ୍ୟୁରୋ : ଉତ୍ସବ ନେଇ ଅଶିଣ ଆସିଛି । କାଶତଣ୍ଡୀରେ ପରିବେଶ ନୂଆନୂଆ ଲାଗୁଛି । ମା’ବି ଧରାବତରଣ କରିସାରିଛନ୍ତି । ହେଲେ ଝଲସୁନି ରଙ୍ଗିନ ଆଲୁଅମାଳା । ସୁଦୃଶ୍ୟ ତୋରଣକୁ ନେଇ ଜମୁନି ପ୍ରତିଯୋଗିତା । ଗହଳିରେ ଫାଟି ପଡ଼ୁନି ମୀନା ବଜାର । ଦୋଳିର କେଁ କଟର ସାଙ୍ଗକୁ ଶୁଭୁନି ପିଲାଙ୍କ କୋଳାହଳ । ପୂଜା ହେଉଛି, ମା’ ବିରାଜିଛନ୍ତି । ହେଲେ ସବୁ ନିରବ, ନିଶ୍ଚଳ ଓ ଶୂନଶାନ୍… ପୂଜା ପାଖେଇଲେ ଯୋଜନାର ଲମ୍ବା ତାଲିକା ପ୍ରସ୍ତୁତ‌ ହୋଇଯାଏ । ‌ଯିଏ ଯେଉଁଠି ଥାଏ, ସାଙ୍ଗ ସାଥୀଙ୍କ ସହ ବୁଲିବାର ଖସଡ଼ା ତିଆରି କରି ଜନ୍ମମାଟିକୁ ଫେରିଆସେ। କେଉଁଦିନ କେଉଁ ମେଢ଼ ‌ବୁଲି ଦେଖିବେ ସେନେଇ ଯୋଜନା ତିଆରି ହୁଏ। ହେଲେ କରୋନା ଏଥର ବାଟ ଓଗାଳିଛି ।

ରାଜଧାନୀର ରାସ୍ତାକଡ଼ ସବୁଦିନିଆ ହାଉଜାଉ ବଜାର । ବ୍ରାଣ୍ଡେଡ୍‌ ଜିନିଷଠୁ ନେଇ ଖାଉ ଗଳି ଯାଏ ସବୁକିଛି ଏଠାରେ ଉପଲବ୍ଧ । ତଥାପି ପୂଜା ମଣ୍ଡପ ନିକଟ ମୀନାବଜାରର ଚାଲୁ ଜିନିଷ ମାୟା ଲଗାଉଥିଲା । ପାଶ୍ଚାତ୍ୟ ଖାଦ୍ୟର ମୋହରୁ ବାହାରି ଅନେକ ଦେଶୀ ଖାଦ୍ୟର ମଜା ନେବାକୁ ମେଳାକୁ ହିଁ ବାଛୁଥିଲେ। ବେଲୁନ୍‌ ବାଲାଏ ଆସି ବିଭିନ୍ନ ପୂଜା ମଣ୍ଡପରେ ପସରା ମେଲାଇ ମୋଟା ଅଙ୍କର ରୋଜଗାର ପାଇ ପ୍ରସ୍ତୁତି କରୁଥିଲେ । ଚାଟ୍‌ଠୁ ନେଇ ହରେକ୍‌ ମାଲ୍‌ ଯାଏ ସବୁକିଛି ଷ୍ଟଲ୍‌ରେ ପରିପୂର୍ଣ୍ଣ ହୋଇଯାଉଥିଲା। କାହା ପାଇଁ ଏହା ରୋଜଗାର ଆଣି ଦେଉଥିଲା ତ, ପୁଣି କାହା ପାଇଁ ମନୋରଂଜନର ପସରା ମେଲିଦେଉଥିଲା। ହେଲେ ଏଥର ସବୁ ଫିକା ।

ଯଦିଓ ପୂଜା ମଣ୍ଡପରେ ବିଜେ କରିବେ, କିନ୍ତୁ ମା’ଙ୍କୁ ଦର୍ଶନରସୁଯୋଗ ମିଳିବ ନାହିଁ। ବ୍ୟାକୁଳ ନେତ୍ରରେ ମା’ଙ୍କ ପରଶ ପାଇବାକୁ ଚାହିଁ ବସିଥିବା ଭକ୍ତମାନେ ନିରାଶ ହେବେ । ଖୁସିର ପରଶ ବାଣ୍ଟିବା ସହ ଶାରଦୀୟ ପୂଜା ଭାଇଚାରା ପାଇଁ ସୁଯୋଗ ଆଣିଦେଉଥିଲା। ପୁଅ ଝିଅଙ୍କ ଘର ବାହୁଡ଼ାକୁ ବାପା ମା’ ଅପଲକ ନୟନରେ ଚାହିଁ ବସୁଥିଲେ। ସହରୀ ସଭ୍ୟତାରେ ପେଷି ହୋଇଯାଇଥିବା ବ୍ୟସ୍ତବହୁଳ ସାହି ବାସିନ୍ଦାଙ୍କ ମଧ୍ୟରେ ଭେଟ୍‌ଘାଟ୍‌ର ସୁଯୋଗ ଉପନୀତ ହେଉଥିଲା। ନୂଆ ପୋଷାକ କିଣାକିଣି ପାଇଁ ବଜାର ହାଟରେ ଭିଡ଼ ଜମୁଥିଲା। ‌

ମାତ୍ର ବର୍ଷକରେ ଥରେ ମିଳୁଥିବା ଏହି ମଉକା ବି ହାତରୁ ଖସିଗଲା। ଯିଏ ଯେଉଁଠି ଥିଲା, କରୋନା କଟକଣା ଆଗରେ ମୁଣ୍ଡ ପାତି ସବୁ ଯୋଜନାକୁ ବାତିଲ୍‌ କରିଦେଇଛି। ପୂଜାରେ ଅନେକ ଥର ବାତ୍ୟା ହୋଇଛି। ଝଡ଼ି ବର୍ଷା ‌ହୋଇଛି। ହେଲେ ବର୍ଷା ଓ ଝଡ଼ ଥମିବା ମାତ୍ରେ ବୁଲାବୁଲି ଆରମ୍ଭ ହୋଇଯାଉଥିଲା। କରୋନା କିନ୍ତୁ ଏଥର ନ ବୁଲିବା ପାଇଁ ଆଗୁଆ ସତର୍କ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe