କନକ ବ୍ୟୁରୋ: ସତ କହିଲେ ମଲ । ୭ ଦିନ ବ୍ୟବଧାନରେ ସୌମ୍ୟଙ୍କ ଦୁଇଟି ଆଲେଖ୍ୟ ସରକାରଙ୍କୁ ପ୍ରତିଶୋଧପରାୟଣ କରାଇ ଦେଇଛି । ହାତରେ ନମାରି ଭାତରେ ମାରିବାକୁ ସବୁପ୍ରକାର ଚେଷ୍ଟା କରୁଛନ୍ତି ସରକାର । ଗଣମାଧ୍ୟମକୁ ବ୍ୟବହାର କରି ସୌମ୍ୟଙ୍କୁ ବଦନାମ କରିବାକୁ ସବୁ ପ୍ରକାରର ଚେଷ୍ଟା ଚଳାଇଛନ୍ତି ସରକାର ।

Advertisment

ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦୁଇଟି ସଂପାଦକୀୟ, ସାରା ରାଜ୍ୟରେ ବିତର୍କ ସୃଷ୍ଟି କରିବା ପରେ ଛାନିଆ ହୋଇ ଯାଇଛନ୍ତି ସରକାର । ସରକାର ଅର୍ଥାତ୍ ଫାଇଭ୍-ଟି ସଚିବ ପାଣ୍ଡିଆନ ଚଳାଇଥିବା ଛାୟା ସରକାର । ଗାଣତନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ନେଇ ସଂପାଦକୀୟ ଲେଖିଥିଲେ ସୌମ୍ୟରଂଜନ । ଓଡ଼ିଶାରେ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ ଅଗଷ୍ଟ ୧୮ ତାରିଖରେ ‘ଜନ୍ମଦିନର ଅନୁଚିନ୍ତା’ ଓ ଏହାର ୭ ଦିନ ପରେ ‘ଆତ୍ମ ବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଶୀର୍ଷକ ଆଲେଖ୍ୟରେ ସେ ଏକ ମୌଳିକ ପ୍ରଶ୍ନ ଉଠାଇଥିଲେ । ତାହା ଥିଲା ସଚିବ ବଡ଼ ନା ମନ୍ତ୍ରୀ ବଡ଼ । ଏହି ପ୍ରଶ୍ନ ପ୍ରତ୍ୟେକ ସ୍ୱାଭିମାନୀ ଓଡ଼ିଆଙ୍କୁ ବିଚଳିତ କରିଥିଲା । କାରଣ କିଛି ଦିନ ଧରି ରାଜ୍ୟରେ ଯାହା ଘଟୁଥିଲା, ତାହା ଥିଲା ଭାରତୀୟ ରାଜନୀତି ଓ ଶାସନ ବ୍ୟବସ୍ଥାରେ ବିରଳ । ଜଣେ ସଚିବ ପାହ୍ୟାର ଅଧିକାରୀ, ସବୁ ସାମ୍ବିଧାନିକ ବ୍ୟବସ୍ଥାକୁ ଦଳିମକଚି ଛାୟା ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ଚିତ୍ରଣ କରି ଜିଲ୍ଲା ପରେ ଜିଲ୍ଲା ଗସ୍ତ କରୁଥିଲେ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ହେଲିକଫ୍ଟର ଉଡାଇ ସଭାସ୍ଥଳରେ ପହଁଚୁଥିଲେ । ଫାଟାଫଟ ଲୋକଙ୍କ ସମସ୍ୟା ସମାଧାନ କରୁଥିବା ଭଳି ମଂଚ ଉପରେ ଅଭିନୟ କରୁଥିଲେ ।

