ବେଲରେ ଆସିଲେ, ଉଦ୍ଧବଙ୍କ ଉପରେ ବର୍ଷିଲେ : ସୁପ୍ରିମକୋର୍ଟଙ୍କ ଠାରୁ ଜାମିନ ପାଇ ଜେଲରୁ ବାହାରିଲେ ଅର୍ଣ୍ଣବ ଗୋସ୍ୱାମୀ; କହିଲେ, ଇଏ ଆରମ୍ଭ ଆଗକୁ ଜାରି ରହିବ ଲଢ଼େଇ

କୋର୍ଟ କହିଲେ ବ୍ୟକ୍ତିଗତ ସ୍ୱାଧୀନତା ସବୁଠୁ ବଡ

449

କନକ ବ୍ୟୁରୋ : ବେଲରେ ଆସିଲେ ଉଦ୍ଧବଙ୍କ ଉପରେ ବର୍ଷିଲେ । ଇଂଟେରିୟର ଡିଜାଇନରଙ୍କ ଆତ୍ମହତ୍ୟା ଘଟଣାରେ ଗିରଫ ହୋଇ ଜେଲରେ ଥିବା ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ବେଲରେ ମୁକୁଳିବା ପରେ ଏକ ରାଲି କରି ଘରକୁ ଯାଇଥିଲେ । ଏହା ପରେ ରିପବ୍ଲିକ୍ ଷ୍ଟୁଡିଓରେ ପହଂଚି, ମହାରାଷ୍ଟ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି-ଏହି ଲଢ଼େଇ ଆଗକୁ ବି ଜାରି ରହିବ । ଏହା କେବଳ ଆରମ୍ଭ ମାତ୍ର ।

ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀ ଜାମିନ ପାଇ ଜେଲରୁ ବାହାରିଛନ୍ତି । ନଭେମ୍ବର ୪ ତାରିଖରେ ଗିରଫ ହୋଇଥିବା ଅର୍ଣ୍ଣବଙ୍କୁ ୮ ଦିନ ପରେ ସୁପ୍ରିମକୋର୍ଟରୁ ଜାମିନ ମିଳିଛି । ଜାମିନ ପାଇବା ପରେ ତାଲୁଜା ଜେଲରୁ ବାହାରିଛନ୍ତି ଅର୍ଣ୍ଣବ । ଜେଲ ପରିସରୁର ବାହାରିବା ପରେ ଅର୍ଣ୍ଣବ କାରର ଛାତ ଉପରେ ବସିଯାଇଥିଲେ । ତଲୋଜା ଜେଲରୁ ଅର୍ଣ୍ଣବ ଏକ ଗାଡିରେ ଆସୁଥିବା ବେଳେ ଗାଡି ଭିତରୁ ଦୁଇଟି ଆଙ୍ଗୁଠି ଦେଖାଇ ବିଜୟ ସୂଚନା ଦେଇଛନ୍ତି ।

ଏହି ସମୟରେ ସେ ଜେଲରୁ ବାହାରିବା ଘଟଣାକୁ ଭାରତର ବିଜୟ ବୋଲି ନାରା ଦେଇଛନ୍ତି । ରାସ୍ତାର ଦୁଇ ପଟେ ଅର୍ଣ୍ଣବଙ୍କ ପ୍ରଶଂସକ ଓ ସମର୍ଥକ ତାଙ୍କୁ ସ୍ୱାଗତ କରିଛନ୍ତି । ଅର୍ଣ୍ଣବ ନେତାଙ୍କ ଶୈଳୀରେ ଗାଡି ଉପରେ ଠିଆ ହୋଇ ହାତ ହଲାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଭିଡ ନିୟନ୍ତ୍ରଣ କରିବା ପାଇଁ ମହାରାଷ୍ଟ୍ର ପୁଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ପୂର୍ବରୁ ଅର୍ଣ୍ଣବଙ୍କ ଜାମିନ ଆବେଦନ ଖାରଜ କରିଥିଲେ ବମ୍ବେ ହାଇକୋର୍ଟ । ବମ୍ବେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ଅର୍ଣ୍ଣବ ଗୋସ୍ୱାମୀ ।