ଦିଲ୍ଲୀରୁ ପଲ୍ଲୀକୁ ଆସି ପାରୁନି କଂଗ୍ରେସର ଫାଇନାଲ ଟିକେଟ । ସମୟ ବିତୁଛି, ଆଶାୟୀଙ୍କ ଟେନସନ ବଢୁଛି । 

232

କନକ ବ୍ୟୁରୋ : କଂଗ୍ରେସ ରାଜନୀତିକୁ ନେଇ ସର୍ବଦା ଚର୍ଚ୍ଚା ହୋଇଥାଏ । ପିସିସି ସଭାପତି ନିଯୁକ୍ତି ଠାରୁ ଆରମ୍ଭ କରି ନିର୍ବାଚନ ଲଢିବା ପର୍ଯ୍ୟନ୍ତ ସବୁବେଳେ ରାଜ୍ୟବାସୀଙ୍କ ଫୋକସରେ ଥାଏ କଂଗ୍ରେସ ।  ଠିକ୍ ସେହିଭଳି ପୁଣିଥରେ କଂଗ୍ରେସ ରାଜନୀତିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ରାଜଧାନୀର ହାଡଭଙ୍ଗା ଶୀତକୁ ଏବେ ଉଷୁମ କରୁଛି କଂଗ୍ରେସ ରାଜନୀତି । ପୂର୍ବରୁ କଂଗ୍ରେସ ଟିକେଟ କିଏ ପାଇବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ କଂଗ୍ରେସ ଟିକେଟ କୁଆଡେ ଗଲା ବୋଲି ଗାଁ ଗହଳି ଠାରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ଜୋର ଧରିଛି ଚର୍ଚ୍ଚା । ସାଧାରଣ ଲୋକଟିଏ ମଧ୍ୟ ଏବେ ପଚାରୁଛି ‘କୁଆଡେ ଗଲା କଂଗ୍ରେସ ଟିକେଟ’?

ପିସିସି ସଭାପତି ଦାୟିତ୍ୱ ନେବା ପରେ ଅଗଷ୍ଟ ଶେଷ ସୁଦ୍ଧା ୫୦ ପ୍ରତିଶତ ପ୍ରାର୍ଥୀଙ୍କ ଟିକେଟ ଘୋଷଣା କରାଯିବ ବୋଲି କହିଥିଲେ ନିରଞ୍ଜନ ପଟ୍ଟନାୟକ । କିନ୍ତୁ ଅଗଷ୍ଟ ବଦଳରେ ଅକ୍ଟୋବରରେ ପିଇସି ବୈଠକରେ ବନ୍ଦ ଲଫାପାରେ ପାଖାପାଖି ୪୪ ଜଣ ସାମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଥିଲା କଂଗ୍ରେସ । ଯେଉଁ ତାଲିକାରେ ସମସ୍ତ ବିଧାୟକଙ୍କ ସମେତ କିଛି ହେଭିୱେଟ ନେତାଙ୍କ ନାଁ ରହିଥିଲା । ଯାହାକୁ ସ୍କ୍ରିନିଂ କମିଟିକୁ ପଠାଇଥିଲେ କଂଗ୍ରେସ ମଙ୍ଗୁଆଳ । ଓଡିଶାରୁ ସିନା ନାଁ ଗଲା କିନ୍ତୁ ଟିକେଟ ଫାଇନାଲ ଦିଲ୍ଲୀରେ ହେବ ବୋଲି କୁହାଗଲା । କାରଣ ସ୍କିନିଂ କମିଟିରେ ଆଲୋଚନା ପରେ ଟିକେଟ ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଗଲା ।