ସରକାରୀ ଅଧିକାରୀ ନୁହେଁ ନେତାଙ୍କ ଭଳି ରହିଆସିଛି ତାଙ୍କର ଠାଣି ଓ ଚାହାଣୀ । ମଂଚ ଉପରେ ମେଂଚା ମେଂଚା ପ୍ରତିଶ୍ରୁତି ଦେଉଥିବାର ଚିତ୍ର ଅନେକ ପ୍ରଶ୍ନ ସୃଷ୍ଟି କରୁଥିଲା । ଏ ବାବୁ ଜଣକ କିଏ? କାହିଁକି ତାଙ୍କର ଏତେ ଦମ୍ଭ? କେଉଁ କ୍ଷମତା ବଳରେ ସେ ନିଜକୁ ଏତେ ଶକ୍ତିଶାଳୀ ଭାବୁଛନ୍ତି? ଆଉ ଏହି ବାବୁଙ୍କ ପ୍ରକୃତ ଉଦ୍ଦେଶ୍ୟ କଣ? ସବୁ କ୍ଷମତାକୁ ଜାବୁଡି ରଖି ପ୍ରଶାସନିକ ଦାଦାଗିରି କରୁଛନ୍ତି କାହିଁକି? ଯଦିଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏପରି କରୁଥିବା ନେଇ ଏକ ଅଡିଓ ଶୁଣାଇଥିଲେ ଫାଇଭ୍-ଟି ସଚିବ । ତେବେ ମୁଖ୍ୟମନ୍ତ୍ରୀ କେବେ, କେଉଁ ସଭାରେ ଏପରି କହିନାହାନ୍ତି । କି’ ସବୁ କ୍ଷମତା ପାଣ୍ଡିଆନ୍ ବାବୁଙ୍କୁ ଦେଇ ଦେଇଥିବା ନେଇ କେବେ ଘୋଷଣା କରିନାହାନ୍ତି । ଗୋଟିଏ ପଟେ ସଚିବ, ଶାସକ ଦଳର ନେତାଙ୍କୁ କଣଠେସା କରି ଦେଇଥିବା ବେଳେ, ଅନ୍ୟପଟେ ବିଜେଡି ନେତା, ମନ୍ତ୍ରୀ, ବିଧାୟକ, ତାଙ୍କ ସଭା କିପରି ହେବ, ମଂଚ କିପରି ବନ୍ଧା ହେବ, ସଭା ସ୍ଥଳକୁ ଲୋକ କିପରି ଆସିବେ, ଏ ନେଇ ବ୍ୟସ୍ତ ରହୁଥିଲେ । ସମସ୍ତଙ୍କ ମନରେ ଏ ନେଇ କ୍ଷୋଭ ରହୁଥିଲେ ବି ସମସ୍ତେ ଚୁପ୍ ରହୁଥିଲେ । କେଉଁ ଅଦୃଶ୍ୟ ଶକ୍ତିର ଚାପରେ ମୁହଁ ଖୋଲିବାକୁ କେହି ସାହସ ଜୁଟାଇ ପାରୁନଥିଲେ । ସମ୍ଭବତଃ କାର୍ଯ୍ୟାନୁଷ୍ଠାନ ଭୟ ଓ ମିଛ କେସରେ ଫସାଇ ବରବାଦ କରିଦେବା ଭୟ, ବଡ଼ ବଡ଼ ନେତାଙ୍କୁ ବି ଘାରିଥିଲା ।

