କନକ ବ୍ୟୁରୋ: ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ । ମହାପ୍ରଭୁଙ୍କ ସକଳ ବେଶରେ ମାଧୁର୍ଯ୍ୟ ଲାବଣ୍ୟ ପ୍ରକଟିତ ହେଉଥିବା ସ୍ଥଳେ, କେବଳ ସୁନା ବେଶରେ ଐଶ୍ୱର୍ଯ୍ୟ ପ୍ରାବଲ୍ୟ ପରିସ୍ଫୁଟ ହୋଇଥାଏ। ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ । ବାହୁଡା ଯାତ୍ରାରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ସମ୍ମୁଖକୁ ଫେରିବା ପରେ ଆଜି ମହଣ ମହଣ ସୁନାରେ ସଜେଇ ହେବେ ସାଆନ୍ତେ । ରଥ ଉପରୁ ଆଜି ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ । ତେବେ ଆପଣ ଜାଣିଛନ୍ତି କି? ମହାପ୍ରଭୁଙ୍କ ଏହି ସୁନାବେଶର ଇତିହାସ କଣ? କେଉଁଠୁ ଆସିଲା ଏତେ ସୁନା? ଆଉ କେବେଠୁ ଏହି ସୁନାବେଶ ପରମ୍ପରା ଆରମ୍ଭ ହେଇଛି ?

Advertisment

ଶିଳାଲେଖରେ ଉଲ୍ଲେଖ ରହିଛି ଯେ, ରାଜା ଅନଙ୍ଗଭୀମ ଦେବ (୧୨୧୧-୧୨୩୮) ଓଡ଼ିଆଙ୍କ ପରମାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରଦେବତାରୂପେ ଘୋଷଣା କରିଥିଲେ । ସେବେଠୁ ରାଜା ମହାରାଜାମାନେ ପ୍ରଭୁଙ୍କ ଆଦେଶ ବାହକ ସେବକ ରୂପେ ସେବା କରୁଥିଲେ । କିଛି ରାଜା ମହାପ୍ରଭୁଙ୍କୁ ଓଡ଼ିଶାର ରାଜା ରୂପେ ଘୋଷଣାକରି ରାଜଭିଷେକ ମଧ୍ୟ କରିଥିଲେ ।

କିଛି ଗବେଷକଙ୍କ ମତରେ ରାଜା ଅନଙ୍ଗଭୀମ ଦେବ ପବିତ୍ର ଆଷାଢ଼ ଏକାଦଶୀ ତିଥିରେ ସୁନାବେଶ କରାଇଥିଲେ । ଅନ୍ୟ କେତେ ଗବେଷକଙ୍କ ମତରେ ରଥ ଉପରେ ସୁନାବେଶ ବଡ଼ତଢାଉଙ୍କ ପରାମର୍ଶରେ ରାଜା କରେଇଥିଲେ । ବଡ଼ତଢାଉ ବେଶ ମତରେ ରାଜା କପିଳେନ୍ଦ୍ର ଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନା ଅଳଙ୍କାର ଆଣିଥିଲେ । ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟ ବିଜୟ ଦ୍ୱାରସ୍ଥିତ ଶିଳାଲେଖରେ ସୂଚନା ରହିଛି । ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ । ରତ୍ନବେଦିରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରି ପାରୁନାହାନ୍ତି ତେଣୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜାଙ୍କୁ ବିନତି କରିଥିଲେ ।

ଦକ୍ଷିଣାଭିମୁଖୀ ଯାତ୍ରାରେ ତିନି ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ । ବହୁବର୍ଷ ଧରି ରଥ ଉପରେ ସୁନାବେଶରେ ମହାପ୍ରଭୁଙ୍କୁ ୧୩୮ ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣାଳଙ୍କାର ଲାଗି ହେଇଥିଲା । ଏବେ ଏଥିରେ କିଛି ପରିବର୍ତ୍ତନ ହୋଇଛି । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ରଥ ଉପରେ ସୁନାବେଶ ପାଇଁ ଭଣ୍ଡାର ଗୃହରୁ ପାଳିଆ ଭଣ୍ଡାରି ମେକାପ, ପାଳିଆ ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ ପୋଲିସ ଓ ଶ୍ରୀମନ୍ଦିର ଅଫିସରଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଆଣିଥାନ୍ତି । ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ସୁନାବେଶ ଆଭୁଷଣ ଲାଗି କରିଥାନ୍ତି ।