‘ନିଛାଟିଆ ନିର୍ଯାତନା’କୁ ୧୦ ଦିନ: କାହିଁକି ଶୋଇଛି ପୋଲିସ ? ବିଧାନସଭାରେ ଉଠୁ ‘କୁଚିଣ୍ଡା କାହାଣୀ’ ???

ଦୁଷ୍କର୍ମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହରେ ହଲ୍ଲାପଟ୍ଟା କରୁଛନ୍ତି ହେଲେ କୁଚିଣ୍ଡା ପ୍ରସଙ୍ଗରେ କିଛି କହୁ ନାହାନ୍ତି । ନା ବିଜେପି ନା କଂଗ୍ରେସ ନିର୍ଯାତନାର ସେ କାହାଣୀ ଗୃହରେ ନକହି କେମିତି ଚୁପ ରହିଛନ୍ତି ? ଯଦି ନାରୀ ସୁରକ୍ଷା ନେଇ ବିରୋଧୀଙ୍କ ଏତେ ଚିନ୍ତା ତେବେ ବିଧାନସଭା ସରିବା ଆଗରୁ କୁଚିଣ୍ଡା କାହାଣୀ ଗୃହରେ ଉଠାନ୍ତୁ । ଏ ସମ୍ବେଦନଶୀଳ ପ୍ରସଙ୍ଗ ଉତ୍ଥାପନ କରି ଭିଡିଓ ପଛର ସେ ଭିଲେନକୁ ବାନ୍ଧନ୍ତୁ ।

251

କନକ ବ୍ୟୁରୋ: ସବୁ ଶୋଇଛନ୍ତି । ନିଛାଟିଆ ନିର୍ଯାତନା ଘଟଣାକୁ ୧୦ ଦିନ ବିତି ଯାଇଥିଲେ ବି ନିଘୋଡ ନିଦରେ ସମସ୍ତେ ଶୋଇଛନ୍ତି । ପୋଲିସ ଶୋଇଛି, ସରକାର ଶୋଇଛନ୍ତି ଆଉ ବିରୋଧୀ ବି ପାଟିରେ ହାତ ଦେଇ ଚୁପ ବସିିଛନ୍ତି । ସୋସିଆଲ ମିଡିଆରେ ୨ ଛାତ୍ରୀଙ୍କୁ ୮ରୁ ୧୦ ଜଣ ଯୁବକ ନିର୍ଯାତନା ଦେଉଥିବାର ଭିଡିଓ ଭାଇରାଲ ହୋଇଥିଲା । ଆଉ ଭିଡିଓ ଭାଇରାଲକୁ ସପ୍ତାହେ ବିତି ଥିଲେ ବି ଏଯାଏଁ ଭିଡିଓ ଭିଲେନକୁ ବାନ୍ଧିନି ପୋଲିସ ।

ଗଣମାଧ୍ୟମରେ ଗତ ୧୮ ତାରିଖରେ ଚାରି ମିନିଟର ଛାତିଥରା ଭିଡିଓ ଭାଇରାଲ ହେବା ପରେ ଭିଡିଓକୁ ନେଇ ଭାରି ଚର୍ଚ୍ଚା ହୋଇଥିଲା । ଭିଡିଓରେ ୨ ଛାତ୍ରୀଙ୍କୁ ଅସାମାଜିକ ଯୁବକ ଯେଉଁଭଳି ଅଶାଳୀନ, ଅକଥନୀୟ ଶବ୍ଦ ପ୍ରୟୋଗ କରି ନିର୍ଯାତନା ଦେଉଥିଲେ ତାହା ସଭ୍ୟ ସମାଜକୁ ଏକ ଶକ୍ତ ଚାପୁଡା ମାରିଥିଲା । ତେବେ ଭାଇରାଲ ଭିଡିଓରେ ଜଳଜଳ ଦିଶୁଥିବା ଗାଡି ନମ୍ବରରୁ ଏ ନିର୍ଯାତନାର କାହାଣୀ ସମ୍ବଲପୁର କିମ୍ବା ଝାରସୁଗୁଡା ଜିଲ୍ଲାରୁ ବୋଲି ଅନୁମାନ କରାଯାଉଥିଲା ।

