ଯେବେ ଭୋ ଭୋ ହୋଇ କାନ୍ଦିଥିଲେ କୋହଲି । ଦିଲ୍ଲୀର ସାଥୀ ଖେଳାଳୀ କହିଲେ ପୁରୁଣା କାହାଣୀ ।

182

କନକ ବ୍ୟୁରୋ : ଆଇପିଏଲ ୨୦୨୨ରେ ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଆରସିବି ପାଇଁ ସେଭଳି ବଡ ସ୍କୋର କରିବାରେ ବିଫଳ ହୋଇଥିଲେ କୋହଲି ।  ଏପରିକି ୨୦୨୨ ଆଇପିଏଲରେ ଲଗାତାର ୩ ଥର ଶୂନ ରନରେ ଆଉଟ ହେବା ପ୍ରଂଶସକଙ୍କୁ ବହୁତ ନିରାଶ କରିଥିଲା । ଏସବୁ ଭିତରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କମବ୍ୟାକ୍ କରିବେ କୋହଲି । ଆଉ ଏସବୁ ଭିତରେ ବିରାଟଙ୍କ ସାଥୀ ଖେଳାଳୀ  ତଥା ଗୁଜୁରାଟ ଟାଇଟନ୍ସର ବୋଲର ପ୍ରଦୀପ ସଙ୍ଗୱନ କୋହଲିଙ୍କୁ ନେଇ ଏକ ପୁରୁଣା କଥାକୁ ମନେ ପକାଇଛନ୍ତି । ସଙ୍ଗୱନ ଓ କୋହଲି ୧୭ ବର୍ଷରୁ କମ ଦିଲ୍ଲୀ ଟିମ ପକ୍ଷରୁ ଖେଳୁଥିବା ବେଳେ  ଟିମର କୋଚ ବିରାଟଙ୍କ ସହ ମଜା କରିବାକୁ ଯୋଜନା କରିଥିଲେ ।

ସଙ୍ଗୱନ ଏକ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ଯେତେବେଳେ ଆମେ ଦିଲ୍ଲୀ ଟିମରୁ ଖେଳୁଥିଲୁ ସେତେବେଳେ କୋହଲି କିଛି ଇନିଂସରେ ରନ୍ କରିବାରେ ବିଫଳ ହୋଇଥିଲେ । ଦଳର କୋଚ ଅଜିତ ଚୌଧୁରୀ କୋହଲିଙ୍କୁ ଚିକୁ ବୋଲି ଡାକୁଥିଲେ । ବିରାଟ ମଧ୍ୟ ଦିଲ୍ଲୀ ଦଳର ମୁଖ୍ୟ କୋଚ ଥିଲେ । ସେତେବେଳେ  ଅଜିତ କୋହଲିଙ୍କ ବ୍ୟତୀତ ଅନ୍ୟ ଖେଳାଳୀଙ୍କୁ ଏକାଠି କରି କୋହଲି ଆଗାମୀ ମ୍ୟାଚ୍ ଖେଳିବେ ନାହିଁ ବୋଲି କହିଥିଲେ । କିନ୍ତୁ ଏହା ବିରାଟଙ୍କୁ ବୋକା ବନାଇବା ପାଇଁ ଥିଲା । ଦଳର ସମସ୍ତ ଖେଳାଳୀ ଏହି ପ୍ଲାନରେ ମଧ୍ୟ ସାମିଲ ହୋଇଥିଲେ ।

ଦଳୀୟ ବୈଠକରେ ଟିମ୍ ଘୋଷଣା ହୋଇଥିଲା କିନ୍ତୁ ବିରାଟଙ୍କ ନାଁ ଅଜିତ୍ ନେଇନଥିଲେ ।  ଆଉ ଏହାପରେ ବିରାଟ ନିଜ ରୁମକୁ ଯାଇ ବହୁତ କାନ୍ଦିଥିଲେ । ପରେ କୋଚ୍ ଅଜିତଙ୍କୁ ଫୋନ୍ କରି ବିରାଟ କହିଥିଲେ ମୁଁ ତ ଭଲ ପ୍ରଦର୍ଶନ କରୁଛି । କେଉଁ ମ୍ୟାଚରେ ୨୦୦ ତ ପୁଣି କେଉଁ ମ୍ୟାଚରେ ୨୫୦ ରନ୍ କରିଥିଲି । ସେହି ସିଜିନରେ ବିରାଟ ବଡ ସ୍କୋର କରିଥିଲେ  । ଏପରିକି ସେତେବେଳେ ବିରାଟ ଏତେ ଭାବୁକ ହୋଇଯାଇଥିଲେ ଯେ, ନିଜର ପିଲାଦିନର କୋଚଙ୍କୁ ଫୋନ୍ କରିଥିଲେ ।

ଏହି ଖବର ଶୁଣିବା ପରେ କୋହଲି ତୁରନ୍ତ ସଙ୍ଗୱନଙ୍କ ପାଖରେ ପହଞ୍ଚିବା ପରେ ନିଜର ପ୍ରଦର୍ଶନ ବାବଦରେ ପଚାରିଥିଲେ । ସେତେବେଳେ ହିଁ ସଙ୍ଗୱନ ପୂରା ଘଟଣା ଉପରୁ ପରଦା ହଟାଇଥିଲେ ଏବଂ କହିଥିଲେ ଆମେ ସମସ୍ତେ ତୁମ ସହ ମିଶି ମଜାକ କରିଥିଲୁ ।