ଯେବେ ସାମି କହିଥିଲେ… । ଦେଶକୁ ଧୋକା ଦେବା ଅପେକ୍ଷା ମରିବାକୁ ପ୍ରଥମେ ପସନ୍ଦ କରିବି । 

471

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ବଡ ବିଜୟ ହାସଲ କରିଥିଲା ପାକିସ୍ତାନ । ଆଉ ଏହି ବିଜୟ ପରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ସୋସିଆଲ ମିଡ଼ିଆରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ କିଛି ୟୁଜର୍ସ । ସାମିଙ୍କୁ ନେଇ ଧାର୍ମିକ ଟିପ୍ପଣୀ କରିବାକୁ ବି ପଛାଇ ନଥିଲେ ।

ଏସବୁ ଭିତରେ ସାମିଙ୍କର ଏକ ପୁରୁଣା ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ସାମି ଏମିତି କିଛି କହିଥିଲେ ଯାହା ଦେଶବାସୀଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ । ଭାଇରାଲ ହେଉଥିବା ଭିଡ଼ିଓରେ ସାମି କହିଥିଲେ, ଦେଶକୁ ଧୋକା ଦେବା ବଦଳରେ ମରିବାକୁ ମୁଁ ଅଧିକ ପସନ୍ଦ କରିବି । ୨୦୧୮ ମସିହାରେ ସାମିଙ୍କ ବ୍ୟକ୍ତିଗତ ଜୀବନରେ ଝଡ ସୃଷ୍ଟି ହୋଇଥିଲା । ପତ୍ନୀ ହସିନ ଜାହାଁ ସାମିଙ୍କ ଉପରେ ଘରୋଇ ଅତ୍ୟାଚାର, ଯୌତୁକ ନିର୍ଯାତନା, ମ୍ୟାଚ୍ ଫିକ୍ସିଂଙ୍କ ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ । ଆଉ ଏଭଳି ଅଭିଯୋଗକୁ ନେଇ ସାମି କହିଥିଲେ, ମୋ ଉପରେ ସବୁଠୁ ବଡ ଅଭିଯୋଗ ଆସିଛି । ଆଜି ନୁହେଁ, ଏବେ ବି ଯଦି ମୋ ମନରେ ଦେଶକୁ ଧୋକା ଦେବା ପାଇଁ ଭାବନା ଆସିବ ତେବେ ମୁଁ ପ୍ରଥମେ ମରିବାକୁ ପସନ୍ଦ କରିବି । ମୁଁ ଭାରତୀୟ ସେନାକୁ ବହୁତ ସମ୍ମାନ କରେ, ଯଦି ମୁଁ ମିଛ ପ୍ରମାଣିତ ହୁଏ ତେବେ ମୋତେ ଯାହା ଦଣ୍ଡ ଦେବ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ।

 

View this post on Instagram

 

A post shared by (@_cricket.special_)

ଏବେ ଟିମ୍ ଇଣ୍ଡିଆର ଷ୍ଟାର ବୋଲର ହେଉଛନ୍ତି ମହମ୍ମଦ ସାମି । ପ୍ରତି ଫର୍ମାଟରେ ଦ୍ରୁତ ବୋଲର ଭାବେ ସାମି ଟିମ୍ ଇଣ୍ଡିଆର ପ୍ରଥମ ପସନ୍ଦ । ନିଜର ଦମଦାର ବୋଲିଂ ଓ କିଛି ଆକର୍ଷଣୀୟ ଇନିଂସ ବଳରେ ଟିମ୍ ଇଣ୍ଡିଆକୁ ଅନେକଥର ବିଜୟ ଭେଟି ଦେଇଛନ୍ତି ସାମି ।  ତେବେ ପାକିସ୍ତାନ ବିପକ୍ଷ ମ୍ୟାଚରେ ସାମି ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ । ଆଉ ପାକିସ୍ତାନ ନିକଟରୁ ପ୍ରଥମଥର ପାଇଁ ବିଶ୍ୱକପରେ ପରାଜିତ ହୋଇଥିଲା ଟିମ୍ ଇଣ୍ଡିଆ । ଏହାପରେ ସାମିଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିବାକୁ ପଛାଇ ନଥିଲେ କିଛି ୟୁଜର୍ସ । କିନ୍ତୁ ସେତେବେଳେ ସାମିଙ୍କ ସମର୍ଥନରେ ବାହାରିଥିଲା ପୂରା ଦେଶ ।