ମନ୍ଦିର ଖୋଲିବା ଉଚିତ କି ନୁହେଁ, ଯଦି ଖୋଲିବ କ’ଣ କଟକଣା ରହିବା ଆବଶ୍ୟକ?

କନକ ବ୍ୟୁରୋ: ମନ୍ଦିର ଖୋଲିବା ଉଚିତ କି ନୁହେଁ, ଯଦି ଖୋଲିବ କେମିତି କଟକଣା ରହିବା ଉଚିତ୍, ଏମିତି ପ୍ରସଙ୍ଗ ଉପରେ ମତାମତ ନେଉଛନ୍ତି ମନ୍ଦିର ଓ ଜିଲ୍ଲା ପ୍ରଶାସନ । ମରାଜ୍ୟ ସରକାରଙ୍କଠାରୁ ପ୍ରସ୍ତାବ ପାଇବା ପରେ ଏଭଳି ଆଲୋଚନା ପ୍ରକ୍ରିୟା ଆରମ୍ଭ କରିଛି ମନ୍ଦିର ପ୍ରଶାସନ । ପ୍ରଥମେ ସେବାୟତଙ୍କ ମତାମତ ନେବାପରେ ଏବେ ଭର୍ଚୁଆଲ ମିଟିଂ ଜରିଆରେ ବିଭିନ୍ନ ସଂଗଠନର ମତାମତ ସଂଗ୍ରହ କରୁଛି ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀର ବିଭିନ୍ନ ଅନୁଷ୍ଠାନ, ସହରର ବୁଦ୍ଧଜୀବୀ ଓ ଗାଡି ଚାଳକ ସଂଘ ସହ ବିଚାର ବିମର୍ଷ କରିଛନ୍ତି । ମତାମତ ନେବା ପରେ ଭକ୍ତର ଭାବନା ଓ ଜୀବନ ଜୀବିକାକୁ ଆଖି ଆଗରେ ରଖି କିଭଳି ଓ କେବେ ମନ୍ଦିର ଖୋଲିବ ସେ ନେଇ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ଦିଆଯିବ ।
ମନ୍ଦିର ଖୋଲିବା ପାଇଁ ସେବାୟତ ଓ ପୂଜକ ସଂଗଠନମାନଙ୍କ ପକ୍ଷରୁ ଏକାଧିକ ଦାବି ହେବା ପରେ କୋଭିଡ୍ କଟକଣା ଭିତରେ କିଭଳି ଖୋଲାଯାଇପାରିବ ସେଥିପାଇଁ ପ୍ରସ୍ତୁତି କରିବାକୁ ମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ ରାଜ୍ୟ ସରକାର ।
ଆଗକୁ ଆସୁଛି କାର୍ତିକ ମାସ । ଏହି ସମୟରେ ଶ୍ରୀମନ୍ଦିର ଖୋଲିରେ ଭକ୍ତଙ୍କ ପ୍ରବଳ ଭିଡ ଜମିବାର ଆଶଙ୍କା ରହିଛି । ଯାହା ଦ୍ୱାରା କି ପୁଣି ଥରେ କରୋନା ସଂକ୍ରମଣ ମଧ୍ୟ ବଢ଼ିବାର ଆଶଙ୍କ ରହିଛି । ତେଣୁ ଭର୍ଚୁଆଲ ମିଟିଂରେ ଭାଗ  ନେଇଥିବା ଅଧିକାଂଶ ବୁଦ୍ଧିଜୀବୀ, ସମାଜସେବୀ , ଶିକ୍ଷାବିତଙ୍କ ମତ, କାର୍ତିକ ମାସ ଶେଷ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ନଯାଉ । କେବଳ ଅରୁଣ ସ୍ତମ୍ବ ପର୍ଯ୍ୟନ୍ତ ଆସିବାକୁ ଅନୁମତି ଦିଆଯାଉ । ନଭେମ୍ବର ୨୭ ତାରିଖରେ ପଡୁଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଦୀଘ ୨୬ ବର୍ଷ ପରେ ମହାପ୍ରଭୁଙ୍କର ଏହି ଦୁଲର୍ଭ ବେଶ ହେବାକୁ ଯାଉଥିବାରୁ ମନ୍ଦିର ଖୋଲିଲେ ଲକ୍ଷାଧିକ ଭକ୍ତଙ୍କ ଭିଡ ହେବାର ସମ୍ଭାବନା ରହିଛି ।
ମହାମାରୀ କରୋନା ଯୋଗୁଁ  ଦୀର୍ଘ ୮ ମାସ ହେବ ବନ୍ଦ ରହିଛି ଭଗବାନଙ୍କ ଦ୍ୱାର । କେବଳ ଠାକୁରଙ୍କ ଦୈନ୍ୟଦିନ ନୀତି ସମ୍ପାଦାନ ପାଇଁ କିଛି ସେବାୟତଙ୍କୁ ମନ୍ଦିର ଭିତରକୁ ଯିବାକୁ ମିଳୁଛି ଅନୁମତି । ଆଉ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିଛି ମନ୍ଦିରର ଦ୍ୱାର । ଫଳରେ ଭଗବାନଙ୍କ ଦର୍ଶନ କରିବାରୁ ବଂଚିତ ହୋଇଛନ୍ତି ଶ୍ରଦ୍ଧାଳୁ । କରୋନା କେବେ ଯିବ ତାହା କାହାକୁ ଜଣା ନଥିବାରୁ ଭାବର ଡୋରିରେ ବନ୍ଧା ଭଗବାନଙ୍କୁ ଟିକେ ଆଖି ପୁରେଇ ଦେଖିବା ପାଇଁ ଚାତକ ପରି ଚାହିଁ ବସିଛନ୍ତି ଶ୍ରଦ୍ଧାଳୁ ।