ଖାଲି ଆଖିରେ ଦେଖାଯିବ ଧୂମକେତୁ, ୨୩ ବର୍ଷ ପରେ ବିରଳ ସୁଯୋଗ…ଧୂମକେତୁ କ’ଣ ଓ କେଉଁଠୁ ଆସେ?

707

କନକ ବ୍ୟୁରୋ: ଚଳିତ ଶତାବ୍ଦୀରେ ପ୍ରଥମ କରି ଖାଲି ଆଖିରେ ଧୂମକେତୁ ଦେଖିବାର ବିରଳ ସୁଯୋଗ ସୃଷ୍ଟି ହୋଇଛି। ଦୃଶ୍ୟମାନ ହୋଇଥିବା ଏହି ଧୂମକେତୁଟି ହେଉଛି ‘ସି/୨୦୨୦ ଏଫ୍-୩’। ଗତ ୩ ତାରିଖରେ ସୂର୍ଯ୍ୟଙ୍କଠାରୁ ସବୁଠୁ ନିକଟରେ ତଥା ୪.୪ କିଲୋମିଟରକୁ ଏହି ଧୂମକେତୁଟି ଆସିଥିଲା। ଜୁଲାଇ ୨୨ ତାରିଖରେ ୧୦.୩ କୋଟି କିଲୋମିଟର ଦୂରତାରେ ଏହା ପୃଥିବୀର ନିକଟତମ ହେବ। ଏହାକୁ ଲୋକେ ଖାଲି ଆଖିରେ ଦେଖିପାରିବେ।

ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ ସୂର୍ଯ୍ୟଠାରୁ ୩୧.୨କୋଟି କିଲୋମିଟର ଦୂରରେ ଥିବା ସମୟରେ ‘ସି/୨୦୨୦ ଏଫ୍-୩’ ଧୂମକେତୁକୁ ଗତ ମାର୍ଚ୍ଚ ୨୭ ତାରିଖରେ ‘ନିଓୱାଇଜ୍’ ଦୂରବୀକ୍ଷଣ ଦ୍ବାରା ଆବିଷ୍କାର କରାଯାଇଥିଲା। ସେତେବେଳେ ଏହା କେବଳ ଅତି ବଡ଼ ଦୂରବୀକ୍ଷଣରେ ଦୃଶ୍ୟମାନ ହୋଇଥିଲା। ମାତ୍ର ହଠାତ୍ ଜୁଲାଇ ଆରମ୍ଭରୁ ଏହା ଖାଲି ଆଖିରେ ଦେଖାଦେବା ଆରମ୍ଭ କରିଛି। ଏହା ପୂର୍ବରୁ ଯଦିଓ ଧୂମକେତୁ ‘ଆଟଲାସ’ ଓ ‘ସ୍ବାନ୍’ ଆସିଥିଲା କିନ୍ତୁ ଖାଲି ଆଖିରେ ଦେଖି ହୋଇନଥିଲା। ମାତ୍ର ସି/୨୦୨୦ ଏଫ୍-୩ ଦେଖା ଦେବା ଭଳି ଏକ ଆକସ୍ମିକ ଘଟଣା ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଛି।

