ଶ୍ମଶାନରେ ଶବ ସତ୍କାର କରୁଥିବା ବେଳେ ଭୁଶୁଡି ପଡିଲା ଶ୍ମଶାନର ଛାତ । ଘଟଣା ସ୍ଥଳରେ ୧୬ ମୃତ

1,364

କନକ ବ୍ୟୁରୋ : ମୃତ୍ୟୁ କାହାପାଇଁ ଯେ କେତେବେଳେ ଆସିବ ତାହା କହିବା ବା ଅନୁମାନ କରିବା ମାନବ ଦ୍ୱାରା ଜମା ବି ସମ୍ଭବପର ନୁହେଁ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିିଳିଛି ଉତ୍ତରପ୍ରଦେଶ ଗାଜିଆବାଦର ଏକ ମଶାଣୀରେ । ଏଠାରେ ଏକ ବଡଧରଣର ଦୁର୍ଘଟଣା ଘଟିଛି। ଶ୍ମଶାନର ଛାତ ଭୁଶୁଡି ପଡିବାରୁ ଶବଦାହ କରିବାକୁ ଆସିଥିବା ଲୋକମାନଙ୍କ ମଧ୍ୟରୁ ଛାତତଳେ ଚାପି ହୋଇ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାସହ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ପୋଲିସ ଅନୁମାନ ଲଗାଇଛି ।
ସୂଚନା ମୁତାବକ ଗାଜିଆବାଦ ପୋଲିସ ଷ୍ଟେସନର ମୁରାଦନଗର ଅଞ୍ଚଳରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି । ଆଜି ସକାଲେ ମୁରାଦନଗରର ଶ୍ମାଶାନକୁ କିଛି ଲୋକ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିବାକୁ ଆସିଥିଲେ । ଏହି ସମୟରେ ବର୍ଷା ଆରମ୍ଭ ହୋଇଥିଲା । ଲୋକମାନେ ବର୍ଷାରୁ ରକ୍ଷା ପାଇବାକୁ ଶ୍ମଶାନ ଛାତ ତଳେ ଆଶ୍ରୟ ନେଇଥିବା ବେଳେ ହଠାତ ଛାତ ଭାଙ୍ଗିବା ଆରମ୍ଭ ହୋଇଥିଲା । କେହି କିଛି ବୁଝିବା ଆଗରୁ ଛାତ ତଳେ ରହିଥିବା ଲୋକମାନଙ୍କ ଉପରେ ଛାତଟି ପଡି ଯାଇଥିଲା ଓ ଲୋକମାନେ ଚାପି ହୋଇଯାଇଥିଲେ । ପୋଲିସ ଓ ଏନଡିଆରଏଫ୍ ଟିମ୍ ସୂଚନା ପାଇ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଖବର ଲେଖାହେବା ଯାଏ ଛାତ ତଳୁ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହା ସହ ଅନେକ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଯାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାସହ ପୋଲିସ ଅନୁମାନ ଲଗାଇଛି କି ଛାତ ତଳେ ଆହୁରି କିଛି ଲୋକ ରହିଛନ୍ତି ।