ଦୀର୍ଘଦିନରୁ ନିଖୋଜ ଥିବା ଝିଅକୁ ବୋହୂ ରୂପରେ ପାଇଲା ମା’, ପୁଅ ସହ ବାହାଘର କରିବାକୁ ଦେଲେ ଅନୁମତି

2,714

କନକ ବ୍ୟୁରୋ : ଚୀନରୁ ଆସିଥିବା ଏକ ଅଜବ ଖବର ଆପଣଙ୍କୁ ଖୁସି ଦେବ କି ଚିନ୍ତାରେ ପକାଇ ଦେବ ତାହା ଆପଣ ସମ୍ପୂର୍ଣ୍ଣ ଖବର ପଢିସାରିବା ପରେ ଅନୁଭବ କରିବେ । ଏଠାରେ ଏକ ପରିବାରରୁ ଗୋଟିଏ ଝିଅ ଦୀର୍ଘବର୍ଷ ହେବ ନିଖୋଜ ଥିଲା । ଏବେ ସେହି ଝିଅର ମା’ ଜାଣିପାରିଛନ୍ତି କି ତାଙ୍କ ପୁଅ ଯାହାକୁ ବିବାହ କରିବାକୁ ଯାଉଛନ୍ତି ସେ ଅନ୍ୟ କେହି ନୁହନ୍ତି ବରଂ ତାଙ୍କର ହଜିଯାଇଥିବା ଝିଅ । ଏହି ଖବର ପ୍ରଚାରିତ ହେବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । କିନ୍ତୁ ଏହାରି ମଧ୍ୟରେ ଭାଇ ସହିତ ଭଉଣୀକୁ ବିବାହ କରାଇବାକୁ ରାଜି ହୋଇଛନ୍ତି ମା’ ଜଣକ ।

ଏହି ଘଟଣା ଘଟିଥିଲା ମାର୍ଚ୍ଚ ୩୧ ତାରିଖ ଦିନ । ଚୀନର ଜିୟାଁଗସୁ କ୍ଷେତ୍ର ସୁଝୁ ଠାରେ ଚାଲିଥିଲା ବିବାହ ପାଇଁ ଏକ ନିର୍ବନ୍ଧ କାର୍ଯ୍ୟକ୍ରମ । ଏଠାରେ ବରର ମା’ ଯେତେବେଳେ କନ୍ୟା ହାତରେ ମୁଦି ପିନ୍ଧାଇବାକୁ ଗଲେ ସେ କନ୍ୟାର ହାତରେ ଏକ ଚିହ୍ନ ଦେଖିବାକୁ ପାଇଲେ । ଏହି ଚିହ୍ନ ଠିକ୍ ତାଙ୍କ ଝିଅର ହାତରେ ଥିବା ଚିହ୍ନ ସହ ମେଳ ଖାଉଥିଲା । ହେଲେ ତାଙ୍କ ଝିଅ ଅନେକବର୍ଷ ତଳୁ ନିଖୋଜ ଥିଲା । ଏନେଇ ଖୋଳତାଡ କରିବା ପରେ ଜଣାପଡିଲା କି ତାଙ୍କ ପୁଅ ସହ ବାହାଘର ପାଇଁ ନିର୍ବନ୍ଧ ହେଉଥିବା ଝିଅଟି ଅନ୍ୟକେହି ନୁହଁ ବରଂ ହଜିଥିବା ତାଙ୍କରି ଝିଅ । ଏହା ଜଣାପଡିବା ପରେ ମା’ ଝିଅ ଓ ପୁଅ ଏମିତି କାନ୍ଦିଥିଲେ କି ଯାହା ଭିତରେ ନିର୍ବନ୍ଧ ଖୁସି କୁଆଡେ ଉଭେଇ ଯାଇଥିଲା ।

କନ୍ୟା ହାତରେ ଚିହ୍ନ ଦେଖିବା ପରେ ଏହି କନ୍ୟାକୁ ଯିଏ ଲାଳନ ପାଳନ କରୁଥିଲେ ସେମାନଙ୍କ ସହ କଥା ହୋଇଥିଲେ ଝିଅର ଅସଲି ବାପା ଓ ମା’ । କଥାବାର୍ତ୍ତାରୁ ଜଣାପଡିଥିଲା କି ସେମାନେ ଝିଅଟିକୁ ୨୦ ବର୍ଷ ପୂର୍ବେ ରାସ୍ତାକଡରୁ ପାଇଥିଲେ ।

ଏସବୁ ପରେ ପ୍ରଶ୍ନ ଉଠିଥିଲା କି ବାହାଘର ବାବଦରେ କ’ଣ ନିଷ୍ପତ୍ତି ନିଆଯିବ । ସେପଟେ ଝିଅଟି ଚିନ୍ତାରେ ଥିଲା କି କିଭଳି ନିଜ ବଡଭାଇକୁ ବିବାହ କରିବ । ହେଲେ ଠିକ୍ ଏହି ସମୟରେ ପୁଅର ମା ଏକ ବଡ ଖୋଲାସା କରିଥିଲେ । ସେ କହିଥିଲେ କି ଏହି ପୁଅ (ବର) ମୋ ନିଜପୁଅ ନୁହେଁ । ତାଙ୍କୁ ମୁଁ ପୋଷ୍ୟ ସନ୍ତାନ ଭାବେ ପାଇଛି । ତେଣୁ ସେମାନେ ରକ୍ତ ସଂପର୍କରେ ଭାଇ ଭଉଣୀ ନୁହନ୍ତି । ଏହି କଥାକୁ ନଜରରେ ରଖି ମା’ ଜଣଙ୍କ ଉଭୟଙ୍କ ବିଭାଘରକୁ ମଞ୍ଜୁରୀ ଦେଇଥିଲେ ।