କିନ୍ତୁ ପାଖାପାଖି ଦେଢ ମାସ ବିତିଯିବା ପରେ ମଧ୍ୟ ଏଯାଏଁ ଦିଲ୍ଲୀରୁ ପଲ୍ଲୀକୁ ପ୍ରାର୍ଥୀଙ୍କ ଚୁଡାନ୍ତ ତାଲିକା ଆସି ପାରିନାହିଁ । ଯାହାକୁ ନେଇ ଏବେ କଂଗ୍ରେସ କର୍ମୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଲାଣି, କୁଆଡେ ଗଲା କଂଗ୍ରେସ ଟିକେଟ । ଏପରିକି ଯେଉଁ ନେତା ମାନଙ୍କ ତାଲିକାରେ ନାଁ ଯାଇଛି ସେମାନଙ୍କର ଆଶଙ୍କା ମଧ୍ୟ ବଢି ଚାଲିଛି ବୋଲି ଶୁଣିବାକୁ ମିଳୁଛି । ନାଁ ସିନା ପାସ୍ ହୋଇଯାଇଛି କିନ୍ତୁ ହାଇକମାଣ୍ଡଙ୍କ ପକ୍ଷରୁ ଗ୍ରୀନ ସିଗନାଲ ଏଯାଏଁ ମିଳିନି । ଆଉ ଏଭଳି ସ୍ଥଳେ କିଛି ରାଜ୍ୟସ୍ତରୀୟ ନେତା କଂଗ୍ରେସ ଟିକେଟ ହାଇଜାକ କରିବାକୁ ଯୋଜନା ଚଳାଇଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ଆଗୁଆ ପ୍ରାର୍ଥୀ ଘୋଷଣା କରି ଅନ୍ୟ ଦଳକୁ ଚେକମେଟ ଦେବାକୁ ନିରଞ୍ଜନ ଯେଉଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ସେଥିରେ ଏବେ କଣ୍ଟା ହୋଇ ଛିଡା ହୋଇଛନ୍ତି କିଛି ଆଶାୟୀ ନେତା । କାଳେ ଆଗୁଆ ଟିକେଟ ଘୋଷଣା କରିଦେଲେ ଦଳରେ ଅନ୍ତଃକନ୍ଦଳ ସୃଷ୍ଟି ହେବ ସେ ଭୟ ମଧ୍ୟ ନିରଞ୍ଜନଙ୍କୁ ଘାରିଥିବା ଚର୍ଚ୍ଚା ହେଉଛି । ପିସିସି ସଭାପତି ହେବା ପରେ ରାଜ୍ୟରେ କଂଗ୍ରେସ ଆକ୍ସନ ମୋଡକୁ ଆସିଛି । ତେଣୁ ଏଭଳି ପରିସ୍ଥିତିରେ ଦଳକୁ ସଙ୍ଗଠିତ କରିବାକୁ ଚାହୁଁଛନ୍ତି ନିରଞ୍ଜନ । ଯେଉଁଥିପାଇଁ କାହାକୁ ଅସନ୍ତୁଷ୍ଟ କରିବା ମୁଡରେ ନିରଞ୍ଜନ ନଥିବା ଚର୍ଚ୍ଚା ହେଉଛି ।

ଏହାଛଡା ଯେଉଁ ପ୍ରାର୍ଥୀ ତାଲିକା ସ୍କ୍ରିନିଂ କମିଟିକୁ ପଠାଯାଇଛି ସେଥିରେ ସମସ୍ତ ବିଧାୟକଙ୍କ ନାଁ ରହିଥିଲା ବୋଲି କୁହାଯାଉଥିଲା । କିନ୍ତୁ ଏହାପରେ ମଧ୍ୟ କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣ ସଗରିଆ ନିଜ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଏପରିକି ଅନ୍ୟ କିଛି ବିଧାୟକ ମଧ୍ୟ କଂଗ୍ରେସର ହାତ ଛାଡିବାକୁ ଗୋଡ କାଢି ବସିଥିବା ବଜାର ଘାଟରେ ଶୁଣିବାକୁ ମିଳୁଛି । ତେଣୁ କାଳେ ଟିକେଟ ଘୋଷଣା କରିଦେଲେ କିଛି ନେତା ଦଳ ଛାଡିଦେବେ ତାହାର ଭୟ ମଧ୍ୟ କଂଗ୍ରେସକୁ ଘାରିଥିବା କିଛି ଚର୍ଚ୍ଚା ହେଉଛି ।  ତେଣୁ ଏଭଳି ସ୍ଥିତିରେ କଂଗ୍ରେସ ଟିକେଟ ଘୋଷଣା କରି ପାରିବାର ସାହାସ ଜୁଟାଇ ପାରୁନାହିଁ ବୋଲି ଚର୍ଚ୍ଚା ହେଉଛି । ଯାହା ଆଶାୟୀଙ୍କ ହାର୍ଟବିଟକୁ ବଢାଇଚାଲିଛି । ଏସବୁ ଭିତରେ ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ଥିବା ବେଳେ କେବେ ଦିଲ୍ଲୀରୁ ଫାଇନାଲ ଟିକେଟ ଆସୁଛି ତାହା ଉପରେ ଆଶାୟୀଙ୍କ ନଜର ରହିଛି ।