କନକ ବ୍ୟୁରୋ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମନରୁ ପରୀକ୍ଷାକୁ ନେଇ ଥିବା ଭୟକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି । ଏପରିକି ପରୀକ୍ଷାକୁ ପର୍ବ ବୋଲି ଭାବିବାକୁ ମୋଦୀ କହିଛନ୍ତି । ଛାତ୍ରଛାତ୍ରୀ ପଚାରୁଥିବା ପ୍ରଶ୍ନର ଉତ୍ତର ଦେବା ଭିତରେ ମୋଦୀ ଆଜି ଛାତ୍ରଛାତ୍ରୀଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚାରିଥିଲେ । ଆଉ ମୋଦୀଙ୍କ ପ୍ରଶ୍ନ ଶୁଣି ଛାତ୍ରଛାତ୍ରୀ ମାନେ ମଧ୍ୟ ହସିଥିଲେ ।

Advertisment

ପରୀକ୍ଷା ପେ ଚର୍ଚ୍ଚା ସମୟରେ କର୍ଣ୍ଣାଟକ ଓ ଦିଲ୍ଲୀର ତରୁଣ, ଶାହିଦ, କୀର୍ତନାଙ୍କ ଭଳି ଛାତ୍ରଛାତ୍ରୀ ଗତ ୨ ବର୍ଷ ଧରି ଜାରି ରହିଥିବା ଅନଲାଇନ କ୍ଲାସ ଓ ଏହା କାରଣରୁ ସୃଷ୍ଟି ହେଉଥିବା ସମସ୍ୟା ଯେପରିକି ସୋସିଆଲ ମିଡିଆରେ ଅଧିକ ସମୟ ବିତାଇବା, ୟୁଟ୍ୟୁବ ଦେଖିବା ଭଳି ଅଭ୍ୟାସରୁ କିଭଳି ଦୂରେଇ ହେବ ସେନେଇ ଉପାୟ ପଚାରିଥିଲେ । ଛାତ୍ରଛାତ୍ରୀ ମାନେ କହିଥିଲେ ଏହାଦ୍ୱାରା ପାଠପଢାରେ ଥିବା ଏକାଗ୍ରତା ଭଙ୍ଗ ହେଉଛି ।

ଏହି ପ୍ରଶ୍ନର ଜବାବ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଛାତ୍ରଛାତ୍ରୀଙ୍କୁ ଏକ ପ୍ରଶ୍ନ ପଚାରିଥିଲେ । ମୋଦୀ ପଚାରିଥିଲେ ଯେତେବେଳେ ତୁମେମାନେ ଅନଲାଇନ ପାଠ ପଢୁଛ ସେତେବେଳେ ସତରେ ପଢୁଛ ନା ରିଲ୍ସ ଦେଖୁଛ । କେହି ହାତ ଟେକିବା ଦରକାର ନାହିଁ କିନ୍ତୁ ମୁଁ ତୁମମାନଙ୍କୁ ଧରି ସାରିଲିଣି । ଅନଲାଇନ କିମ୍ବା ଅଫଲାଇନର ଦୋଷ ନାହିଁ । ଏମିତି ବହୁତ ସମୟରେ ଶ୍ରେଣୀ ଗୃହରେ କ୍ଲାସ ଚାଲିଥିବା ବେଳେ ତୁମ ମାନଙ୍କର ଶରୀର ଶ୍ରେଣୀଗୃହରେ ଥିଲେ ମଧ୍ୟ ମନ ଅନ୍ୟ କେଉଁଠି ଥାଏ । କାନକୁ ସବୁ ଶୁଭୁଥିଲେ ମଧ୍ୟ ଏହାକୁ ଆମେ ଠିକ୍ ଢଙ୍ଗରେ ବୁଝି ପାରିନଥାଉ । ଯାହା ଅଫଲାଇନରେ ହୋଇଥାଏ ତାହା ଅନଲାଇନରେ ମଧ୍ୟ ହୋଇଥାଏ । ତେଣୁ ମାଧ୍ୟମକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମସ୍ୟା ରହିବା କଥା ନୁହେଁ । ଯଦି ଇଚ୍ଛା ଥାଏ ତେବେ ଅନଲାଇନ କି ଅଫଲାଇନ ମଧ୍ୟରେ କୌଣସି ପାର୍ଥକ୍ୟ ରହିନଥାଏ ।

ସମୟ ବଦଳିବା ସହ ମାଧ୍ୟମ ମଧ୍ୟ ବଦଳୁଛି । ପୂର୍ବରୁ ଗୁରୁକୁଳ ଚାଲୁଥିଲା, ପେପର ନଥିଲା, ବହି ନଥିଲା । ଛାତ୍ରଛାତ୍ରୀ ମାନେ ଶୁଣିକୁ କଣ୍ଠସ୍ଥ କରୁଥିଲେ । ପରେ ପ୍ରିଣ୍ଟ୍ରିଂ ପ୍ରେସ ଆସିଲା, ବହି ଆସିବାରେ ଲୋକମାନେ ତାହା ସହ ତାଳ ଦେଇ ଚାଲିଲେ । ତେଣୁ ଏଭଳି ପରିବର୍ତ୍ତନ ଲଗାତାର ଜାରି ରହିବ । ପରିବର୍ତ୍ତନ ସବୁବେଳେ ମଣିଷ ଜୀବନର ଏକ ଅଭିନ୍ନ ଅଙ୍ଗ । ଆଉ ଏବେ ଡିଜିଟାଲ ଟେକ୍ନୋଲୋଜିରେ ପାଠପଢା ହେଉଛି । ତେଣୁ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରିବା ଆବଶ୍ୟକ ।