ହେଲେ ଏଭଳି ଏକ ସମୟରେ ଫଳାଫଳକୁ ଭୃକ୍ଷେପ ନକରି ମୁହଁ ଖୋଲିଥିଲେ ସୌମ୍ୟରଂଜନ ପଟ୍ଟନାୟକ । ବ୍ୟବସ୍ଥାକୁ ପ୍ରଶ୍ନ କରି ବାସ୍ତବ ଚିତ୍ର ସମସ୍ତଙ୍କ ଆଗରେ ରଖିଥିଲେ । ଯାହା ଅନୁମାନ କରାଯାଉଥିଲା, ତାହା ଏବେ ଗୋଟିଏ ପରେ ଗୋଟିଏ ଘଟିବାରେ ଲାଗିଛି । ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ସତ କହିବା ପରେ, ଓଡ଼ିଶାବାସୀଙ୍କ ଆଗରେ ବାସ୍ତବ ଚିତ୍ର ଦେଖାଇବା ପରେ ଚିହିଁକି ଉଠିଛନ୍ତି ସରକାର । ଆରମ୍ଭ ହୋଇଯାଇଛି ପ୍ରତିଶୋଧର ପର୍ବ । ସିଧାସଳଖ ସୌମ୍ୟରଂଜନଙ୍କ ପ୍ରଶ୍ନର ଉତର ନଦେଇ ସୌମ୍ୟଙ୍କ ଉପରେ ଦାଉ ସାଧୁଛନ୍ତି ସରକାର । ହାତରେ ନମାରି ଭାତରେ ମାରିବା ପାଇଁ ପୂରା ବ୍ଲୁ-ପ୍ରଂଟ ପ୍ରସ୍ତୁତ କରାଯାଇଛି । ରାଜ୍ୟର ଏକ ନମ୍ବର ଖବରକାଗଜ ସମ୍ବାଦକୁ ବିଜ୍ଞାପନ ବନ୍ଦ କରି ଦେଇଛନ୍ତି ସରକାର । ସମ୍ବାଦ ସହ କନକ ନ୍ୟୁଜ୍ ଓ ରେଡିଓ ଚକଲେଟକୁ ମଧ୍ୟ ବିଜ୍ଞାପନ ଦିଆ ଯାଉନାହିଁ । ଘରୋଇ କଂପାନୀକୁ ବିଜ୍ଞାପନ ନଦେବା ପାଇଁ ଧମକ ଦିଆଯାଇଛି । ଗୋଟିଏ ଉଦ୍ଦେଶ୍ୟ, ରାଜ୍ୟର ସବୁଠୁ ବଡ଼ ମିଡିଆ ହାଉସର କଣ୍ଠରୋଧ କରି ସତ ଠାରୁ ରାଜ୍ୟବାସୀଙ୍କୁ ଦୂରେଇ ରଖିବା । ବିଜେଡିର ଉପସଭାପତି ପଦରୁ ସୌମ୍ୟରଂଜନଙ୍କ ହଟାଇ ଦିଆଯାଇ ସଚିବ କେବଳ ବଡ଼ ନୁହଁନ୍ତି, ସର୍ବଶକ୍ତିମାନ ବୋଲି ପ୍ରମାଣ କରାଯାଇଛି । କେବଳ ଏତିକିରେ ଅଟକି ଯାଇନାହାନ୍ତି, ସୌମ୍ୟରଂଜନଙ୍କ ସଂପର୍କୀୟଙ୍କ ଉପରେ ମଧ୍ୟ ଦାଉ ସାଧିବା ଆରମ୍ଭ ହୋଇଯାଇଛି । ଯେଉଁ ଗଣମାଧ୍ୟମ, ତୃତୀୟ ମହଲାର ପୃଷ୍ଠପୋଷକତାରେ ଚାଲିଛି, ଗଣମାଧ୍ୟମ ତ ନୁହେଁ ସରକାରଙ୍କ ମୁଖପତ୍ର ଭଳି କାମ କରୁଥିବା ସଂସ୍ଥା ଏବେ ପାଲଟିଛି ହାତବାରିସୀ । ଓଡ଼ିଆଙ୍କ ବୃହତର ସ୍ୱାର୍ଥ ପାଇଁ ଆଉ ସରକାର ବ୍ୟସ୍ତ ନୁହଁନ୍ତି, ଏବେ କେବଳ ଲକ୍ଷ୍ୟ ଫାଇଭ୍-ଟି ସଚିବଙ୍କ ଭାବମୂର୍ତି ତିଆରି କରିବା । ତାଙ୍କ ସଂପର୍କରେ ହେଉଥିବା ଆଲୋଚନାକୁ ବନ୍ଦ କରିବା ।

