ଟିକାୟତଙ୍କ ପଦିଏ କଥା ଓ ଆଖିର ଲୁହ… ଆନ୍ଦୋଳନ ପାଇଁ ସାଜିଥିଲା ସଞ୍ଜିବନୀ ।

204

କନକ ବ୍ୟୁରୋ: କୃଷି ଆଇନ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିବା ପରେ ଆନ୍ଦୋଳନରତ ଚାଷୀ ଉତ୍ସବ ମନାଉଛନ୍ତି । ବିରୋଧୀ ଦଳ ନେତା ଏହାକୁ ଚାଷୀଙ୍କର ବିଜୟ କହୁଥିବା ବେଳେ, ଚାଷୀ ମାନେ ମିଠା ବାଣ୍ଟିଛନ୍ତି । କାରଣ ଦୀର୍ଘ ବର୍ଷକର ଲମ୍ବା ଲଢେଇ ପରେ ସରକାର ଶେଷରେ ଚାଷୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଛନ୍ତି । ଖରା, ବର୍ଷା, ଶୀତକୁ ଖାତିର ନକରି, ଖଣ୍ଡିଆ ପାଲ ତଳେ ଶୋଇ ଚାଷୀ ମାନେ ଯେଉଁ ଆନ୍ଦୋଳନ କରୁଥିଲେ ସେଥିରେ ମହାବିଜୟ ହାସଲ କରିଛନ୍ତି । କିନ୍ତୁ ,ହି ବିଜୟ ପାଇଁ କିଏ ଜୀବନ ହାରିଛି ତ ପୁଣି କିଏ ଜେଲ ଯାଇଛି । ତଥାପି ହାର ମାନିନାହାନ୍ତି କି ପଛକୁ ହଟିନାହାନ୍ତି ଚାଷୀ । କିନ୍ତୁ ୧୦ ମାସ ତଳେ ଏମିତି ଏକ ସମୟ ଆସିଥିଲା ଯେତେବେଳେ ଲାଗୁଥିଲା ଏହି ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପଡିବ । ଏପରିକି ଅଧିକାଂଶ କୃଷକ ସଙ୍ଗଠନ ମଧ୍ୟ ଆନ୍ଦୋଳନରୁ ନିଜକୁ ଦୂରେଇ ସାରିଥିଲେ । ଗାଜିପୁର ସୀମାରୁ ଅନେକ ଚାଷୀ ଘରକୁ ଫେରୁଥିଲେ । କିନ୍ତୁ ଏହି ସମୟରେ ଚାଷୀ ନେତା ରାକେଶ ଟିକାୟତଙ୍କ ଆଖିର ଲୁହ ଓ ବାଷ୍ପରୁଦ୍ଧ କଣ୍ଠରେ ଦେଇଥିବା ପ୍ରତିକ୍ରିୟା ପୁଣିଥରେ ଚାଷୀ ଆନ୍ଦୋଳନ ପାଇଁ ସାଜିଥିଲା ସଞ୍ଜିବନୀ । ରାତିରେ ରାକେଶଙ୍କ ଆଖିର ଲୁହକୁ ପୂରା ଦେଶ ଦେଖିଥିଲା, ଆଉ ସକାଳ ହେବା ପୂର୍ବରୁ ଟିକିରି-ଗାଜିପୁର ବର୍ଡରରେ ପୁଣିଥରେ ହଜାର ହଜାର ଚାଷୀ ଏକାଠି ହୋଇଥିଲେ । ଆଉ ପୁନଃଜନ୍ମ ପାଇଥିଲା ଚାଷୀ ଆନ୍ଦୋଳନ ଏବଂ ରାକେଶ ସାଜିଥିଲେ ଏହି ଆନ୍ଦୋଳନର ସାରଥୀ ।

କୃଷି ଆଇନକୁ ବିରୋଧ କରି ୨୦୨୦ ନଭେମ୍ବର ମାସରୁ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିଲା । ତେବେ ଏହା କେବଳ ଦିଲ୍ଲୀ ସୀମା ପର୍ଯ୍ୟନ୍ତ ସୀମିତ ଥିଲା । କିନ୍ତୁ ଜାନୁଆରୀ ୨୬ରେ ଚାଷୀ ଆନ୍ଦୋଳନର ବ୍ୟାପକତା ଦେଖିଥିଲା ପୂରା ବିଶ୍ୱ । ଜାନୁଆରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ପରେଡ ସମୟରେ ଦେଖାଦେଇଥିବା ହିଂସା ଓ ଲାଲକିଲ୍ଲାରେ ଯେଉଁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା ତାହା ଆନ୍ଦୋଳନକୁ କିଛି ମାତ୍ରାରେ ଶିଥିଳ କରି ଦେଇଥିଲା । ହିଂସା ଓ ଉପଦ୍ରବ କାରଣରୁ ଅନେକ ଚାଷୀ ସଙ୍ଗଠନ ଧୀରେ ଧୀରେ ଆନ୍ଦୋଳନରୁ ଓହରିଲେ । କିଛି ମୁହୂର୍ତ୍ତର ହିଂସାକାଣ୍ଡ କାରଣରୁ ବ୍ୟାକଫୁଟକୁ ଠେଲି ହୋଇଯାଉଥିଲା ଚାଷୀ ଆନ୍ଦୋଳନ । ଏପରିକି ଏହି ହିଂସାକାଣ୍ଡ ପାଇଁ ଫେବ୍ରୁଆରୀ ୧ରେ ସଂସଦ ଅଭିମୁଖେ ଚାଷୀଙ୍କର ଯେଉଁ ଶୋଭାଯାତ୍ରା ବାହାରିଥାନ୍ତା ସେଥିରେ ରୋକ ଲଗାଯାଇଥିଲା ।

