ଅଲମ୍ପିକ୍ସରେ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଲେ ପାକିସ୍ତାନର ଆଥଲେଟ ଅର୍ଶଦ ନଦୀମ । ଯାହାଙ୍କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । କିନ୍ତୁ ଏହା ପଛରେ ରହିଛି ବଡ଼ ରହସ୍ୟ । ଦିନେ ତାଙ୍କ ପାଖରେ ଅଭ୍ୟାସ ପାଇଁ ଜାଭେଲିନ ନଥିବା ବେଳେ ତାଙ୍କୁ ସାହାଯ୍ୟ କରିଥିଲେ ଭାରତର ସୁନା ପୁଅ ନୀରଜ ଚୋପ୍ରା । ଯେତେବେଳେ ପାକିସ୍ତାନ ସରକାର ଓ ତାଙ୍କ କୋଚ୍ ତାଙ୍କ ଦୁଃଖ ଶୁଣିନଥିଲେ, ସେତେବେଳେ ସାହାଯ୍ୟର ହାତ ବଢ଼ାଇଥିଲେ ନୀରଜ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ବଢିଛି ।

Advertisment

ଗତକାଲି ରାତିର ଚମତ୍କାର ଥ୍ରୋ ନଦୀମଙ୍କୁ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତାଇଛି । ନୀରଜ ମଧ୍ୟ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି । ତେବେ ଲଗାତାର ଦ୍ୱିତୀୟ ଥର ପାଇଁ ଅଲମ୍ପିକ୍ସରେ ପଦକ ଆଣିଛନ୍ତି ଭାରତ-ପାକିସ୍ତାନର ଏହି ଦୁଇ ଖେଳାଳି । ପୂର୍ବଥର ନୀରଜ ସ୍ୱର୍ଣ୍ଣ ଜିତିଥିବା ବେଳେ ଏଥର ନଦୀମ ଜିତିଛନ୍ତି ସ୍ୱର୍ଣ୍ଣ । ନଦୀମଙ୍କ ସଂଘର୍ଷ ଆଜି ତାଙ୍କୁ ବିଶ୍ୱ ବିଜେତା ବନାଇଛି । ୨୦୧୫ରୁ ନଦୀମ ଆନ୍ତର୍ଜାତୀୟ ଷ୍ଟେଜରେ ଭଲ ପ୍ରଦର୍ଶନ କରିଆସୁଛନ୍ତି । ସ୍ୱର୍ଣ୍ଣ ଜିତିବାର ୫ ମାସ ପୂର୍ବରୁ ତାଙ୍କ ପାଖରେ ଅଭ୍ୟାସ କରିବା ପାଇଁ ଜାଭେଲିନ ନଥିଲା । ସେଥିପାଇଁ ସେ ପାକିସ୍ତାନ ସ୍ପୋର୍ଟ୍ସ ଫେଡେରସନ୍ ଓ କୋଚଙ୍କୁ ଭଲ ଜାଭେଲିନ ଓ ଉଚ୍ଚମାନର ଟ୍ରେନିଂ ଦାବା ପାଇଁ ଅନୁରୋଧ କରିଥିବା ସୁଦ୍ଧା ତାଙ୍କୁ କୌଣସି ସୁଫଳ ମିଳିନଥିଲା । ନୀରଜ କିନ୍ତୁ ବନ୍ଧୁ ନଦୀମଙ୍କ ଦୁଃଖ ବୁଝିପାରି ତାଙ୍କୁ ଏକ ଜାଭେଲିନ ଗିଫ୍ଟ କରିଥିଲେ । ନୀରଜଙ୍କ ସାହାଯ୍ୟ ନଦୀମଙ୍କୁ ଏକପ୍ରକାର ମେଡାଲ ଜିତାଇବାରେ ସାହାଯ୍ୟ କରିପାରିଛି ।

ଜାଭେଲିନ ଥ୍ରୋ ଫାଇନାଲରେ ପାକିସ୍ତାନର ନଦୀମ ଅର୍ଶଦ ଇତିହାସ ରଚିଛନ୍ତି । ଆଉ ପ୍ରଥମ ରାଉଣ୍ଡର ଦ୍ୱିତୀୟ ପ୍ରୟାସରେ ୯୨.୯୭ର ଥ୍ରୋ ମାରି ଅଲିମ୍ପିକ୍ସରେ ରେକର୍ଡ ଭାଙ୍ଗି ଦେଇଛନ୍ତି । ଏହା ପୂର୍ବରୁ ଅଲିମ୍ପିକ୍ସରେ ଏହି ରେକର୍ଡ ଥୋରକିଲ୍ଡସେନ୍ ଏଣ୍ଡ୍ରିୟାସଙ୍କ ନାଁରେ ଥିଲା, ଯିଏ ୨୦୦୮ ବେଜିଂ ଅଲିମ୍ପିକ୍ସରେ ୯୦.୫୭ ମିଟରର ଥ୍ରୋ ମାରିଥିଲେ । ସେହିପରି ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ପାକିସ୍ତାନର ଅର୍ଶଦ ନଦୀମ ୯୨.୯୭ ମିଟରର ଥ୍ରୋ ମାରି ଇତିହାସ ରଚିଛନ୍ତି । ଗତ କାଲି ଫାଇନାଲରେ ଅର୍ଶଦ ନିଜର ଶେଷ ଥ୍ରୋ ୯୧.୭୯ ମିଟର ମାରିଥିଲେ । ନିଜର ୬ ଥ୍ରୋରୁ ସେ ଦୁଇଟି ଥ୍ରୋ ୯୦ ମିଟରରୁ ଅଧିକ ମାରିଥିଲେ । ପାକିସ୍ତାନରେ ଏହା ପ୍ରଥମଥର ହୋଇଛି ଯେ ଅଲିମ୍ପିକ୍ସରେ ବ୍ୟକ୍ତିଗତ ଭାବେ କୌଣସି ଖେଳାଳି ସ୍ୱର୍ଣ୍ଣ ପଦକ ଜିତିଛି ।