କନକ ବ୍ୟୁରୋ: ବନ୍ୟା ପାଣି ଘେରରେ ଥିବା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତର ଦରଡା ଗାଁର ମହିଳାଙ୍କ ଆଖିର ଲୁହ କହୁଥିଲା ତାଙ୍କ ଭିତରେ କେତେ ଦୁଃଖ ରହିଛି । ଘର ଖଣ୍ଡିଏ ପାଇଁ ଦଉଡି ଦଉଡି ନୟାନ୍ତ ହେବା ପରେ ଏବେ ଦାଉ ସାଜିଛି ବନ୍ୟା । ଯେଉଁ ଝାଡିମାଟି, ଚାଳ ଛପର ଘରେ ରହୁଥିଲେ ସେହି ଘର କେଉଁ ମୁର୍ହୁତରେ ପାଣିରେ ଭାଙ୍ଗି ପଡିବ ତାହା କହିବା ମୁସ୍କିଲ । ଗାଁରେ ଥିବା କେତେଟା ହାତଗଣତି କୋଠା ଘରକୁ ଛାଡି ଦେଲେ ଅନେକ ଚାଳ ଛପର ଘରେ ରହୁଛନ୍ତି । ଆଉ ସବୁ ଘରେ ଏବେ ପାଣି ପଶିଯିବାରୁ ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି ।

Advertisment

ଖୋର୍ଦ୍ଧାର ଓରବରସିଂ ପଞ୍ଚାୟତ ହିରିମୂଳ ଗାଁରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ବନ୍ୟା ପାଣି ଭିତରେ ବୁଡିଯାଇଛି ଏକାଧିକ ଚାଳଛପର ଘର । ଆଉ ସେହି ପାଣି ଭିିତରେ ଛୁଆ ପିଲାଙ୍କୁ ଧରି ଭାଗ୍ୟକୁ ଆଦରି ପଡି ରହିଛନ୍ତି ଲୋକେ । ବନ୍ୟା ପ୍ରଭାବିତଙ୍କ କରୁଣ କାହାଣୀ ଶୁଣିବା ପରେ ରିଲିଫ ବାଣ୍ଟିବାକୁ ଯାଇଥିବା ସ୍ଥାନୀୟ ବିଡିଓଙ୍କୁ ଘର ଯୋଗାଇ ଦେବାକୁ ଅନୁରୋଧ କରାଯାଇଥିଲା । ବିଡିଓ ବି ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇ ଦେବାକୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ପ୍ରକୃତରେ ବାସ୍ତବ ସ୍ଥିତି କଣ ତାକୁ ପଦାରେ ପକାଇ ଦେଇଛି ବିଭିନ୍ନ ନଦୀରେ ଆସିଥିବା ବନ୍ୟା । କେବଳ ଏତିକି ନୁହେଁ ଘର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କଳି ନକରି, ଯୋଗ୍ୟ ଲୋକ କେମିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବେ ସେଥିପାଇଁ ବ୍ୟବସ୍ଥା କରିବା ଜରୁରୀ ହୋଇପଡିଛି ।