କନକ ବ୍ୟୁରୋ: ଯେଉଁ ବିଲ୍ କୁ ନେଇ ବିବାଦ ତେଜିବାରେ ଲାଗିଛି । ଦେଶର କୋଣ ଅନୁକୋଣରେ ଆକ୍ରୋଶର ନିଆଁ ଜଳୁଛି ସେହି ନାଗରିକତା ସଂଶୋଧନ ବିଲ୍ ଗତ ଡିସେମ୍ବର ୧୧ ତାରିଖ ଦିନ ରାଜ୍ୟସଭାରେ ପାସ୍ ହୋଇଥିଲା । ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଥିଲା ଏହି ବିଲ୍ । ବିଲ ସପକ୍ଷରେ ପଡ଼ିଥିଲା ୧୨୫ ଭୋଟ । ଆଉ ବିପକ୍ଷରେ ପଡ଼ିଥିଲା ୧୦୫ ଖଣ୍ଡ ଭୋଟ୍ । ବିଲ ନେଇ ମୋଟ ୨୩୦ ଭୋଟ ପଡିଥିଲେ ବି ସେଥିରୁ ୧୨୫ଟି ଭୋଟ ସପକ୍ଷରେ ଯାଇଥିଲା । ସେପଟେ ଶିବସେନା ଭୋଟିଂ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଥିଲେ ବି ବିଲକୁ ରାଜ୍ୟସଭାରୁ ମଞ୍ଜୁରୀ ମିଳିଥିବା ଦେଖିବାକୁ ମିଳିଥିଲା ।

Advertisment

ଯେଉଁ ପ୍ରସଙ୍ଗ ନେଇ ଗୃହ ଗରମ ହୋଇଥିଲା । ତାହା ରାଜ୍ୟସଭାରେ ମଧ୍ୟାହ୍ନ ୧୨ଟାରେ ଗୃହମନ୍ତ୍ରୀ ଅମିତ ସାହା ଆଗରତ କରିବା ପରେ ବିରୋଧୀ ହଟ୍ଟଗୋଳ, ହୋହଲ୍ଲା କରିଥିଲେ । ଗୃହ ଭିତରେ ବିରୋଧୀ ଉକ୍ତ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ପ୍ରବଳ ଘେରିଥିଲେ । ତେବେ ବହୁ ବିତର୍କ ପରେ ଶେଷରେ ବିରୋଧୀଙ୍କ ଗର୍ଜନ ବିଫଳ ହୋଇଥିବା ଦେଖିବାକୁ ମିଳିଥିଲା । ଅନେକ ବିବାଦ ପରେ ଏହି ବିଲ୍ ରାଜ୍ୟସଭାରୁ ସୁରୁଖୁରରେ ପାସ୍ ହୋଇଥିଲା ।

ତେବେ ଗୋଟିଏ ପଟେ ବିଲକୁ ନେଇ ରାଜ୍ୟସଭାରେ ବିତର୍କ ଜୋର ଧରିଥିବା ବେଳେ ଅନ୍ୟପଟେ ଗୃହ ବାହାରେ ଏହାର ବିରୋଧ ଦେଖିବାକୁ ମିଳିଥିଲା । ଆସାମରେ ବିଲକୁ ବିରୋଧ କରି ବିକ୍ଷୋଭକାରୀ ବିରୋଧ ପ୍ରଦର୍ଶନ କରିବା ସହ ବସ ଜାଳିଦେଇଥିଲେ । ଆଉ ଏଭଳି ହିଂସାତ୍ମକ ବିରୋଧ ପରେ ଆସାମର ୧୦ଟି ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା ।