ରାଜନୀତିର ବିରଳ ଦୃଶ୍ୟ! କାଲି ଦେଉଥିଲେ ଗାଳି, ଆଜି ହେଲେ କୋଳାକୋଳି । ଜାଣନ୍ତୁ ଧର୍ମେନ୍ଦ୍ର ଓ ବିଜେପିକୁ ନେଇ ପୂର୍ବରୁ କଣ କହି ଆସୁଥିଲେ ଦାମ

753

କନକ ବ୍ୟୁରୋ : ରାଜନୀତିର ବିରଳ ଦୃଶ୍ୟ ଆଜି ଦିଲ୍ଲୀରେ ଦେଖିବା ପାଇଁ ମିଳିଥିଲା । ଯେତେବେଳେ ବିଜେପି କ୍ୟାମ୍ପରେ ଯୋଗ ଦେଇଥିଲେ ଦାମୋଦର ରାଉତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଡକ୍ଟର ଦାମୋଦର ରାଉତ, ବିଜେପିର ବରିଷ୍ଠ ନେତାଙ୍କ ସହ ଡକ୍ଟର ରାଉତଙ୍କ ଚିତ୍ର, ଆଜି ଯେତେବେଳେ ଟିଭି ସ୍କ୍ରିନରେ ପ୍ରଦର୍ଶିତ ହେଉଥିଲା, ସେତେବେଳେ କାହିଁକି କେଜାଣି ନେତା, ରାଜନୀତି, ବୟାନବାଜି ଏ ସବୁ ଉପରେ ହଠାତ୍ ସନ୍ଦେହ ଆସିଯାଉଥିଲା । ବିଜେପିରେ ଯୋଗ ଦେଉ ଦେଉ ଦାମଙ୍କର ସ୍ୱର ବଦଳିଥିଲା । ନବୀନଙ୍କୁ ଟାର୍ଗେଟ କରିବା ସହ ବିଜେପିକୁ ପ୍ରଂଶସା କରିବାକୁ ପଛାଇନଥିଲେ । ଯାହା ଦର୍ଶାଉଥିଲା ମଣିଷର ଜିଭ ଓ ଓଠ ଅନିଶ୍ଚିତ । କେତେବେଳେ କାହାକୁ ପ୍ରଶଂସା କରିପାରେ ତ ପୁଣି କେତେବେଳେ ନିନ୍ଦା କରିପାରେ । ରାଜନୀତିରେ ସବୁ ସମ୍ଭବ ଏକଥା ପ୍ରମାଣିତ ହେଉଥିଲା ।

ରାଜନୀତିରେ ନେତା ମାନେ ରଙ୍ଗ ବଦଳାଇବା କିଛି ନୂଆ କଥା ନୁହେଁ । ସ୍ୱାର୍ଥ ପାଇଁ କେତେବେଳେ ଚିରଶତ୍ରୁ ମିତ୍ର ପାଲଟିଯାଏ ତ ପୁଣି କ୍ଷମତା ପାଇଁ କେତେବେଳେ ମିତ୍ର ଶତ୍ରୁ ପାଲଟିଯାଏ । ଦାମ ମଧ୍ୟ ସମାନ ରାସ୍ତା ଆପଣାଇଛନ୍ତି । ମିତ୍ରରୁ ଶ୍ରତୁ ପାଲଟିଥିବା ନବୀନଙ୍କୁ କ୍ଷମତାରୁ ହଟାଇବା ପାଇଁ ଦାମ ଏବେ ପଟ୍ଟ ପରିବର୍ତ୍ତନ କରିବା ସହ ଶତ୍ରୁ କ୍ୟାମ୍ପରେ ଯୋଗ ଦେଇ ମିତ୍ର ପାଲଟିଛନ୍ତି । ଏପରିକି ଦାମଙ୍କୁ ମଧ୍ୟ ସାଦରେ ଗ୍ରହଣ କରି ନେଇଛି ସେହି ଦଳ ଯିଏ ୬ ମାସ ପୂର୍ବରୁ ଦାମଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇବାକୁ ପଛାଇ ନଥିଲା । ଏପରିକି ଦାମଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦ ଦେଇ ଯେଉଁ ଧର୍ମେନ୍ଦ୍ର ପ୍ରଧାନ ବିଜେପିରେ ସାମିଲ କରାଇଛନ୍ତି ସେହି ଦଳ ଓ ନେତାଙ୍କୁ ପୂର୍ବରୁ ଅନେକ ଥର ମନଭରି ଗାଳି ଦେଇଛନ୍ତି ଦାମ । ନଜର ପକାନ୍ତୁ ପୂର୍ବରୁ ଧର୍ମେନ୍ଦ୍ର ଓ ବିଜେପିକୁ ନେଇ କଣ କହିଥିଲେ ଦାମ :