ତେବେ ଗାଡି ନମ୍ବରକୁ ଆଧାର କରି ଜିଲ୍ଲା ଏସପି କୁଚିଣ୍ଡା ଆଇଆଇସିଙ୍କୁ ଭିଡିଓ ବାବଦରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପାଇ କୁଚିଣ୍ଡା ପୋଲିସ କିଛି ଲୋକଙ୍କୁ ପଚରା ଉଚରା କରୁଥିବା ବେଳେ ଭିଡିଓର ଭେରିଫିକେସନ କରୁଥିବା କହିଥିଲା । ଖାଲି ଏତିକି ନୁହେଁ ସମ୍ବଲପୁର ପୁଲିସ ମଧ୍ୟ ତଦନ୍ତ ପାଇଁ ଆଗଭର ହୋଇଥିଲା । ଗଣମାଧ୍ୟମରେ ଖବର ପ୍ରସାରଣ ପାଇଁ ଯେଉଁ କ୍ରିୟାଶୀଳତା ପୁଲିସ ବାବୁ ଦେଖାଇଥିଲେ, ତାହା ୨୪ ଘଂଟା ଭିତରେ ଉଭାନ ହୋଇଯାଇଥିଲା, ଯେତେବେଳେ ଘଟଣା ଘଟିଥିବା ସ୍ଥାନକୁ ନେଇ ଦୁଇ ଜିଲ୍ଲାର ପୁଲିସ ମଧ୍ୟରେ ସାମାନ୍ୟତମ ସମନ୍ୱୟ ଆସିପାରିଲା ନାହିଁ । କାନ୍ଧରୁ ଦାୟିତ୍ୱ ଖସାଇ ଅତ୍ୟନ୍ତ ଖାମଖିଆଲୀ ଭାବେ ପୁଲିସ କେଇ ଘଂଟା ବିତାଇ ଦେଇଥିଲା । ଆଉ ଖାକିର ଏହି ଆଚରଣ ସେତେବେଳେ ଚର୍ଚ୍ଚାର ପରିଧି ଭିତରକଲୁ ଆସିଲା ।

ସେତେବେଳେ ପଶ୍ଚିମାଂଚଳ ରେଂଜ ଡିଆଇଜି ସତ୍ୟବ୍ରତ ଭୋଇ ଉଭୟ ଜିଲ୍ଲାର ଏସପିଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ । ମାତ୍ର ଇତି ମଧ୍ୟରେ ୧୦ ଦିନ ବିିତି ଥିଲେ ବି କୌଣସି ଠୋସ ପ୍ରମାଣ ପାଇ ପାରିନି ପୋଲିସ । ଭିଡିଓର ଭିଲେନ କିଏ ? କୁଚିଣ୍ଡାର କେଉଁ ଅଞ୍ଚଳରୁ ଏ ଭିଡିଓ ଭାଇରାଲ ହୋଇଛି? ନିର୍ଯାତନା ଦେଉଥିବା ଅସାମାଜିକ ଯୁବକମାନଙ୍କ ଘର କେଉଁଠି? ଏ ସମସ୍ତ ପ୍ରଶ୍ନ ଉପରୁ ପରଦା ହଟାଇ ପାରିନି ପୋଲିସ ।

ଯଦିଓ ଭିଡିଓରେ ଯୁବକ ମାନଙ୍କ ଫଟୋ ସ୍ପଷ୍ଟ ଦିଶୁଛି ତଥାପି ପୋଲିସ ସେମାନଙ୍କୁ ଗିରଫ ନକରି ଚୁପ ବସିଛି କାହିଁକି ? ଦିନେ କି ଦୁଇ ଦିନ ନୁହେଁ ଘଟଣାକୁ ଦଶ ଦିନ ବିତିଥିଲେ ବି ଏଯାଏଁ କଣ କରୁଛି କୁଚିଣ୍ଡା ପୋଲିସ ? ରେଂଜ ଡିଆଇଜି, ଓ ଉଭୟ ଜିଲ୍ଲାର ଏସପି ନିର୍ଦ୍ଦେଶ ଦେଇ ହାତ ଝାଡିଦେଲେ କଣ ପାଇଁ ? ଘଟଣା ପରେ ଅଭିଯୁକ୍ତମାନେ ଖୁଲମଖୁଲା ବୁଲୁଥିଲେ ବି ଛାତ୍ରୀଙ୍କ ସୁରକ୍ଷା କଥା ଚିନ୍ତା କରିଛି କି ପୋଲିସ? ପୋଲିସ ନିର୍ଯାତନା ଦେଉଥିବା ଯୁବକଙ୍କୁ ଗିରଫ କରିନଥିବାରୁ ଏବେ ପ୍ରତି ମୁହୂର୍ତ୍ତରେ ଡରି ଡରି ବଞ୍ଚୁଥିବେ ୨ ଛାତ୍ରୀ ।

