କନକ ବ୍ୟୁରୋ: ଆଧୁନିକ ଟିମ ଇଣ୍ଡିଆର ନିର୍ମାତା ସୌରଭ ଗାଙ୍ଗୁଲି । ତାଙ୍କୁ ବିଜୟର ବାଜିଗର ବୋଲି କୁହାଯାଏ । ବାଜି ପଲଟାଇ ମ୍ୟାଚ ଜିତିବାର କୌଶଳ ତାଙ୍କୁ ବେଶ ଭଲ ଭାବରେ ଜଣା । ବିଦେଶ ମାଟିରେ ସେ ଭାରତୀୟ ଟିମକୁ ବିଜୟ ବାନା ଉଡାଇବା ଶିଖାଇଥିଲେ । ଆଉ ଟିମ ଇଣ୍ଡିଆକୁ ଦେଖାଇଥିଲେ ନୂଆ ଦିଶା । ଯେବେ ଯେବେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱର କଥା ଉଠେ ସେବେ ସେବେ ୨୦୦୨ ମସିହା ଲର୍ଡସର ସେହି ଐତିହାସିକ ମ୍ୟାଚ କଥା ମନେ ପଡେ । ଯେଉଁଠି ବିଜୟ ପରେ ଜର୍ସି ଖୋଲିଦେଇଥିଲେ ଦାଦା । ତେବେ ଆସନ୍ତୁ ଜାଣିବା କାହିଁକି ଗାଙ୍ଗୁଲି ମ୍ୟାଚ ବିଜୟ ପରେ ଜର୍ସି ଖୋଲି ସେଲିବ୍ରେସନ କରିଥିଲେ ।

Advertisment

୨୧ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୨୦୦୨ ମସିହା ଜୁଲାଇ ୧୩ ତାରିଖ । ଗାଙ୍ଗୁଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଏକ ସ୍ମରଣୀୟ ମ୍ୟାଚ ଖେଳିଥିଲା । ଯାହାକୁ କେହି କେବେ ବି ଭୁଲି ପାରିବେନି । ଇଂଲଣ୍ଡର ଲର୍ଡସ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ନେଟବେଷ୍ଟ ସିରିଜର ଫାଇନାଲ ମ୍ୟାଚ ଥାଏ । ଏହି ମ୍ୟାଚରେ ଟସ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆଉ ପ୍ରଥମେ ବ୍ୟାଟିଂ କରି ୩୨୫ ରନର ବିଶାଳ ସ୍କୋର ଛିଡା କରିଥିଲା । ଯାହା ଭାରତ ପାଇଁ ଏକ ବଡ ବିଜୟ ଲକ୍ଷ୍ୟ ଥିଲା ।

ଦ୍ୱିତୀୟ ଇଂନିସରେ ୩୨୬ ରନର ବିଜୟ ଲକ୍ଷ୍ୟ ମୈଦାନକୁ ଓହ୍ଲାଇଥିଲା ଭାରତ । ବୀରେନ୍ଦ୍ର ସେହୱାଗ ଆଉ ସୌରଭ ଗାଙ୍ଗୁଲିଙ୍କ ଓପନିଂ ଯୋଡି ଭଲ ଆରମ୍ଭ ଦେଇଥିଲେ ବି ପରବର୍ତ୍ତୀ ମୂହୁର୍ତ୍ତରେ ଗୋଟିଏ ପରେ ଗୋଟିଏ ୱିକେଟ ଗଳି ଚାଲିଥିଲା । ଆଉ ପରେ ଯୁବରାଜ ସିଂ ଓ ମହମ୍ମଦ କୈଫଙ୍କ ଯୋଡି ଏହି ମ୍ୟାଚରେ ଭାରତକୁ ବିଜୟୀ କରାଇଥିଲା । ଭାରତ ଏହି ମ୍ୟାଚରେ ୨ ୱିକେଟରେ ଇଂଲଣ୍ଡକୁ ପରାଜିତ କରିଥିଲା । ଯୁବରାଜ ୬୯ ରନ କରିଥିବା ବେଳେ କୈଫ ୮୭ ରନ କରି ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ । ଆଉ ମ୍ୟାଚର ହିରୋ ସାବ୍ୟସ୍ତ ହୋଇଥିଲେ ।
ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ ହରାଇବା ପରେ କ୍ୟାପଟେନ ସୌରଭ ଗାଙ୍ଗୁଲି ପାଭିଲିୟନରେ ଜର୍ସି ଓହ୍ଲାଇ ସେଲିବ୍ରେସନ କରିଥିଲେ । ତେବେ ଏହି ସେଲିବ୍ରେସନ ପଛରେ ରହିଥିଲା ଏକ କଡା ଜବାବ, ଯାହା ଭାରତରୁ ଆରମ୍ଭ ହୋଇଥିଲା । ସେହି ବର୍ଷ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଦିନିକିଆ ମ୍ୟାଚରେ ଭାରତ ବିପକ୍ଷରେ ଇଂଲଣ୍ଡ ବିଜୟୀ ହୋଇଥିଲା । ଆଉ ଏହି ସିରିଜ ୩-୩ରେ ବରାବର ହୋଇଥିଲା । ଏହି ବିଜୟ ପରେ ଇଂଲଣ୍ଡର ଆଣ୍ଟ୍ର୍ୟୁ ଫ୍ଲିନଟାଫ ଜର୍ସି ଖୋଲି ଗ୍ରାଉଣ୍ଡ ଚାରିପଟେ ବୁଲିଥିଲେ । ଆଉ ଯାହାର ଜବାବ ଦବାକୁ ଯାଇ ଲର୍ଡସରେ ଇଂଲଣ୍ଡକୁ ହରାଇବା ପରେ ଗାଙ୍ଗୁଲି ଜର୍ସି ଖୋଲି ସେଲିବ୍ରେସନ କରିଥିଲେ ।

ତେବେ ଏହି ମ୍ୟାଚ ସୌରଭ ଗାଙ୍ଗୁଲିଙ୍କ ପାଇଁ ଯେତିକି ସ୍ମରଣୀୟ ସେତିକି ମହମ୍ମଦ କୈଫଙ୍କ ପାଇଁ ମଧ୍ୟ । ୨୦୧୮ ମସିହାରେ ଯେତେବେଳେ କୈଫ ସନ୍ୟାସ ନେବା ପାଇଁ ଘୋଷଣା କରିଥିଲେ ସେତେବେଳେ ସେ ଜୁଲାଇ ୧୩ ତାରିଖକୁ ହିଁ ବାଛିଥିଲେ । ଅବସର ନେବା ସହ କହିଥିଲେ କି ୧୬ ବର୍ଷ ତଳେ ଖେଳିଥିବା ନେଟବେଷ୍ଟ ସିରିଜର ଫାଇନାଲ ମ୍ୟାଚକୁ କେବେ ବି ଭୁଲି ପାରିବିନି ।