କନକ ବ୍ୟୁରୋ : ପ୍ରଥମେ ନ୍ୟୁଜିଲ୍ୟାଣ୍ଡ ପରେ ଇଂଲଣ୍ଡ । ଟି-୨୦ ବିଶ୍ୱକପର ସେମିଫାଇନାଲରେ ସ୍ଥାନପକ୍କା କରିଛନ୍ତି ଗ୍ରୁପ ୧ର ଏହି ଦୁଇ ଦଳ । ଆଜି ସ୍ପଷ୍ଟ ହେବ ଗ୍ରୁପ ୨ର ଚିତ୍ର । ଆଉ ସମସ୍ତଙ୍କ ନଜର ରହିଛି ଟିମ୍ ଇଣ୍ଡିଆ ଉପରେ । ଟିମ୍ ଇଣ୍ଡିଆ ମେଲବୋର୍ଣ୍ଣରେ ଜିମ୍ବାୱେ ସହିତ ଆଜି ଖେଳିବାକୁ ଯାଉଛି । ଭାରତ ମ୍ୟାଚ ଜିତିଲେ ସେମିଫାଇନାଲରେ ପ୍ରବେଶ କରିବ । ଯଦି ଜିମ୍ବାୱେ ବିଜୟୀ ହେବ ତାହେଲେ ସେମିଫାଇନାଲ ଯିବା ନେଇ ଅନିଶ୍ଚିତତା ରହିବ । ଏପରି ଆଶଙ୍କା କରାଯିବାର କାରଣ ୱେଷ୍ଟେଣ୍ଡିଜ, ପାକିସ୍ତାନ ଭଳି ଦଳକୁ ହରାଇଛି ଜିମ୍ବାୱେ ଟିମ୍ ।

Advertisment

ଆଜ୍ଞା ହଁ ତେଣୁ ଟିମ୍ ଇଣ୍ଡିଆକୁ ଆଜି ସତର୍କ ରହି ଖେଳିବାକୁ ହେବ । ଟିମ୍ ଇଣ୍ଡିଆକୁ ମାତ୍ର ୧ ପଏଣ୍ଟ ଆବଶ୍ୟକ ଏବଂ ଯଦି ବର୍ଷା ହେତୁ ମ୍ୟାଚ୍ ବାତିଲ ହୁଏ ତେବେ ସେମିଫାଇନାଲରେ ପ୍ରବେଶ କରିପାରିିବ ଭାରତ । ତେବେ ଆଜି ମେଲବୋର୍ଣ୍ଣର ପାଗ ଭଲ ରହିବ ବୋଲି ଆଶା କରାଯାଉଛି । ସେପଟେ ଆଜି ଆଡିଲେଡରେ ଗ୍ରୁପ୍ -୨ ର ଅନ୍ୟ ଦୁଇଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡକୁ ଭେଟିବ । ସେମିଫାଇନାଲରେ ପହଞ୍ଚିବା ପାଇଁ ଦକ୍ଷିଣ ଆଫ୍ରିକା ଜିତିବା ଆବଶ୍ୟକ । ଯଦି ସେ ହାରିଯାଏ, ତେବେ ଟିମ୍ ଇଣ୍ଡିଆର ମ୍ୟାଚର ଫଳାଫଳ ଯାହା ହେଉନା କାହିଁକି ଦଳ ସେମିଫାଇନାଲରେ ପ୍ରବେଶ କରିବ ।

ଯଦି ଦକ୍ଷିଣ ଆଫ୍ରିକା ଜିତେ, ତା’ହେଲେ ଏହି ପିଚରେ ଖେଳାଯିବାକୁ ଥିବା ପରବର୍ତୀ ମ୍ୟାଚ ପାକିସ୍ତାନ ବାଂଲାଦେଶ ମ୍ୟାଚ ଉପରେ ନଜର ରହିବ । ଉଭୟ ଦଳ ସମାନ ପଏଣ୍ଟ ପାଇଛନ୍ତି । ପାକିସ୍ତାନ ଟିକିଏ ଆଗରେ ଅଛି । ତେଣୁ ଯିଏ ଜିତିବ ତାର ପଏଣ୍ଟ ଭାରତ ସହିତ ସମାନ ହେବ । ତେଣୁ ଟିମ୍ ଇଣ୍ଡିଆକୁ ମ୍ୟାଚ୍ ଜିତିବାକୁ ହେବ । ଯଦି ବାଂଲାଦେଶ ଜିତେ, ତେବେ ଭାରତ ହାରିବା ପରେ ମଧ୍ୟ ସେମିରେ ପହଞ୍ଚିବା ସ୍ଥିତିରେ ରହିବ, ଯଦି ବାଂଲାଦେଶ ଅପେକ୍ଷା ନେଟ୍ ରନ୍ ରେଟ୍ ଭାରତର ଭଲ ରହିବ ।