ମନ୍ତ୍ରୀ ନମ୍ବର ୫୬କୁ ନେଇ ସାରା ଭାରତରେ ଚର୍ଚ୍ଚା । ଚାଳ ଛପର ଘରେ ରହୁଛନ୍ତି ମୋଦିଙ୍କ ମନ୍ତ୍ରୀ । ଚଲାଉଛନ୍ତି ସାଇକେଲ, ବିତାଉଛନ୍ତି ଯୋଗୀ ଜୀବନ

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସାଧାରଣ ଜୀବନ ଯାପନକୁ ନେଇ ନେତାଙ୍କଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ ସବୁଠି ପ୍ରଶଂସା

466

କନକ ବ୍ୟୁରୋ:  କିଏ ତାଙ୍କୁ ଓଡ଼ିଶାର ମୋଦି କହୁଛନ୍ତି, ତ ଆଉ କିଏ ରାଜନୀତିର ସନ୍ଥ । ଆଂଚଳିକ ଗଣମାଧ୍ୟମରୁ ଜାତୀୟ ଗଣମାଧ୍ୟମ, ଏମିତି କି ସୋସିଆଲ ମିଡ଼ିଆରେ ବି ଛାଇ ରହିଛନ୍ତି ଏହି ନେତା । ଚାରିଆଡେ ଏବେ ମନ୍ତ୍ରୀ ବନିଥିବା ଓଡ଼ିଶାର ସାଂସଦଙ୍କୁ ନେଇ ଚର୍ଚ୍ଚା । ଜାଣନ୍ତି କିଏ ସେ ସାଂସଦ । ସେ ହେଉଛନ୍ତି ବାଲେଶ୍ୱରରୁ ସଂସଦକୁ ନିର୍ବାଚିତ ହୋଇଥିବା ପ୍ରତାପ ଷଡଙ୍ଗୀ । ପ୍ରତାପ ଷଡଙ୍ଗୀଙ୍କ ସରଳ ଜୀବନଯାପନ ଏବଂ ତୃଣମୂଳସ୍ତରରେ ଜଡ଼ିତ ନେତା ଭାବରେ ଓଡ଼ିଶାରେ ବେଶ ପରିଚିତ । ପୂର୍ବରୁ ବିଧାନସଭାକୁ ୨ ଥର ନିର୍ବାଚିତ ହୋଇଥିବା ପ୍ରତାପ ଷଡଙ୍ଗୀ, ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଛନ୍ତି ।

 

ଏବେ ଜାତୀୟ ଗଣମାଧ୍ୟମରେ ପ୍ରତାପ ଷଡଙ୍ଗୀଙ୍କ କାହାଣୀଙ୍କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା । ପ୍ରତିପକ୍ଷ କୋଟିପତି ପ୍ରାର୍ଥୀଙ୍କୁ ହରାଇଥିବା ଏହି ନେତାଙ୍କୁ ଜାତୀୟ ଗଣମାଧ୍ୟମରେ ଖୁବ୍ ପ୍ରଶଂସା କରିଛନ୍ତି । ମାଟି ଘରେ ରହୁଥିବା, ସାଇକେଲ ଚଢୁଥିବା ଏବଂ ଗାମୁଛା ପିନ୍ଧି ନଳକୁଅରେ ଗାଧୋଉଥିବା ଏହି ନେତା କମ୍ ଖର୍ଚ୍ଚରେ ନିର୍ବାଚନ ଜିତିବା କାରଣରୁ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବରିଷ୍ଠ ବିଜେପି ନେତା ରାମମାଧବଙ୍କ ପ୍ରଶଂସା ସାଉଁଟିଛନ୍ତି ।

 

କୁହାଯାଉଛି ଏହା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଅମିତ ଶାହା ଓ ମୋଦୀ କୁଆଡେ ଏସବୁକୁ ଦେଖିଥିଲେ । ଓଡିଶା ଗସ୍ତରେ ମୋଦୀ ଆସିଥିବାବେଳେ ଦୁଇ ଦୁଇ ଥର ପ୍ରତାପଙ୍କୁ ସୁଦୃଢ ଓ ପୁରୁଣା ସୈନିକ ମଧ୍ୟ କହିଥିଲେ । ଯେତେବେଳେ ତାଙ୍କର ଏଭଳି ପ୍ରତିଛବି ମୋଦୀ-ଶାହା ଟିମ ଦେଖିଥିଲେ, ଚିନ୍ତା କରିଥିଲେ କିଭଳି ଏହି ସୈନିକଙ୍କୁ ସାମିଲ ନ କରିବେ ।ସେଥିପାଇଁ ମନ୍ତ୍ରୀ ତାଲିକା ପ୍ରକାଶ ପାଇବା ପୂର୍ବରୁ ଶାହା ଓ ମୋଦୀଙ୍କ ମଧ୍ୟରେ ବହୁବାର ବୈଠକ ମଧ୍ୟ ହୋଇଥିଲା । ଶେଷରେ ମନ୍ତ୍ରୀମଣ୍ଡଳୀରେ ସାମିଲ ହୋଇଥିଲେ ପ୍ରତାପ ଷଡ଼ଙ୍ଗୀ।