ବାତ୍ୟା, ବନ୍ୟାରୁ ବର୍ତ୍ତି ଯାଇଥିବା ଧାନ କ୍ଷେତରେ ଲାଗିଛି ଚକଡା ପୋକ: ରୋଗ ପୋକ ନିୟନ୍ତ୍ରଣରେ କାମ କରୁନି ସାର ଔଷଧ

108

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଉପରେ ଦାଉ ସାଜୁଛି ପ୍ରାକୃତିକ ବିପର୍ଯ୍ୟୟ । କେତେବେଳେ ବାତ୍ୟା ତ କେତେବେଳେ ବନ୍ୟା, ଚାଷୀଙ୍କ ଅର୍ଥୀକ ମରୁଦଣ୍ଡକୁ ଦୋହଲାଇ ଦେଇଛି । ଚଳିତ ବର୍ଷ ଚାଷ ଆରମ୍ଭରୁ ଚାଷୀଙ୍କୁ ପ୍ରଥମେ ବାତ୍ୟା ୟାସ ବାଧା ଦେଇଥିଲା । ପରେ ଲଘୁଚାପ ଲଗାଣ ବର୍ଷା ଯୋଗୁଁ ଆସିଥିବା ବନ୍ୟା ନାକେଦମ କରିଥିଲା । ବାଲେଶ୍ୱର ଜିଲ୍ଲାର ପ୍ରାୟ ୩୦ ପ୍ରତିଶତ ଚାଷ କ୍ଷତିଗ୍ରସ୍ତ ହୋଇଥିଲା । ଆଉ ଯାହା ଯେତିକି ଧାନ ବଂଚିଥିଲା ସେଥିରେ ଏବେ ଚକଡା ପୋକ ଲାଗିଛନ୍ତି । ଧାନ କେଣ୍ଡା ବାହାରିବା ବେଳକୁ ପୋକ ଲାଗିବାରୁ ଫସଲ ଉଜୁଡି ଯିବାକୁ ବସିଛି ।

ବାଲେଶ୍ୱର ବସ୍ତା ବ୍ଲକର ୨୦ ହଜାର ୨୦୦ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ବନ୍ୟାରେ ପ୍ରାୟ ୫ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲା । ବାତ୍ୟା-ବନ୍ୟାରୁ ବଂଚିଥିବା ଧାନଗଛକୁ ଏବେ ଖାଇ ଯାଉଛି ଚକଡା ପୋକ । ବରୁଣଗଡିଆ, ବ୍ରାହ୍ମୁଣଦା, ଦରଡା, ନଟାକଟା, କୁଳିଦା, ବାସିଚକୁରାଇ, ବାହାର୍ଦା, ମଥାନୀ, ମୁକୁଳିସି, ଇଡଦା ପଂଚାୟତରେ ଧାନ ଗଛରୁ କେଣ୍ଡା ବାହାରିବା ବେଳକୁ ଚକଡା ଚଡକ ପଡିଛି । ଥୋଡ ବାହାରିବା ବେଳେ ପୋକ ଲାଗିବାରୁ ଗଛ ନାଲି ପଡିଗଲାଣି । ପତ୍ର ସୁଖିବା ଆରମ୍ଭ କଲାଣି, କେଣ୍ଡା ଆହାର ନପାଇ ନଷ୍ଟ ହେବାକୁ ବସିଲାଣି । ଚାଷକୁ ରୋଗମୁକ୍ତ କରିବା ପାଇଁ ଚାଷୀ ଯେତେ ପ୍ରକାର ସାର-ଔଷଧ ପ୍ରୟୋଗ କଲେ ବି କିଛି ଲାଭ ହେଉନି ।

ଧାନକୁ ଲାଭ ଜନକ ଫସଲ ଭାବେ ଚାଷ କରି ବସ୍ତା ଅଂଚଳର ଚାଷୀ ପରିବାର ପ୍ରତିପୋଷଣ କରନ୍ତି । ବର୍ଷକ ପାଇଁ ଖାଦ୍ୟ ରଖିବା ସହ ବିକ୍ରି କରି ଦୁଇ ପଇସା ରୋଜଗାର କରିଥାନ୍ତି । ହେଲେ ଚଳିତ ବର୍ଷର ଧାନ ଚାଷ ସମ୍ପୁର୍ଣ୍ଣ ଉଜୁଡି ଯିବାର ଆଶଙ୍କା କରିଛନ୍ତି ଚାଷୀ । ଚକଡା ପୋକ ଲାଗି ଚାଷ ନଷ୍ଟ ହୋଇଗଲେ ଋଣ ଆଣି ଚାଷ କରିଥିବା ଚାଷୀ, କଣ କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି । ଜିଲ୍ଲା କୃଷି ବିଭାଗ ପକ୍ଷରୁ ତୁରନ୍ତ ଏହାର ଅନୁଧ୍ୟାନ କରି ପଦକ୍ଷେପ ନେବାରୁ ଚାଷୀ ଦାବି କରିଛନ୍ତି ।