ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ । ପୂରା ବିଶ୍ୱର ପେଟ ଭରିବ ଭାରତ, ଗହମ ନେବାକୁ ବିଭିନ୍ନ ଦେଶ ଲଗାଇଛନ୍ତି ଲାଇନ୍ । 

617

କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ପୂରା ବିଶ୍ୱରେ ପଡିଛି । ପେଟ୍ରୋଲ ଦର ଦୈନିକ ବଢୁଥିବା ବେଳେ ଗହମର ଦର ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଲାଣି । ତେବେ ଭାରତରେ ତୈଳ ଦର ବୃଦ୍ଧିକୁ ନେଇ ଚିନ୍ତା ବଢିଥିବା ବେଳେ ଗହମକୁ ନେଇ ସେତେଟା ଚିନ୍ତିତ ନୁହେଁ ଭାରତ । କାରଣ ଭାରତ ପାଖରେ ଆବଶ୍ୟକତା ଠାରୁ ଅଧିକ ଗହମ ମହଜୁଦ ରହିଛି । ଭାରତ ପାଖରେ ଏବେ ୧୨ ମିଲିୟନ ଟନ୍ ଗହମ ମହଜୁଦ ରହିଛି । ଯାହାକୁ ବିଶ୍ୱର ବିଭିନ୍ନ ଦେଶକୁ ରପ୍ତାନୀ କରିବ ଭାରତ । ପୂର୍ବରୁ ଯେଉଁ ଦେଶ ଗୁଡିକ ଋଷ ଓ ୟୁକ୍ରେନ  ଠାରୁ ଗହମ ନେଉଥିଲେ ସେହି ସବୁ ଦେଶ ଗୁଡିକୁ ଭାରତ ଗହମ ରପ୍ତାନୀ କରିବ । ଆଉ ତାଲିକାରେ ଆଗରେ ରହିଛି ଇଜିପଟ୍ । ତେବେ ଭାରତ ପାଖରେ ଯଥେଷ୍ଟ ଗହମ ଥିବାରୁ ବିଶ୍ୱ ବଜାରରେ ଗହମର ଦର ରେକର୍ଡସ୍ତରରେ ପହଞ୍ଚିଥିଲେ ମଧ୍ୟ ସେତେଟା ବୃଦ୍ଧି ପାଇନାହିଁ ।

ଗହମ ରପ୍ତାନୀ ନେଇ ଇଜିପ୍ଟ ସହ ଭାରତର ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚୀନ୍, ତୁର୍କୀ, ସୁଦାନ, ନାଇଜେରିଆ ଓ ଇରାନ ମଧ୍ୟ ଗହମ କିଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଗତ ୧୦ ମାସ ମଧ୍ୟରେ ଭାରତରେ ଗହମ ଉତ୍ପାଦନ ୪ ଗୁଣା ଅଧିକ ବୃଦ୍ଧି ପାଇଛି । ଆଉ ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଭାରତ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । କାରଣ ଋଷ-ୟୁକ୍ରେନ୍ ଯୁଦ୍ଧ ପାଇଁ ଭାରତରେ ଉତ୍ପାଦିତ ଗହମର ଚାହିଦା ଏବେ ବିଶ୍ୱ ବଜାରରେ ଯଥେଷ୍ଟ ଅଧିକ । କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭାରତ ଗହମର ରପ୍ତାନୀ କରିବା ଦ୍ୱାରା ବିଶ୍ୱ ବଜାରରେ ଗହମ ବିତରଣ ସ୍ୱାଭାବିକ ହେବ । ଏହାଛଡା ଦର ମଧ୍ୟ ସେଭଳି ବୃଦ୍ଧି ପାଇବ ନାହିଁ । କିନ୍ତୁ ଭାରତ ଯଦି ଗହମ ରପ୍ତାନୀ ନକରେ ତେବେ ଗହମର ଦର ହୁହୁ ହୋଇ ବଢିବ ।