ଡ. ପଟ୍ଟନାୟକଙ୍କ କହିବା ମୁତାବକ, ୧୯୯୭ ମସିହାରେ ଶେଷଥର ପାଇଁ ‘ହେଲ୍ ବଫ୍’ ଧୂମକେତୁ ଖାଲି ଆଖିକୁ ଦେଖାଯାଇଥିଲା। ଏବେ ବାୟୁ ପ୍ରଦୂଷଣ ନଥିବା କିଛି ସ୍ଥାନରେ ଖାଲି ଆଖିରେ ସି/୨୦୨୦ ଏଫ୍-୩ ଦେଖାଗଲାଣି। ସୂର୍ଯ୍ୟାସ୍ତ ପରେ ଉତ୍ତର-ପଶ୍ଚିମ ଦିଗ୍ବଳୟ ନିକଟରେ ଅଳ୍ପ ସମୟ ପାଇଁ ଦେଖାଯାଉଛି। ଚଳିତ ମାସ ୧୨ ତାରିଖ ସନ୍ଧ୍ୟାରେ ଅଧଘଣ୍ଟା ଧରି ଉତ୍ତର-ପଶ୍ଚିମ ଦିଗ୍ବଳୟର ୨୦ ଡିଗ୍ରି ଉପରେ ଦେଖାଯିବ। ସବୁ ଦିନ ଧୀରେଧୀରେ ଏହା ଉପର ଆଡ଼କୁ ଗତି କରି ମାସ ଶେଷରେ ଦିଗ୍ବଳୟର ପ୍ରାୟ ୪୦ଡିଗ୍ରି ଉପରେ ପହଞ୍ଚିବ। ସେହି ସମୟରେ ସପ୍ତର୍ଷିମଣ୍ଡଳର ନିକଟରେ ରହିବ ଏବଂ ପ୍ରାୟ ୧ ଘଣ୍ଟା ଧରି ଦେଖାଯିବ। ସୂର୍ଯ୍ୟଠାରୁ ଦୂରେଇ ଯାଉଥିବା ଯୋଗୁଁ ଧୀରେଧୀରେ ଏହାର ଉଜ୍ଜ୍ବଳତା କମିଯିବ। ଫଳରେ ଜୁଲାଇ ୩୦ ତାରିଖ ପରେ ଖାଲି ଆଖିକୁ ଦେଖାଯିବ ନାହିଁ। ଉତ୍ତର ପଶ୍ଚିମ ଦିଗ୍ବଳୟ ମେଘ, ଧୂଳି ଓ ସହର ଆଲୋକରୁ ମୁକ୍ତ ରହିଲେ ଧୂମକେତୁଟି ଜୁଲାଇ ୧୨ରୁ ୩୦ ତାରିଖ ମଧ୍ୟରେ ଖାଲି ଆଖିରେ ଦେଖି ହେବ। ଏହାବ୍ୟତୀତ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାରରେ ଏହା ଦେଖିହେବ। ଗ୍ରାମାଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀମାନେ ଏପରି ବିରଳ ସୁଯୋଗ ହାତଛଡ଼ା କରନ୍ତୁ ନାହିଁ ବୋଲି ଡ. ପଟ୍ଟନାୟକ କହିଛନ୍ତି।

ଧୂମକେତୁ କ’ଣ ଓ କେଉଁଠୁ ଆସେ?

ଧୂମକେତୁ ବା ଲଞ୍ଜାତାରା ହେଉଛି ବିରାଟ ଲାଞ୍ଜ ଥିବା ତାରା। ଲକ୍ଷଲକ୍ଷ ସଂଖ୍ୟକ ଧୂମକେତୁ ସୂର୍ଯ୍ୟ ଚାରିପାଖରେ ଉପବୃତ୍ତାକାର କକ୍ଷ ପଥରେ ଘୂରି ବୁଲୁଛନ୍ତି। ସୂର୍ଯ୍ୟ ଚାରିପାଖରେ ଥରେ ବୁଲିବାକୁ କେତେକଙ୍କୁ ଅଳ୍ପ କିଛି ବର୍ଷ ଲାଗୁଥିବା ବେଳେ ଆଉ କେତେକଙ୍କୁ ବହୁ ବର୍ଷ ଲାଗିଥାଏ। ତେଣୁ ଧୂମକେତୁ ଥରେ ସୂର୍ଯ୍ୟ ନିକଟକୁ ଆସି ଦେଖା ଦେଇ ଚାଲିଗଲା ପରେ ଆଉ ଥରେ ଫେରିବାକୁ ଅନେକ ବର୍ଷ ନିଅନ୍ତି। ‘ହାଲି’ ନାମକ ଧୂମକେତୁ ୭୬ ବର୍ଷ ବ୍ୟବଧାନରେ ଦେଖାଯାଏ। ଏହା ପୁଣି ୨୦୬୧ ମସିହାରେ ଦେଖାଯିବ। ଧୂମକେତୁଗୁଡ଼ିକ କିଛି କିଲୋମିଟର ବ୍ୟାସର ପଥର, ବରଫ ଓ ଧୂଳିର କଠିନ ପିଣ୍ଡ। ଅତ୍ୟନ୍ତ ଥଣ୍ଡା ଅବସ୍ଥାରେ ସୂର୍ଯ୍ୟ ଚାରିପାଖେ ବୁଲୁଥାଏ। ସୂର୍ଯ୍ୟ ନିକଟକୁ ଆସିଲେ ତାହା ତରଳି ଯାଇ ବାଷ୍ପ ଓ ଧୂଳିର ବିରାଟ ଲାଞ୍ଜ ସଦୃଶ ସୃଷ୍ଟି ହୁଏ।