ରାଜ୍ୟବାସୀଙ୍କ ମନରେ ଉଠୁଥିବା ପ୍ରଶ୍ନକୁ ଆଡ଼େଇ ଦେବା । ଓଡ଼ିଶାକୁ ଏକ ଅରାଜକତା ବାତାବରଣ ଭିତରକୁ ଠେଲିଦେବା । ଏଭଳି ଅସାମ୍ବିଧାନିକ କାର୍ଯ୍ୟର ସବୁଠୁ ବଡ଼ ଅନ୍ତରାୟ ସୃଷ୍ଟି କରୁଥିବା ସମ୍ବାଦ ଗ୍ରୁପର ମୁହଁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ରର ଫର୍ଦ୍ଦ ପ୍ରସ୍ତୁତ କରାଯାଇଛି । ସମ୍ବାଦ ବିରୋଧରେ କୁତ୍ସା ରଚନା ପାଇଁ ବଡ଼ ଧରଣର ଚାଲ୍ ଖେଳାଯାଇଛି । କଳ, ବଳ ଓ କୌଶଳ ସବୁ କିଛି ବ୍ୟବହାର କରାଯାଉଛି । ଜଣେ ଦି’ଜଣ ଲୋକଙ୍କୁ ହାତ କରି, ମିଛ ମାମଲାରେ ବଦନାମ କରିବା ପାଇଁ ଉଦ୍ୟମ ହେଉଛି । ସକାଳ ଖବରକାଗଜ ଓ ନନ୍ଦିଘୋଷ ଟିଭି ଭଳି ତଥାକଥିତ ଗଣମାଧ୍ୟମକୁ ବ୍ୟବହାର କରି, ମିଛ ଖବର ପ୍ରସାରଣ କରି, ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି । ଯାହା ଜଣାପଡୁଛି, ଓଡ଼ିଆ ଲୋକ ସତ ଜାଣିଯିବା ପରେ ସୌମ୍ୟରଂଜନଙ୍କ ବିରୋଧରେ ଲାଗି ଯାଇଛି ପୂରା ସରକାରୀ କଳ । ଅର୍ଥାତ ଗୋଟିଏ ପଟେ ଓଡ଼ିଆଙ୍କ ସ୍ୱାଭିମାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଛିଡ଼ା ହୋଇଛନ୍ତି ସୌମ୍ୟ, ଅନ୍ୟପଟେ ରାଜ୍ୟ ସରକାର ଓ ତାଙ୍କର ଅସୀମ କ୍ଷମତା । ଅବଶ୍ୟ ସବୁଠୁ ବଡ଼ ଆଶ୍ୱାସନା ହେଉଛି ଓଡ଼ିଶାର ଜନସାଧାରଣ ସୌମ୍ୟରଂଜନଙ୍କ ସପକ୍ଷରେ ରହିଛନ୍ତି । ସୋସିଆଲ୍ ମିଡିଆରେ ଆସୁଥିବା ପ୍ରତିକ୍ରିୟା ଏହାର ପ୍ରମାଣ । କିନ୍ତୁ ଏହାକୁ ପରୱା କରୁନାହାନ୍ତି ସଚିବ, କାରଣ ସେ ଯେଉଁ କ୍ଷମତା ଉପଭୋଗ କରୁଛନ୍ତି, ତାହା ତାଙ୍କୁ ଲୋକେ ଦେଇନାହାନ୍ତି । ନବୀନଙ୍କ ସପକ୍ଷରେ ଥିବା ଜନମତର କେବଳ ଅପବ୍ୟବହାର କରୁଛନ୍ତି ସେ । ମୁଖ୍ୟମନ୍ତ୍ରୀ ଏ ନେଇ ଅବଗତ ଅଛନ୍ତି କି ତାଙ୍କୁ ଅନ୍ଧାରରେ ରଖାଯାଇଛି, ଏକଥା କାହାକୁ ଜଣାନାହିଁ । ଉଭୟ ଦଳ ଓ ସରକାରୀ କଳର ଏବେ ହର୍ତାକର୍ତା ପାଲଟିଛନ୍ତି ପାଣ୍ଡିଆନ୍ ।