କନକ ବ୍ୟୁରୋ : ଘୁଚିଂ ଘୁଚିଂ ଯାଉଛି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ଆଜି ଆସିପାରେ ନୂଆ ଡେଥ ୱାରେଂଟ । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଆଜି ଫାଶୀ ଦଣ୍ଡ କାର୍ଯ୍ୟକାରୀ ନେଇ ନୂଆ ତାରିଖ ଘୋଷଣା କରିପାରନ୍ତି । ନିର୍ଭୟାଙ୍କ ମାତା ପିତା ଓ ଦିଲ୍ଲୀ ସରକାର ୪ ଦୋଷୀଙ୍କ ବିରୋଧରେ ନୂଆ ଡେଥ ୱାରେଂଟ ଜାରି କରିବା ପାଇଁ ପଟିଆଲା ହାଉସ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଗତକାଲି ନୂଆ ଡେଥ ୱାରେଂଟ ଜାରି ଆବେଦନ ଉପରେ କୋର୍ଟରେ ଶୁଣାଣି ହୋଇଥିଲା ।
ତେବେ ଦୋଷୀଙ୍କ ଓକିଲ କୋର୍ଟରେ ତଥ୍ୟ ନରଖିବାରୁ ଏହି ମାମଲାର ଶୁଣାଣୀ ଆଜିଯାଏଁ ଘୁଂଚାଇଦେଇଛନ୍ତି ଖଣ୍ଡପୀଠ । ଦୋଷୀଙ୍କ ଓକିଲ ଆଜି ତଥ୍ୟ ରଖିଲେ ମାମଲାର ଶୁଣାଣୀ ହେବ । ଏହାପୂର୍ବରୁ ଫେବୃୟାରୀ ୭ ତାରିଖରେ ପଟିଆଲା ହାଉସକୋର୍ଟ ତିହାର ଜେଲ ପ୍ରଶାସନର ଆବେଦନକୁ ଖାରଜ କରିଦେଇଥିଲେ । ଯେଉଁଥିରେ ୪ ଦୋଷୀଙ୍କ ପାଇଁ ନୂଆ ଡେଥ ୱାରେଂଟ ଜାରି ପାଇଁ ଆବେଦନ କରାଯାଇଥିଲେ ।
ଆବେଦନକୁ ଖାରଜ କରି ଖଣ୍ଡପୀଠ କହିଥିଲେ ଆଇନ ଯଦି ଦୋଷୀଙ୍କୁ ବଂଚିବାକୁ ଅନୁମିତ ଦେଉଥିବା ବେଳେ ତାଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାପ ହେବ । ସେପଟେ ଗତକାଲି କୋର୍ଟ ପରିସରରେ ଶୁଣାଣୀ ଚାଲିଥିବା ବେଳେ ନିର୍ଭୟା ମା ଆଶାଦେବୀ କାନ୍ଦିପକାଇଥିଲେ । ଦୋଷୀଙ୍କୁ ଫାଶୀ ପାଇଁ ତୁରନ୍ତ ଡେଥ ୱାରେଂଟ ଜାରିବାକୁ ସେ ଆବେଦନ କରିଛନ୍ତି । ନୂଆ ଡେଥ ୱାରେଂଟ ପାଇଁ ନିର୍ଭୟାଙ୍କ ବାପା, ମା ଓ ତିହାର ଜେଲ କତୃପକ୍ଷ କୋର୍ଟରେ ଆବେଦନ କରିଥିଲେ ।
ସେପଟେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମା ଆବେଦନ ଉପରେ ଆଜି ଶୁଣାଣି କରିବେ । ବିନୟର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି । ଗତ ମଙ୍ଗଳବାର ରାଜକ୍ଷମା ଖାରଜ’ର ନ୍ୟାୟିକ ସମୀକ୍ଷା ପାଇଁ ବିନୟର ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଯାହାର ଶୁଣାଣି ଆଜି କରିବେ ସର୍ବୋଚ୍ଚନ୍ୟାୟାଳୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/5708290877030400-750x430-1.jpg)