ଓଜେଇଇ କେବେ ? ଆସନ୍ତା ୯ରୁ ୧୫ ମଧ୍ୟରେ କରିବାକୁ ଯୋଜନା ଥିଲା; ଆଡମିଟ୍‌ କାର୍ଡ ଆସିନି, ଦ୍ୱନ୍ଦ୍ୱରେ ପରୀକ୍ଷାର୍ଥୀ

117

କନକ ବ୍ୟୁରୋ : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା କେବେ ହେବ ? ସେପ୍ଟେମ୍ବର ନା ଅକ୍ଟୋବରରେ କରାଯିବ ? ଯଦି ଏବେ ପରୀକ୍ଷା କରାଯାଏ ତେବେ କିଭଳି ହେବ  । ଅନ୍‌ଲାଇନ୍‌ରେ ହେବ ନା ଅଫ୍‌ଲାଇନ୍‌ରେ ? ବିଧିବଦ୍ଧ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଆସନ୍ତା ୯ରୁ ୧୫ତାରିଖ ମଧ୍ୟରେ ଓଜେଇଇ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ରାଜ୍ୟର ସମସ୍ତ ସରକାରୀ ଆଇଟିଆଇ ଓ ପଲିଟେକ୍‌ନିକ୍‌ରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯିବା ସହ ଭିତ୍ତିଭୂମି ଯାଞ୍ଚ କରିବାକୁ ବୈଷୟିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା ।

ଦୁଇ ଦିନ ପରେ ସେପ୍ଟେମ୍ବର ୯ ତାରିଖ ହେବାକୁ ଯାଉଛି। ତା’ପରେ ବି ପରୀକ୍ଷା କେବେ ହେବ ସେନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କି ଓଜେଇଇ ପକ୍ଷରୁ କୌଣସି ସୂଚନା ଦିଆଯାଉ ନାହିଁ। ଏହାକୁ ନେଇ ୭୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଗୋଟିଏ ପଟେ ଆଜି ଜେଇଇ ମେନ୍‌ ପରୀକ୍ଷା ଶେଷ ହୋଇଥିବା ବେଳେ ଅନ୍ୟପଟେ ୧୩ ତାରିଖରେ ନିଟ୍‌ ପରୀକ୍ଷା ହେବାକୁ ଯାଉଛି। ଏଭଳି ସମୟରେ ଓଜେଇଇ ବିଳମ୍ବକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଆଶଙ୍କା ବଢ଼ୁଛି। ୯ ତାରିଖରେ ପରୀକ୍ଷା ଦେବା ଲାଗି ଛାତ୍ରଛାତ୍ରୀ ପ୍ରସ୍ତୁତ ହୋଇ ରହିଥିବା ବେଳେ ଏପର୍ଯ୍ୟନ୍ତ ଆଡମିଟ୍‌ କାର୍ଡ ରିଲିଜ୍‌ ହୋଇ ନ ଥିବାରୁ ପରୀକ୍ଷା ବିଳମ୍ବ ହେବା ଏକପ୍ରକାର ଥୟ ହୋଇଯାଇଛି।

ଅନ୍ୟପକ୍ଷରେ ଏଥର ଓଡ଼ିଶା ଓ ରାଜ୍ୟ ବାହାରରେ ଓଜେଇଇ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଭିତରେ ୨୧ଟି ଓ ବ‌ାହାରେ ୩ଟି ସହରରେ ପରୀକ୍ଷା କେନ୍ଦ୍ର କରାଯିବ। କରୋନାକୁ ଦୃଷ୍ଟିରେ ରଖି ଅନୁଗୁଳ, ବାଲେଶ୍ବର, ବରଗଡ଼, ବାରିପଦା, ବ୍ରହ୍ମପୁର, ଭଦ୍ରକ, ଭୁବନେଶ୍ବର, କଟକ, ଢେଙ୍କାନାଳ, ଜୟପୁର, ଝାରସୁଗୁଡ଼ା, କେନ୍ଦୁଝର, ରାୟଗଡ଼ା, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ପାରଳାଖେମୁଣ୍ଡି, ଜଗତ୍‌ସିଂହପୁର, ଯାଜପୁର, ନୟାଗଡ଼, ଫୁଲବାଣୀ ସହରରେ ପରୀକ୍ଷା କେନ୍ଦ୍ର କରାଯିବ। ରାଜ୍ୟ ବାହାରେ ବିହାରର ପାଟଣା, ଝାଡ଼ଖଣ୍ଡର ରାଞ୍ଚି ଓ ପଶ୍ଚିମବଙ୍ଗର କୋଲକାତା ସହରରେ ପରୀକ୍ଷା କେନ୍ଦ୍ର କରିବାକୁ ଓଜେଇଇ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ତେବେ ବର୍ତମାନ ସମୟରେ ଭୁବନେଶ୍ବର ସ‌ମେତ ରାଜ୍ୟର କେତେକ ସହରରେ କରୋନା ସଂକ୍ରମଣ ଉପରମୁହାଁ ରହିଥିବାରୁ ଏବେ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଇବା ସମ୍ଭବପର ନୁହେଁ। କୋଲକାତାରେ ବି ଲକ୍‌ଡାଉନ୍‌ ଜାରି ରହିଥିବାରୁ ସେଠାରେ ବି ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ଏଭଳି ସମୟରେ ରାଜ୍ୟ ସରକାର ଅନ୍‌ଲାଇନ୍‌ରେ ଓଜେଇଇ କରିପାରିବେ। ତେବେ ଏଥିପାଇଁ ଭିତ୍ତିଭୂମି ଓ ସମୟର ଅଭାବ ରହିଛି।

ବୈଷୟିକ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କେବେ ପରୀକ୍ଷା ହେବ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ସେପ୍ଟେମ୍ବର ୯ରୁ ଯେଉଁ ହେବା କଥା କୁହାଯାଉଥିଲା ତାହା କେବଳ ଯୋଜନା ଥିଲା। ଭିତ୍ତିଭୂମି ଯାଞ୍ଚ ଲାଗି ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। କୌଣସି ପ୍ରକାର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ଥିଲା କି ପିଲାଙ୍କୁ ସୂଚନା ଦିଆଯାଇ ନ ଥିଲା। ପରୀକ୍ଷା କେବେ ‌ହେବ ସେନେଇ କହିବା ଏବେ ସମ୍ଭବପର ନୁହେଁ। ତଥାପି ଚଳିତ ମାସ ଶେଷ ନ ହେଲେ ଅକ୍ଟୋବର ପ୍ରଥମ ସପ୍ତାହ ଆଡ଼କୁ ପରୀକ୍ଷା କରାଯାଇପା‌ରେ। ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ଆମେ କାମ କରୁଛୁ। କୋଭିଡ୍‌-୧୯ ସମୟରେ ଛାତ୍ରଛାତ୍ରୀ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ଅଧିକ ସହରରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ହୋଇଛି।