କେବେ ଖୋଲିବ ଶ୍ରୀମନ୍ଦିର ? ଆସନ୍ତା ୧୨ ତାରିଖରେ ଛତିଶା ନିଯୋଗ ବୈଠକରେ ନିଆଯିବ ନିଷ୍ପତ୍ତି ।

113

କନକ ବ୍ୟୁରୋ: କେବେ ଖୋଲିବ ଶ୍ରୀମନ୍ଦିର । ଏ ପ୍ରଶ୍ନ ଭକ୍ତଙ୍କ ମନରେ ଅହରହ ଉଙ୍କି ମାରୁଥିବା ବେଳେ ଆସନ୍ତା ୧୨ ତାରିଖରେ ଏନେଇ ଛତିଶା ନିଯୋଗ ବୈଠକ ବସିବ । ବୈଠକରେ ଭକ୍ତଙ୍କ ପାଇଁ କେବେ ଶ୍ରୀମନ୍ଦିର ଖୋଲିବ ସେ ନେଇ ନିଷ୍ପତି ନିଆଯିବ । ଛତିଶା ନିଯୋଗ ବୈଠକର ନିଷ୍ପତି କ୍ରମେ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କୁ ଜଣାଇବେ । ଏହା ପରେ ରାଜ୍ୟ ସରକାର ଶ୍ରୀମନ୍ଦିର ଖୋଲିବା ନେଇ ନିର୍ଦ୍ଦେଶ ଦେବା ପରେ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ ।

ସେପଟେ ଆଜି ବିଶ୍ୱ ମାନବାଧିକାର ଦିବସରେ ଶ୍ରୀମନ୍ଦିର ଖୋଲିବା ପାଇଁ ଶ୍ରୀମନ୍ଦିର ନିକଟରେ ମାନବାଧିକାର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୁରୀ ବଡ଼ଦାଣ୍ଡରେ ଶତାୟୁ ବୃଦ୍ଧା କାଳିଆ ଦର୍ଶନ ପାଇଁ ବି ଅଡି ବସିଥିଲେ । ତାଙ୍କର ଗୋଟିଏ ଜିଦ , ଠାକୁରଙ୍କୁ ଦର୍ଶନ କଲେ ହିଁ ସେ ଘରକୁ ଯିବେ । ନୟାଗଡ ଶରଣକୂଳରୁ ପରିବାର ସହ ଆସିଥିଲେ ଏହି ବୃଦ୍ଧା ମହିଳା । ହେଲେ ଶ୍ରୀମନ୍ଦିର ବନ୍ଦ ରହିଥିବାରୁ ଠାକୁର ଦର୍ଶନ କରିପାରିନଥିଲେ । ତେଣୁ ଜଗା ଦର୍ଶନ କରିବାକୁ ଅତ୍ୟନ୍ତ ଭାବବିହ୍ୱଳ ହୋଇଯାଇଥିଲେ ବୃଦ୍ଧା । ଏମିତି କି ପତିତପାବନ ଦର୍ଶନ କରି ଫେରିଯିବାକୁ ସେ ରାଜି ହୋଇନଥିଲେ । ବଡ଼ଦାଣ୍ଡରେ ବସି ଅଭଡା ଖାଇଥିଲେ ବି ସେଠାରୁ ଉଠିନଥିଲେ । ଭକ୍ତ ଭଗବାନଙ୍କ ଠାରୁ ଆଉ ଦୂରେଇ ରହିପାରୁନି ଯାହା ଏହି ବୃଦ୍ଧାଙ୍କ ଘଟଣା ହିଁ ସୂଚାଇ ଦେଉଛି । ତେଣୁ ଖୁବଶୀଘ୍ର ଖୋଲାଯାଉ ଶ୍ରୀମନ୍ଦିର ।