ଧର୍ମେନ୍ଦ୍ରଙ୍କ ଦକ୍ଷତା ଉପରେ ଉଠାଇଥିଲେ ପ୍ରଶ୍ନ :
ଓଡିଶାରେ ସେ ପ୍ରଥମେ ବିପୁଳ ସଂଖ୍ୟାରେ ଭୋଟ ନେଇ ଜିତନ୍ତୁ ତାହା ପରେ ମୁଁ ତାଙ୍କୁ ଅନ୍ୟ ନେତାଙ୍କ ସହ ତୁଳନା କରିବି । ଇଣ୍ଡିଆ ଟୁଡେର ପଞ୍ଚରତ୍ନରେ ଧର୍ମେନ୍ଦ୍ର ସ୍ଥାନ ପାଇବା ପରେ ଏମିତି କହିଥିଲେ ଦାମ ।

ଧର୍ମେନ୍ଦ୍ର ଯେଉଁଠୁ ଲଢିବେ ମୁଁ ସେଇଠୁ ପ୍ରାର୍ଥୀ ହେବି :
ଓଡିଶାରେ ବିଜେପିର ଚୁଲି ନାହିଁ ଚାଳ ନାହିଁ । ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରି ଦାମ କହିଥିଲେ, ତୋର ତ ଗାଁରେ ତତେ ଭୋଟ ଦେବେନି । ୨୫ ହଜାର ଭୋଟରେ ହାରି କି ପଳେଇଲୁ, ହିନ୍ଦୀ ଭଲ କହୁ ବୋଲି ବିହାରରୁ ରାଜ୍ୟସଭା ଯାଇଛୁ । ଏଥର ଆଗ ୱାର୍ଡମେମ୍ବର ହେଉ ତାପରେ ମୁଖ୍ୟମନ୍ତ୍ରୀ ହେବୁ । ମୁଁ ତ ଘୋଷଣା କଲିଣି ଧର୍ମେନ୍ଦ୍ର ପ୍ରଧାନ ଯେଉଁଠି ଛିଡା ହେବ ମୁୁଁ ସେଇଠୁ ନିର୍ବାଚନ ଲଢିବି ।

ପଳାତକ ନୁହେଁ ପ୍ରତ୍ୟାଖ୍ୟାତ :
ଧର୍ମେନ୍ଦ୍ର ପ୍ରଧାନ ପଳାତକ ନୁହେଁ ପ୍ରତ୍ୟାଖ୍ୟାତ । ନିଜ ଜନ୍ମ ମାଟିରୁ ନିର୍ବାଚନ ବିପୁଳ ଭୋଟରେ ହାରିବା ପରେ ବିହାରରୁ ରାଜ୍ୟସଭା ଯାଇଛନ୍ତି ଓ ମନ୍ତ୍ରୀ ହେଇଛନ୍ତି । ଏଭଳି କହି ଧର୍ମେନ୍ଦ୍ରଙ୍କୁ ତେରଛା ବାଣ ମାରିଥିଲେ ଦାମ ।