ବଡ କଥା ହେଉଛି, ମାମଲାରେ କେବଳ ଏକ ଷ୍ଟେସନ ଡାଏରୀ କରି ଚୁପ ବସିଯାଇଛି ପୁଲିସ । ଅଧିକାରୀ କହୁଛନ୍ତି, ମାମଲା ରୁଜ୍ଜୁ କରିବାକୁ କେହି ଆସୁନାହାନ୍ତି । ଏଭଳି ଆଭିମୁଖ୍ୟ ଦେଖାଇବା ପଛର ଉଦ୍ଦେଶ୍ୟ କଣ? ସବୁଠାରୁ ବଡ ପ୍ରଶ୍ନ ଉଠୁଛି, ପୁଲିସର କଣ କର୍ତ୍ତବ୍ୟ ନୁହେଁ ନିଜ ଆଡୁ ମାମଲା ରୁଜ୍ଜୁ କରି ଅପରାଧୀକୁ ଗିରଫ କରିବା? ପୁଲିସ ଏଭଳି ସମ୍ବେଦନଶୀଳ ଭିଡିଓ ଦେଖି ଚୁପ ରହିପାରୁଛି କିଭଳି? ବରିଷ୍ଠ ଅଧିକାରୀଙ୍କ କାମ କଣ ଖାଲି ନିର୍ଦ୍ଦେଶ ଦେଇ ଚୁପ ବସିଯିବା? କାହିଁକି ଏହି ମାମଲାକୁ ଗୁରୁତ୍ୱ ଦେଇ ଅପରାଧୀକୁ ବାନ୍ଧିବାକୁ ଉଦ୍ୟମ କରୁନି ପୁଲିସ? କାହିଁକି ସେମାନଙ୍କୁ ଖୋଲା ଛାଡିଛି, ଆଉ ସେମାନେ ବେଫିକର ଢଙ୍ଗରେ ଆଉ ଏକ ଅପରାଧ କରିବାକୁ ସାହାସ କରିବେ?

ସେପଟେ ଚଳିତ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ନାବାଳିକା ନିଖୋଜ, ଦୁଷ୍କର୍ମ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅକଳରେ ପକାଉଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଦୁଷ୍କର୍ମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହରେ ହଲ୍ଲାପଟ୍ଟା କରୁଛନ୍ତି ହେଲେ କୁଚିଣ୍ଡା ପ୍ରସଙ୍ଗରେ କିଛି କହୁ ନାହାନ୍ତି । ନା ବିଜେପି ନା କଂଗ୍ରେସ ନିର୍ଯାତନାର ସେ କାହାଣୀ ଗୃହରେ ନକହି କେମିତି ଚୁପ ରହିଛନ୍ତି ? ଯଦି ନାରୀ ସୁରକ୍ଷା ନେଇ ବିରୋଧୀଙ୍କ ଏତେ ଚିନ୍ତା ତେବେ ବିଧାନସଭା ସରିବା ଆଗରୁ କୁଚିଣ୍ଡା କାହାଣୀ ଗୃହରେ ଉଠାନ୍ତୁ । ଏ ସମ୍ବେଦନଶୀଳ ପ୍ରସଙ୍ଗ ଉତ୍ଥାପନ କରି ଭିଡିଓ ପଛର ସେ ଭିଲେନକୁ ବାନ୍ଧନ୍ତୁ ।

ଗୋଟିଏ ପଟେ ନାରୀକୁ ସମ୍ମାନ, ନାରୀକୁ ସୁରକ୍ଷା ଦେବାକୁ ବାଜା ବଜାଉଥିବା ବିଜେଡି ସରକାର ନାରୀ ନିର୍ଯାତନା ଘଟଣାରେ କେମିତି ଶୋଇ ରହିଛନ୍ତି ? ଛାତ୍ରୀଙ୍କ ସୁରକ୍ଷା କଥା ଚିନ୍ତା ନକରି କେମିତି ଚୁପ ରହିଛନ୍ତି ? ତାହା ଏବେ ବଡ ପ୍ରଶ୍ନ ହୋଇ ସାମ୍ନାକୁ ଆସିଛି । ଯଦି ଏମିତି ବଡ ବଡ ଘଟଣାକୁ ପୋଲିସ ହାଲକା ଭାବେ ନେବ ତେବେ ଆଗାମୀ ଦିନମାନଙ୍କରେ ଓଡିଶା ଏମିତି କିଛି ଛାତିଥରା କେହାଣୀ ଦେଖିବ । ଏଥିରେ ସନ୍ଦେହ ନାହିଁ । କୁଚିଣ୍ଡା ପୋଲିସ ନିଦରୁ ଉଠୁ ଆଉ ନିର୍ଯାତନା ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସାଧାରଣରେ ଦାବି ହୋଇଛି ।