ପ୍ରାଇଭେସି ପଲିସିକୁ ନେଇ ପୁଣି ସ୍ପଷ୍ଟୀକରଣ ଦେଲା ହ୍ୱାଟ୍ସଆପ: ଷ୍ଟାଟସ ମାଧ୍ୟମରେ ବ୍ୟବହାରକାରୀଙ୍କୁ ଦେଲା ବାର୍ତ୍ତା; କହିଲା, ୟୁଜର୍ସଙ୍କ ବ୍ୟକ୍ତିଗତ ଗୋପନୀୟତା ପାଇଁ ପ୍ରତିବଦ୍ଧ କମ୍ପାନୀ

ଫେସବୁକ ସହ କଂଟାକ୍ଟ ସେୟାର କରେନି କମ୍ପାନୀ

1,036

କନକ ବ୍ୟୁରୋ: ପ୍ରାଇଭେସି ପଲିସିକୁ ନେଇ ପୁଣି ସ୍ପଷ୍ଟୀକରଣ ଦେଲା ହ୍ୱାଟ୍ସଆପ । ଷ୍ଟାଟସ ମାଧ୍ୟମରେ ବ୍ୟବହାରକାରୀଙ୍କୁ ଦେଲା ବାର୍ତା । କହିଲା, ୟୁଜର୍ସଙ୍କ ବ୍ୟକ୍ତିଗତ ଗୋପନୀୟତା ପାଇଁ ପ୍ରତିବଦ୍ଧ ରହିଛି କମ୍ପାନୀ । ଏପରିକି ଏଣ୍ଡ ଟୁ ଏଣ୍ଡ ଇନକ୍ରିପସନ ଯୋଗୁଁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ କଥାବାର୍ତା ପଢି କିମ୍ବା ଶୁଣିପାରେ ନାହିଁ କମ୍ପାନୀ । ଏବଂ ଆପଣ ସେୟାର କରିଥିବା ଲୋକେସନକୁ ମଧ୍ୟ ଦେଖିପାରେ ନାହିଁ । ଏହାସହ ଫେସବୁକ ସହ ହ୍ୱାଟ୍ସଆପ୍ କମ୍ପାନୀ କୌଣସି କଂଟାକ୍ଟ ସେୟାର କରେନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛି କମ୍ପାନୀ ।

ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ବ୍ୟବହାରକାରୀଙ୍କ ଚିନ୍ତା ବଢାଇଛି । ନିତିଦିନିଆ କାମରେ ବ୍ୟବହାର କରାଯାଉଥିବା ହ୍ୱାଟ୍ସ ଆପ୍ ସତରେ କଣ ଆଉ ସୁରକ୍ଷିତ ନୁହେଁ । କମ୍ପାନୀ ପକ୍ଷରୁ ନୂଆ ପଲିସି ଘୋଷଣା ପରେ ଏହାକୁ ନେଇ ସାରା ବିଶ୍ୱରେ ସମାଲୋଚନା ହୋଇଛି । ଏପରି ସ୍ଥିତିକୁ ଦେଖି ବ୍ୟବହାରୀକାରୀଙ୍କ ପାଇଁ ଶନିବାର ଦିନ ବଡ ଘୋଷଣା କରିଥିଲା କମ୍ପାନୀ । ପ୍ରାଇଭେସୀ ପଲିସିକୁ ଗ୍ରହଣ କରିବା ସମୟକୁ ୩ମାସ ପାଇଁ ସ୍ଥଗିତ ରଖିଛି କମ୍ପାନୀ । ହ୍ୱାଟ୍ସଆପ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଥିଲା ଯେ, ଫେବୃୟାରୀ ୮ତାରିଖରେ କୌଣସି ହ୍ୱାଟ୍ସଆପ୍ ଆକାଉଂଟ ଡିଲିଟ କରିବାକୁ ପଡିବ ନାହିଁ । ହ୍ୱାଟ୍ସଆପରେ ଗୋପନୀୟତା ଏବଂ ସୁରକ୍ଷା କିଭଳି କାମ କରୁଛି ସେ ନେଇ ସୂଚନା ଦେବା ଲାଗି ଆଗକୁ ଆହୁରୀ ଅଧିକ କାମ ଚାଲିଛି । ଆସନ୍ତା ମେ’ ୧୫ରେ ନୂଆ ଅପଡେଟ ଅପସନ ଉପଲବ୍ଧ ହେବା ପୂର୍ବରୁ ଲୋକଙ୍କ ମଧ୍ୟରେ ଥିବା ଭ୍ରମ ଦୂର ହୋଇଯିବ ।

ନୂଆ ପ୍ରାଇଭେସୀ ଟର୍ମ ଓ ପଲିସିକୁ ଆକସେପ୍ଟ ବା ଗ୍ରହଣ କରିବାକୁ ବ୍ୟବହାରକାରୀଙ୍କୁ ଫେବୃୟାରୀ ୮ ତାରିଖ ଯାଏଁ ଦିଆଯାଇଥିବା ସମୟ ଅବଧିକୁ ବଢାଇଛି କମ୍ପାନୀ ।