ପ୍ରଥମେ କେବେ, କେଉଁଠି ଚିହ୍ନଟ ହୋଇଥିଲା ‘ଓମିକ୍ରନ’ ଭୂତାଣୁ ? ନୂଆ ପ୍ରଜାତି ଚିହ୍ନଟ ବେଳେ ଆତଙ୍କିତ ହୋଇପଡିଥିଲେ ବୈଜ୍ଞାନିକ ।

169

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରେ ପ୍ରଥମ ଚିହ୍ନଟ ହୋଇଥିବା କରୋନା ଭୂ୍ତାଣୁର ନୂଆ ପ୍ରଜାତି ‘ଓମିକ୍ରନ’ ପ୍ରକୃତରେ କେତେ ମାରାତ୍ମକ, ତାହା ଜାଣିବା ପୂର୍ବରୁ ସାରା ବିଶ୍ୱରେ ଡର ଖେଳିଯାଇଛି । ଦକ୍ଷିଣ ଆଫ୍ରିକା ସ୍ଥିତ ଲାନସେଟ ଲ୍ୟାବରେ ନଭେମ୍ବର ୧୯ତାରିଖ ଦିନ ଏହି ପ୍ରଜାତିକୁ ପ୍ରଥମେ ଚିହ୍ନଟ କରିଥିଲେ ବୈଜ୍ଞାନିକ ରାକ୍ଟେଲ ଭିଆନା ।

ସମ୍ବାଦ ସରବରାହ ସଂସ୍ଥା ରଏଟର୍ସକୁ ସାକ୍ଷାତକାର ଦେଇ ବୈଜ୍ଞାନିକ ଭିଆନା କହିଛନ୍ତି, ନଭେମ୍ବର ୧୯ତାରିଖର ନମୂନା ପରୀକ୍ଷାରେ ବଡ ଧରଣର ପରିଣତି ସେ ଜାଣିପାରିଥିଲେ । ବୈଜ୍ଞାନିକ ରାକ୍ଟେଲ ଭିଆନା କହିଛନ୍ତି, ସେଦିନ ମୁଁ ଯାହା ଦେଖିଲି ସେଥିରେ କାବା ହୋଇଯାଇଥିଲି । ଗୁଣସୂତ୍ର-କ୍ରମ ପରୀକ୍ଷା ପ୍ରକ୍ରିୟାରେ କିଛି ଭୁଲ୍ କରି ପକାଇଛି ବୋଲି ପ୍ରଥମେ ମୋର ସନ୍ଦେହ ହୋଇଥିଲା । କିନ୍ତୁ, ପରୀକ୍ଷା କରିଥିବା ସେ ନମୂନାଟିରେ ଗୋଟିଏ ଜିନିଷ ସାଧାରଣ ଥିଲା । ତାହା ହେଉଛି ‘ଏସ୍’ ଜିନର ଅନୁପସ୍ଥିତି । ଏହି ଜିନ୍ ବା ଗୁଣସୂତ୍ରର ଅନୁପସ୍ଥିତି ହିଁ ‘ଓମିକ୍ରନ’ କୁ ବିଶ୍ୱରେ ପ୍ରାଧାନ୍ୟ ବିସ୍ତାର କରିଥିବା ‘ଡେଲଟା’ ଭ୍ୟାରିଆଣ୍ଟଠାରୁ ପୃଥକ କରୁଛି ।

କରୋନା ଭୂତାଣୁର ନୂଆ ପ୍ରଜାତି ଚିହ୍ନଟ ହେବା ପରେ ଏହାକୁ ନେଇ ଆତଙ୍କିତ ହୋଇପଡିଥିଲେ ବୈଜ୍ଞାନିକ । ଏହି ନୂଆ ପ୍ରଜାତି ଅତ୍ୟନ୍ତ ଭୟାବହ ବୋଲି ନଭେମ୍ବର ୨୩ତାରିଖ ସୁଦ୍ଧା ସ୍ପଷ୍ଟ ହୋଇସାରିଥିଲା । ‘ଓମିକ୍ରନ’ ପ୍ରଜାତି ବିଷୟରେ ଜାଣିବା ପରେ ବୈଜ୍ଞାନିକ ରାକ୍ଟେଲ ଭିଆନା ପ୍ରଥମେ ଏନେଇ ଜୋହନସବର୍ଗ ସ୍ଥିତ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ କମ୍ୟୁନିକେବୁଲ ଡିଜିଜେସ’ ବା ଏନଆଇସିଡିକୁ ସତର୍କ କରାଇଥିଲେ । ସୂଚନା ପରେ ଏନଆଇସିଡି ନଭେମ୍ବର ୨୦-୨୧ତାରିଖ ସପ୍ତାହାନ୍ତରେ ଅଧିକ ନମୂନା ପରୀକ୍ଷା କରିବା ଆରମ୍ଭ କରିଥିଲା । ଅସ୍ୱାଭାବିକ ଗୁଣସୂତ୍ର-କ୍ରମ ବିବର୍ତନ ଦେଖି ଏନଆଇସିଡିର ବୈଜ୍ଞାନକିମାନେ କୋଭିଡ ଭୂତାଣୁର ଆଉ ଏକ ନୂଆ ଷ୍ଟ୍ରେନ ଉତ୍ପତି ହୋଇଥିବା ଜାଣିଥିଲେ ।

