ହ୍ୱାଟ୍ସଆପର ସୁରକ୍ଷା ନେଇ ଉଠୁଥିବା ପ୍ରଶ୍ନ ଭିତରେ ସ୍ପଷ୍ଟୀକରଣ ଦେଲା କଂପାନୀ । ବ୍ୟକ୍ତିଗତ ବ୍ୟବହାରକାରୀଙ୍କ ଉପରେ ପଡିବନି ପ୍ରଭାବ, ସେମାନଙ୍କ ଡାଟା ରହିବ ସୁରକ୍ଷିତ ।

866

କନକ ବ୍ୟୁରୋ : ହ୍ୱାଟ୍ସଆପର ନୂଆ ପ୍ରାଇଭେସୀ ପଲିସି ଚର୍ଚ୍ଚାରେ ରହିଛି । ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରହିବ ନା ନାହିଁ ଏହାକୁ ନେଇ ଏବେ ବିତର୍କ ସୃଷ୍ଟି ହୋଇଛି । ୟୁଜର୍ସଙ୍କ ତଥ୍ୟ ସେୟାର ପାଇଁ ଅନୁମତି ଲୋଡିଛି ହ୍ୱାଟ୍ସଆପ । ଫେବୃୟାରୀ ୮ ତାରିଖ ସୁଦ୍ଧା ଡାଟା ସେୟାର ପାଇଁ ଅନୁମତି ନଦେଲେ ଆକାଉଂଟ ଡିଲିଟ ହେବ ବୋଲି କଂପାନୀ ପୂର୍ବରୁ ସ୍ପଷ୍ଟ କରିସାରିଛି । ତଥ୍ୟ ସେୟାର ନେଇ ହ୍ୱାଟସଆପର ବିଶ୍ୱସନୀୟତା ପ୍ରଶ୍ନ ଘୋରକୁ ଆସିଯାଇଛି । ସେପଟେ ବହୁ ଲୋକ ପ୍ରାଇଭେସୀ ଫୋକସଡ ମେସେଜିଂ ଆପ ସିଗ୍ନାଲ ଓ ଟେଲିଗ୍ରାମକୁ ସିଫ୍ଟ ହୋଇଯାଉଛନ୍ତି ।

ହ୍ୱାଟ୍ସଆପର ବିଶ୍ୱସନୀୟତା ଉପରେ ବଡ ପ୍ରଶ୍ନବାଚୀ । ଡାଟା ଲିକ୍ ଚର୍ଚ୍ଚା ପରେ ସ୍ପଷ୍ଟୀକରଣ ଦେଲା କମ୍ପାନୀ । ହ୍ୱାଟ୍ସଆପ, ନୂଆ ପ୍ରାଇଭେସୀ ପଲିସି ଅପଡେଟ କରିବା ପରେ ଚର୍ଚ୍ଚାରେ ରହିଛି । ନୂଆ ପ୍ରାଇଭେସୀ ପଲିସି ଅନୁସାରେ ବ୍ୟବହାରକାରୀଙ୍କ ତଥ୍ୟ ସେୟାର କରିବାକୁ ହ୍ୱାଟ୍ସଆପ ଅନୁମତି ଲୋଡୁଛି । ତେଣୁ ବ୍ୟବହାରକାରୀଙ୍କ ତଥ୍ୟ ଉପରେ କଂପାନୀର ସଂପୂର୍ଣ୍ଣ ନିୟନ୍ତ୍ରଣ ରହିବ ବୋଲି ଚର୍ଚ୍ଚା ଚାଲିଛି । ଏହା ଡାଟା ଲିକ୍ ସନ୍ଦେହ ବଢାଇଥିବା ବେଳେ କଂପାନୀ ବିବାଦ ଘେରକୁ ଚାଲିଆସିଛି । ଏହାରି ଭିତରେ ହ୍ୱାଟ୍ସଆପ୍ ସ୍ପଷ୍ଟୀକରଣ ଦେଇ କହିଛି, ସାଧାରଣ ଆକାଉଂଟ ହୋଲଡରଙ୍କ ବ୍ୟକ୍ତିଗତ ଗୋପନୀୟତା ଉପରେ କୌଣସି ବିପଦ ନାହିଁ । ତେବେ ବିଜନେସ ଆକାଉଂଟ ୟୁଜର୍ସଙ୍କ ଉପରେ ପ୍ରାଇଭେସୀ ପଲିସି ପ୍ରଭାବ ପକାଇବ ।