ଟ୍ରାକ୍ଟର ପରେଡ ବେଳେ ଲାଲକିଲ୍ଲାରେ ଦେଖାଦେଇଥିବା ହିଂସାକାଣ୍ଡ ଘଟଣାରେ ୨୮ ଜାନୁଆରୀରେ ରାକେଶ ଟିକାୟତଙ୍କ ପାଖକୁ ଦିଲ୍ଲୀ ପୋଲିସ ନୋଟିସ ପଠାଇଥିଲା । ଆଉ ଏହାପରେ ଆନ୍ଦୋଳନରୁ ଓହରିବା ପାଇଁ ଟିକାୟତ ମଧ୍ୟ ପରୋକ୍ଷରେ ସଂକେତ ଦେଇଥିଲେ । ଏପରିକି ଆନ୍ଦୋଳନକାରୀଙ୍କୁ ଏହି ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏପରିକି କିଛି କୃଷକ ସଙ୍ଗଠନ ଟେଣ୍ଟ ଖୋଲି ଘର ଅଭିମୁଖେ ବାହାରି ଯାଇଥିଲେ । ଲାଗୁଥିଲା ଆଉ ଆଗକୁ ବଢିବନି ଆନ୍ଦୋଳନ ।

ତେବେ ହିଂସାକାଣ୍ଡକୁ ନେଇ ଯେତେବେଳେ ଗଣମାଧ୍ୟମ ଟିକାୟତଙ୍କୁ ପ୍ରଶ୍ନ କଲେ ସେତେବେଳେ ରାକେଶଙ୍କ ଆଖିରୁ ଧାର ଧାର ହୋଇ ଲୁହ ବହିଗଲା । ବାଷ୍ପରୁଦ୍ଧ କଣ୍ଠରେ ଟିକାୟତ ଯାହା କହିଲେ ତାହା ଦେଶବାସୀଙ୍କୁ ବେଶ ପ୍ରଭାବିତ କଲା । ଟିକାୟତଙ୍କ ସେହି ପଦିଏ କଥା, ଦେଶର ଚାଷୀ ଗୁଳି ଖାଇବେ କିନ୍ତୁ ପଛକୁ ହଟିବେ ନାହିଁ । ଏହାସହ ୩ କୃଷି ଆଇନ ପ୍ରତ୍ୟାହାର ନହେଲେ ମୁଁ ଆତ୍ମହତ୍ୟା କରିବି ପଛେଉ ଧାରଣାସ୍ଥଳରୁ ହଟିବି ନାହିଁ ବୋଲି ରୋକଠୋକ ଶୁଣାଇଥିଲେ ଟିକାୟତ । ଆଉ ପଦିଏ କଥା ହିଁ ବିଜୁଳି ବେଗରେ ବ୍ୟାପିଥିଲା । ସୋସିଆଲ ମିଡ଼ିଆରେ ଟିକାୟତଙ୍କ ଏହି ବୟାନ ଭାଇରାଲ ହେବା ସହ ଆନ୍ଦୋଳନକୁ ସଞ୍ଜିବନୀ ଯୋଗାଇଥିଲା । ଟିକାୟତଙ୍କ ପଦିଏ କଥାରେ ପ୍ରଭାବିତ ହୋଇଥିଲେ ଦେଶର ଅଧିକାଂଶ ଚାଷୀ । ପୁଣି ଟିକିରି-ଗାଜିପୁର ଅଭିମୁଖେ ଛୁଟିଥିଲା ହଜାର ହଜାର ଚାଷୀଙ୍କ ଲମ୍ବା ଧାଡି । ରାତିରେ ଶୂନଶାନ ଥିବା ଗାଜିପୁର ଆନ୍ଦୋଳନସ୍ଥଳରେ ସକାଳୁ ସକାଳୁ ଛିଡା ହୋଇଥିଲେ ହଜାର ହଜାର ଚାଷୀ । ଆଉ ଏହିଠାରୁ ପୁଣିଥରେ ଆରମ୍ଭ ହେଲା ଲଢେଇ । ଚାଷୀ ଏକାଠି ହୋଇ ଲଢିଲେ, ଆଉ ଶେଷରେ ସରକାରଙ୍କୁ ଚାଷୀଙ୍କ ଦାବି ମାନିବାକୁ ପଡିଲା ।