ଦେଶରେ ଗହମ ଦର ବୃଦ୍ଧି ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ବିଦେଶକୁ ଗହମ ରପ୍ତାନୀ ଉପରେ ଲାଗିଲା ରୋକ

132

କନକ ବ୍ୟୁରୋ: ଗହମ ରପ୍ତାନୀ ଉପରେ ରୋକ ଲଗାଇଲେ ଭାରତ ସରକାର । ଅର୍ନ୍ତଜାତୀୟ ବଜାରରେ ଦିନକୁ ଦିନ ଗହମର ଅଭାବ ଦେଖାଯିବା ପରେ ମୂଲ୍ୟ ବି ଆକାଶଛୁଆଁ ହୋଇଛି । ଏଭଳି ସ୍ଥିତିକୁ ନଜରରେ ରଖି ଭାରତ ସରକାର ଅସ୍ଥାୟୀ କଟକଣା ଲଗାଇଛନ୍ତି । ଏହାକୁ ପ୍ରତିବନ୍ଧିତ ଶ୍ରେଣୀରେ ଅର୍ନ୍ତଭୁକ୍ତ କରାଯାଇଥିବାବେଳେ ଭାରତ ସରକାରଙ୍କ ବିନା ଅନୁମତିରେ ଅନ୍ୟ ଦେଶମାନଙ୍କୁ ଏଣିକି ଗହମ ପଠାଯାଇପାରିବନି । ବୈଦେଶିକ ବ୍ୟାପର ମହାନିର୍ଦ୍ଦେଶାଳାୟ ବା ଡିଜିଏଫଟି ବିଜ୍ଞପ୍ତି ଜାରି କରି ସରକାରଙ୍କ ନିଷ୍ପତି ସର୍ମ୍ପକରେ ଘୋଷଣା କରିଛନ୍ତି । କିନ୍ତୁ ମେ ୧୩ ପୂର୍ବରୁ ଗହମ ରପ୍ତାନୀ ପାଇଁ ଯେଉଁ ଅର୍ଡର ପାସ ହୋଇଛି ତାହାକୁ ରପ୍ତାନୀ ପାଇଁ ଅନୁମତି ରହିଛି ।

ରୁଷ-ୟୁକ୍ରେନ ମଧ୍ୟରେ ଚାଲଥିବା ଯୁଦ୍ଧର ପ୍ରଭାବ ଅର୍ନ୍ତଜାତୀୟ ବଜାରରେ ଉପରେ ପଡୁଛି । ବିଶ୍ୱ ବଜାରକୁ ଉଭୟ ରୁଷ ଓ ୟୁକ୍ରେନ ଗହମର ଏକ ବଡ ପ୍ରତିଶତ ଯୋଗାଉଥିବାବେଳେ ଏବେ ତାହା ବନ୍ଦ ହୋଇଛି । ତେଣୁ ତେଲଠୁ ନେଇ ଗହମ, ସବୁ କିଛିର ଦରଦାମ ଏବେ ଆକାଶଛୁଆଁ । ଗହମର ମୂଲ୍ୟରେ ଥରକେ ୪୦ ପ୍ରତିଶତ ବୃଦ୍ଧି ହୋଇଥିବାରୁ ଏହା ବିଭିନ୍ନ ଦେଶକୁ ଚିନ୍ତାରେ ପକାଇଛି । ଏହାକୁ ନଜରରେ ରଖି ଖାଦ୍ୟ ସୁରକ୍ଷା ଆଇନକୁ ସୁନିଶ୍ଚିତ କରିବାକୁ ଏବେ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର ।

ଅର୍ନ୍ତଜାତୀୟ ବଜାରରେ ଗହମର ମୂଲ୍ୟ ଏବେ ଆକାଶ ଛୁଆଁ ହୋଇଥିବାରୁ ସରକାର ଏହି କଟକଣା ଲଗାଇଛନ୍ତି । ମୂଲ୍ୟବୃଦ୍ଧି ପାଇଁ ଯେଉଁ ଦେଶ ଗହମ କିଣିବାକୁ ଅସର୍ମଥ ସେମାନଙ୍କ ପାଇଁ ରପ୍ତାନୀ କ୍ଷେତ୍ରରେ କଟକଣା କୋହଳ କରିବା ନେଇ ସ୍ପଷ୍ଟ କରିଛନ୍ତି ସରକାର ।

ଗହମ ରପ୍ତାନୀ ଉପରେ କଟକଣା ଲଗାଇ ସରକାର ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛ କିି ସେହି ଦେଶମାନଙ୍କୁ ଗହମ ରପ୍ତାନୀ କରାଯିବ,ଯେଉଁଥିପାଇଁ ସରକାର ଅନୁମତି ଦେବେ । ଏପରି କ୍ଷେତ୍ରରେ ଗହମ ଆବଶ୍ୟକ କରୁଥିବା ଦେଶର ସରକାରଙ୍କ ଆଗ୍ରହକୁ ପ୍ରାଧାନ୍ୟ ଦିଆଯିବ । ଏହାଦ୍ୱାରା ସେଠାକାର ନାଗରିକ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ ।

ବିଶ୍ୱରେ ବଢୁଥିବା ଚାହିଦାକୁ ଦେଖିଲେ ଆର୍ଥିକ ବର୍ଷ ୨୦୨୨-୨୩ରେ ଗହମ ରପ୍ତାନୀ ୧୦୦ ଟନରୁ ଅଧିକ ହୋଇପାରେ । କିନ୍ତୁ ଏବେ ଦେଶର ସ୍ଥିତି ବଦଳିବାରେ ଲାଗିଛି । ଏମଏସପିଠାରୁ ଅଧିକ ଦାମରେ ଗହମ କିଣା ଓ ଉତ୍ପାଦନ କମ କାରଣରୁ ସରକାରୀ କ୍ଷେତ୍ରରେ କିଣା ପରିମାଣ କମିଛି । ତେଣୁ ସରକାର ଖାଦ୍ୟ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ବିଦେଶକୁ ଗହମ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି ।