ଜୀବନ ବଂଚାଇବାକୁ ଆସିଲେ , ଜୀବିକା ବୁଡିଗଲା । ଭୋକ ଉପାସରେ ଏଠି କେତେ ଦିନ ବି ରହିପାରିବେ ? ସଜଡା ହେଲାଣି ବ୍ୟାଗ…ଏବେ ପୁଣି ସୁରଟ ଅଭିମୁଖେ ବାହାରିଲାଣି ଓଡିଆ ପୁଅ

141

କନକ ବ୍ୟୁରୋ : ଦୀର୍ଘ ୧୫ ବର୍ଷ ହେଲା ପେଟପାଟଣା ପାଇଁ ସୁଦୂର ସୁରଟରେ କାମ କରୁଛନ୍ତି ବସନ୍ତ । ପରିବାର ସହ ସେଠାରେ ରହି ଦୁଃଖ କଷ୍ଟରେ ଦିନ କଟାଉଥିଲେ । ଦିନକୁ ପ୍ରାୟ ୪୦୦ ଟଙ୍କା ହିସାବରେ ମାସକୁ ତାଙ୍କ ଆୟ ପ୍ରାୟ ୧୨ ହଜାର ଟଙ୍କା ହୋଇଯାଏ । ଫଳରେ ଅଭାବ ସତ୍ୱେ ବି କଷ୍ଟେମଷ୍ଟେ କଟିଯାଏ ଦିନ । ତଥାପି ମନ ଭିତରେ ଏତିକି ଆଶ୍ୱସ୍ତି ଥାଏ ଯେ, ହାତରେ କାମ ଅଛି । କିନ୍ତୁ ଏବେ ବଦଳିଯାଇଛି ଚିତ୍ର । କରୋନା କଟକଣାରେ ଦୁଇ ମାସର ସଂଘର୍ଷ ପରେ ଗାଁକୁ ଫେରି ଆସିଥିଲେ ଜୀବନ ବଂଚାଇବା ପାଇଁ, କିନ୍ତୁ ବୁଡିଗଲା ଜୀବିକା ।
ଏବେ ପୁଣି ଥରେ କର୍ମକ୍ଷେତ୍ରକୁ ଯିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସଜଡା ହେଇଛି ବ୍ୟାଗ୍ । ଆନୁସଙ୍ଗିକ ଜିନିଷ ଧରି ପୁଣି ଥରେ ସୁରଟ ଅଭିମୁଖେ ଯାତ୍ରା କରିବେ ବସନ୍ତ । ଟ୍ରେନ ଟିକେଟ ବି କରିସାରିଲେଣି । ସେଠାରେ ପହଂଚି ଗଲେ ଯାହା ବି କାମ ମିଳିବ ସେଥିରୁ ରୋଜଗାର କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ । କାରଣ ଏଠାରେ ଧାର ଉଧାରରେ ଚାଲିଛି ସଂସାର । ଦୈନିକ ଖର୍ଚ୍ଚ ପାଇଁ ମଧ୍ୟ ଗାଁରେ ସର୍ବନିମ୍ନ ରୋଜଗାର ନାହିଁ ।

ସ୍ୱାମୀ ଫେରିଯିବେ ସୁରଟ । କରୋନାର ପ୍ରତିକୂଳ ସ୍ଥିତିରେ ଘର ଚଳାଇବା ଏତେ କଷ୍ଟକର ତାହା ମର୍ମେ ମର୍ମେ ଅନୁଭବ କରିଛନ୍ତି ବସନ୍ତଙ୍କ ପତ୍ନୀ । ଦୀର୍ଘ ଦିନ ଧରି ସୁରଟରେ ବି ବଡ କଷ୍ଟରେ ଦିନ ବିତାଇଥିଲେ ସେମାନେ । ସେଠାରୁ ବହୁ କଷ୍ଟରେ ୨ ହଜାର ଟଙ୍କାର ଟିକେଟ ଖର୍ଚ୍ଚ ଦେଇ ଗାଁକୁ ଫେରିଥିଲେ । କିନ୍ତୁ ଏଠାରେ ବି କୌଣସି ରୋଜଗାର ମିଳିଲା ନାହିଁ । ଫଳରେ ପୁଣି ଏବେ ବସନ୍ତ ସୁରଟ ମୁହାଁ । ଅନ୍ୟପଟେ ସେଠାରେ କିଛି ଦିନ କାମ କରିବା ପରେ ଟଙ୍କା ପଠାଇଲେ ପତ୍ନୀ ଓ ଝିଅ ବି ଫେରିଯିବେ ସୁରଟ । ସେଠାରେ ପାଢପଢୁଥିବା ଝିଅର ସ୍କୁଲ ଖୋଲିବାକୁ ସେମାନଙ୍କ ଅପେକ୍ଷା ।

ଜୀବନ ଓ ଜୀବିକାରୁ ନେଇ ସନ୍ଦିହାନ ଏବେ ବସନ୍ତ । କିନ୍ତୁ ପରିବାର ଚିନ୍ତାରେ ସେ ସୁରଟ ମୁହାଁ । ଏଠାରେ ବି କଷ୍ଟକର ହୋଇଛି ଜୀବନ, ସେଠାରେ ବି କଷ୍ଟକର ହେବ ଜୀବନ । କିନ୍ତୁ ଗାଁ ମାଟିରେ ରୋଜଗାର ବାଟ ନଥିବା ବେଳେ ସୁରଟରେ ଦି ପଇସା ପାଇବାର ଆଶାର ରହିଛନ୍ତି ଏହି ପ୍ରବାସୀ ଶ୍ରମିକ ।