ଚିନ୍ତାରେ ପକାଇଛି ଭୟାବହ ‘ଓମିକ୍ରନ’ ପ୍ରଜାତି । ନୂଆ ପ୍ରଜାତି ଚିହ୍ନଟ ବେଳେ ଆତଙ୍କିତ ହୋଇପଡିଥିଲେ ବୈଜ୍ଞାନିକ । ନଭେମ୍ବର ୨୩ତାରିଖ ସୁଦ୍ଧା ଜୋହନସବର୍ଗ ଓ ପ୍ରିଟୋରିଆ ଆଖପାଖରୁ ଆଉ ୩୨ଟି ନମୂନା ପରୀକ୍ଷା କରାଯାଇଥିଲା । ଏହା ପରେ ଏନଆଇସିଡିର ଜିନ୍ ସିକ୍ୱେନ୍ସର ଡାନିଏଲ ଆମୋଆକୋ କହିଥିଲେ, ସେତେବେଳକୁ ଭୂତାଣୁ ଯେ ଭୟାବହ ଏକଥା ସ୍ପଷ୍ଟ ହୋଇସାରିଥିଲା । ଏହା ଅତ୍ୟନ୍ତ ଆତଙ୍କିତ କରିବା ଭଳି ଥିଲା । ସେହିଦିନ ହିଁ ଦକ୍ଷିଣ ଆଫ୍ରିକାରେ ଥିବା ସ୍ୱାସ୍ଥ୍ୟ ବିଭାଗ ଏବଂ ପରୀକ୍ଷାଗାର ଗୁଡିକୁ ‘ଜିନ୍ ଅନୁକ୍ରମ’ ପରୀକ୍ଷା କରିବାକୁ କହିଥିଲା ଏବଂ ସବୁଆଡେ ପ୍ରାୟତଃ ସମାନ ଫଳାଫଳ ମିଳିଲା । ପରୀକ୍ଷାରୁ ମିଳିଥିବା ତଥ୍ୟକୁ ଡାଟାବେସରେ ଫିଡ କରାଯିବା ପରେ ଏନଆଇସିଡି ଜାଣିଥିଲା ଯେ, ବଟସୱାନା ଓ ହଙ୍ଗକଙ୍ଗରେ ବି ସମାନ ଗୁଣସୂତ୍ର ଅନୁକ୍ରମର ମାମଲା ରିପୋର୍ଟ ହୋଇଛି । ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏନେଇ ସୂଚନା ଦିଆଯାଇଥିଲା ।

କରୋନାର ନୂଆ ପ୍ରଜାତି ଓମିକ୍ରନକୁ ଭ୍ୟାରିଆଂଟ ଅଫ୍ କନସର୍ନ ବା ଚିନ୍ତାଜନକ ଶ୍ରେଣୀ ତାଲିକା ଭୁକ୍ତ କରିସାରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏବଂ ଏହା ଆଉ ଏକ ଲହରର କାରଣ ବନିପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ କରିଛି । ମହାମାରୀ କୋଭିଡ୍-୧୯ ଆସିବା ଦିନଠାରୁ ଏହା ବାରମ୍ବାର ରୂପ ବଦଳାଇଛି । କିନ୍ତୁ ସବୁ ରୂପ ମାରାତ୍ମକ ହୋଇନାହାନ୍ତି । ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ମାରାତ୍ମକ ସାବ୍ୟସ୍ତ ହୋଇଛି ଡେଲଟା ପ୍ରଜାତି । କିନ୍ତୁ ଏହି ପ୍ରଜାତି ବିରୋଧରେ ଟିକା ପ୍ରଭାବି ଥିଲା । ଆଉ ସଂକ୍ରମଣ ରୋକିବାରେ ବେଶ ସହାୟକ ହୋଇଛି । କିନ୍ତୁ ଓମିକ୍ରନ ବିରୋଧରେ ଟିକା କେତେ ପ୍ରଭାବି ହେଉଛି ତାହା ଆଉ କିଛି ଦିନ ଭିତରେ ସ୍ପଷ୍ଟ ହୋଇଯିବ । ହେଲେ, ତୃତୀୟ ଲହର ଆଶଙ୍କା ଥିବାରୁ ଆମକୁ ସତର୍କ ରହିବାକୁ ପଡିବ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଭଳି ଗୁରୁତ୍ୱପୂର୍ଣ୍ଣ କରୋନା କଟକଣାକୁ ମାନିବାକୁ ପଡିବ ।