ନିମ୍ନ ମାନସିକତାର ବ୍ୟକ୍ତି ଧର୍ମେନ୍ଦ୍ର :
ମମତା ଓ ନବୀନଙ୍କ ଭେଟଘାଟକୁ ଚିଟଫଣ୍ଡ ଧର୍ମେନ୍ଦ୍ର ଯୋଡିବା ପରେ ଦାମଙ୍କ ଟାର୍ଗେଟ ରାଡାରକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ । ଦାମ କହିଥିଲେ, ଭାରତୀୟ ଜନତା ପାର୍ଟି ସତେ ଯେପରି ଗଙ୍ଗାଜଳ ଭଳି ପବିତ୍ର । ତାଙ୍କର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପରା କୋଇଲା ଚୋରି ଅଭିଯୋଗରେ ଜେଲ ଯାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଯେଉଁ ପଦବୀରେ ରହିବା କଥା ନୁହେଁ ଦୈବାତ ସେହି ପଦବୀରେ ରହି ଯାଇଛନ୍ତି ।

ପାପର ଶାସନ ବନାମ ବାପର ସରକାର :
ନବୀନ ସରକାର ହେଉଛି ବାପର ସରକାର । ପାପର ସରକାର ବିଜେପି ଚଳାଉଛି । ନିର୍ବାଚନ ସମୟରେ ଆଇଓସିଏଲରୁ କେତେ ଟଙ୍କା ନେଇଛ କୁହ ବୋଲି କହିଥିଲେ ଦାମ ।

ଓଡିଶାକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି ମୋଦି:
ଗଣତନ୍ତ୍ରକୁ ଦଳତନ୍ତ୍ରରେ ପରିଣତ କରିବାକୁ ଚାହୁଁଛନ୍ତି ମୋଦି । ଇଚ୍ଛାକୃତ ଭାବରେ ଓଡିଶାବାସୀଙ୍କୁ ଧ୍ୱଂସ କରିବାକୁ ଚାହୁଁଛନ୍ତି ମୋଦି । ମହାନଦୀ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କରିଥିଲେ ଦାମ । ଏପରିକି ଜବାବରେ ବିଜେପି କହିଥିଲା, ମାନସିକ ଭାରସାମ୍ୟ ହରାଇଥିବାରୁ ଏଭଳି କହୁଛନ୍ତି ଦାମ ।

ଅମିତ ଶାହାଙ୍କ ପୁଅଙ୍କ ସମ୍ପତି କିଭଳି ବଢିଲା :
ଅମିତ ଶାହାଙ୍କ ପୁଅଙ୍କ ସମ୍ପତି ୧୬ ହଜାର ଗୁଣ ବଢିଲା କେମିତି । ବିମୁଦ୍ରାକରଣ ଓ କଳାଧନର ହିସାବ ଦିଅନ୍ତୁ କେନ୍ଦ୍ର ସରକାର । ୧୩୪ ଦେଶ ବୁଲିବା ପରେ କେତେ ଟଙ୍କା ଦେଶକୁ ପୁଞ୍ଜି ଆଣିଛନ୍ତି ତାହା ମୋଦି କୁହନ୍ତୁ ।

ପାରାଦୀପର ଲୁଣି ପାଣିରେ ପଦ୍ମ ଫୁଟିବନି :
ପାରାଦୀପ ଭଳି ସ୍ଥାନରେ ଲୁଣି ପାଣିରେ ପଦ୍ମ ଫୁଟିବନି । କିନ୍ତୁ ବିଜେଡିରୁ ବିଦା ହେବା ପରେ ବଦଳିଛି ଦାମଙ୍କ ମୁଡ । ବିଜେପିରେ ଯୋଗ ଦେବା ପୂର୍ବରୁ ଦାମ କହିଛନ୍ତି, ପାରାଦୀପରେ ନିଶ୍ଚୟ ପଦ୍ମ ଫୁଟାଇବି । ଏହାଛଡା ବିଜେପି ବେପାରୀ ଗର୍ଭରୁ ଜନ୍ମ ନେଇଛି ବୋଲି ଦାମ ବାବୁ କଟାକ୍ଷ କରୁଥିଲେ । ବିଜେପି ନେତ୍ରୀଙ୍କ ପ୍ରତି ସ୍ୱାମୀ ଛାଡି ଅଙ୍ଗନବାଡ଼ି ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ବଡ ଧରଣର ହଟଚମଟ ହେବା ସହ ଦାମଙ୍କୁ ମଧ୍ୟ ମନ୍ତ୍ରୀପଦ ହରାଇବାକୁ ପଡିଥିଲା ।