କନକ ବ୍ୟୁରୋ : ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ଦମଦାର ପ୍ରଦର୍ଶନ ଭିତରେ କଂଗ୍ରେସ, ବିଜେପିକୁ ବଡ ଝଟକା ଲାଗିଛି । ଉଭୟ କଂଗ୍ରେସ, ବିଜେପି, ଅକାଳୀ ଦଳର ଅନେକ ହେଭିୱେଟ ନେତା ପରାଜିତ ହୋଇଥିବା ବେଳେ ଆପ୍ ପ୍ରାର୍ଥୀ ଭଗୱନ୍ତ ମାନ୍ ବଡ ବିଜୟ ହାସଲ କରିଛନ୍ତି । ଏକାକୀ ଆପ୍ ବହୁମତ ସହ ସରକାର ଗଢିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗୱନ୍ତ ମାନ୍ । ଯେହେତୁ ଭଗୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସାମ୍ନାକୁ ଆଣି ଦଳ ନିର୍ବାଚନ ମୈଦାନକୁ ଓହ୍ଳାଇଥିଲା ତେଣୁ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ହିଁ ମହାଭିଷେକ ହେବ । ତେବେ ଭଗୱନ୍ତଙ୍କ ବିଜୟ ଓ ସିଦ୍ଧୁଙ୍କ ପରାଜୟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜନୀତି ମୈଦାନରେ ଭଗୱନ୍ତ ଓ ସିଦ୍ଧୁ ନୂଆ ନୁହନ୍ତି । କେବଳ ରାଜନୀତି ମୈଦାନରେ ନୁହେଁ ବରଂ ତାହା ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଦେଖିବାକୁ ମିଳିଛି ।

Advertisment

ରାଜନୀତି ମୈଦାନ ପୂର୍ବରୁ କମେଡି ଶୋ’ରୁ ହିଁ ପରସ୍ପରକୁ ଜାଣିଛନ୍ତି ସିଦ୍ଧୁ ଓ ଭଗୱନ୍ତ । ରାଜନୀତିକୁ ଆସିବା ପୂର୍ବରୁ ବିଭିନ୍ନ କମେଡି ସୋ’ରେ ପ୍ରତିଯୋଗୀ ଭାବେ ଆସୁଥିଲେ ଭଗୱନ୍ତ । ଆଉ ସେହି ସୋ’ରେ ଜଜ୍ ବା ବିଚାରପତି ଥିଲେ ସିଦ୍ଧୁ । ଉଭୟ ଭଗୱନ୍ତ ଓ ସିଦ୍ଧୁଙ୍କୁ ଅନେକ କମେଡି ସୋ’ ଏକାଠି ଦେଖିବାକୁ ମିଳିଛି । ୨୦୦୫ରେ ଯେତେବେଳେ କମେଡି ସୋ’ ଦ ଗ୍ରେଟ୍ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ ଆସୁଥିଲା ସେତେବେଳେ ଏହି ସୋ’ର ବିଚାରକ ଥିଲେ ସିଦ୍ଧୁ ଓ ପ୍ରତିଯୋଗୀ ଥିଲେ ଭଗୱନ୍ତ ।

ମୁଖ୍ୟମନ୍ତ୍ରୀ ହେବା ଆଶା ନେଇ ଯେଉଁ ସିଦ୍ଧୁ କଂଗ୍ରେସର ହାତ ଧରିଥିଲେ ସେହି ମୁଖ୍ୟମନ୍ତ୍ରୀ ଚୌକିରେ ବସିବାକୁ ଯାଉଛନ୍ତି ଭଗୱନ୍ତ । ଆଉ ଏହାକୁ ନେଇ ଲୋକେ ସିଦ୍ଧୁଙ୍କୁ ଟ୍ରୋଲ କରିବାକୁ ମଧ୍ୟ ପଛାଉନାହାନ୍ତି । କିଛି ୟୁଜର୍ସ କହିଛନ୍ତି, ସିଦ୍ଧୁଙ୍କର ଅବସର ବୟସ ଆସିଗଲାଣି । ଏପରିକି ପୁଣିଥରେ ଦ କପିଲ ଶର୍ମା ସୋ’କୁ ଫେରିବା ବାଟ ମଧ୍ୟ ବନ୍ଦ ହୋଇଛି । ପାକିସ୍ତାନ ବାବଦରେ ସିଦ୍ଧୁ ଦେଇଥିବା ବୟାନକୁ ନେଇ ସିନେ ଓ ଟେଲିଭିଜନ ଇଣ୍ଡଷ୍ଟ୍ରି ମଧ୍ୟ କଟକଣା ଲଗାଇଛନ୍ତି । ତେଣୁ ଆଗକୁ ସିଦ୍ଧୁଙ୍କର କଣ ରହିବ ପଦକ୍ଷେପ ତାହା ଉପରେ ସମସ୍ତଙ୍କର ନଜର ରହିଛି ।