ନୂଆ ପ୍ରାଇଭେସୀ ପଲିସୀ ଜରିଆରେ ହ୍ୱାଟ୍ସଆପ କଂପାନୀ ଏବେ ସିଧା ବିଜନେସ ଆକାଉଂଟକୁ ଟାର୍ଗେଟ କରୁଛି । ଲୋକଙ୍କ ଚାହିଦାକୁ ଦେଖି ବିଜ୍ଞାପନ ଛାଡି ନିଜ ବ୍ୟବସାୟ କରିବାକୁ ଯାଉଛି ହ୍ୱାଟ୍ସଆପ ।

ହ୍ୱାଟ୍ସଆପର ନୂଆ ପ୍ରାଇଭେସୀ ପଲିସିକୁ ନେଇ ବିବାଦ ତେଜିବା ପରେ କଂପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦେଇ କହିଛି, ବ୍ୟବହାରକାରୀଙ୍କ ତଥ୍ୟ ସଂପୂର୍ଣ୍ଣ ସୁରକ୍ଷିତ ରହିବ । ଆସନ୍ତୁ ଦେଖିବା ସ୍ପଷ୍ଟୀ କରଣରେ କଣ କହିଛି ହ୍ୱାଟ୍ସଆପ କଂପାନୀ ।

୧ -ଆପଣ ନିଜ ସାଙ୍ଗ ସାଥୀ, ପରିବାର ଲୋକଙ୍କ ସହ କରୁଥିବା ଚାଟ୍ ସଂପୂର୍ଣ୍ଣ ଗୋପନୀୟ ରହିବ । ନୂଆ ପ୍ରାଇଭେସୀ ପଲିସି ଏହା ଉପରେ କିଛି ପ୍ରଭାବ ପକାଇବ ନାହିଁ । ତେବେ ବ୍ୟବସାୟିକ ଆକାଉଂଟ ଉପରେ ଏହାର ପ୍ରଭାବ ପଡିବ ।

୨- ଆପଣଙ୍କ କୌଣସି ବ୍ୟକ୍ତିଗତ ମେସେଜ କିମ୍ବା କଲ ଓ ସେୟାର କରିଥିବା ଲୋକେସନ ହ୍ୱାଟସଆପ, ଫେସବୁକ ଶୁଣି ପାରିବେ ନାହିଁ କି ଦେଖି ପାରିବେ ନାହିଁ । କାରଣ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ସୁରକ୍ଷାରେ ହ୍ୱାଟ୍ସଆପର ମେସେଜ ରହିଛି ।

୩- ବ୍ୟବହାରକାରୀ ଅନୁମତି ଦେବା ପରେ ଫୋନ ଆଡ୍ରେସ ବୁକ ପାଇବ ହ୍ୱାଟ୍ସଆପ । ତେବେ ବ୍ୟବହାରକାରୀ ନିଶ୍ଚିତ ରୁହନ୍ତୁ, ହ୍ୱାଟ୍ସଆପ କାହାରିକୁ କଂଟାକ୍ଟ ଲିଷ୍ଟ ସେୟାର କରିବ ନାହିଁ ।

୪- ହ୍ୱାଟ୍ସଆପ ସ୍ପଷ୍ଟ କରିଛି ଗ୍ରୁପ ଚାଟର ତଥ୍ୟକୁ ବିଜ୍ଞାପନ ଉଦ୍ଦେଶ୍ୟରେ ଫେସବୁକକୁ ସେୟାର କରିବ ନାହିଁ । ଏହି ପ୍ରାଇଭେଟ ଚାଟ ମଧ୍ୟ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ସୁରକ୍ଷାରେ ରହିଛି ।

ଲୋକେ ଅନଲାଇନ୍ ସପିଂ କରିବାକୁ ପସନ୍ଦ କରୁଥିବାରୁ, ହ୍ୱାଟ୍ସଆପ ଜରିଆରେ ଲୋକଙ୍କୁ ପଣ୍ୟ ସାମଗ୍ରୀର ବିଜ୍ଞାପନ ଦେଖାଇବାକୁ ଯୋଜନା କରିଛି କଂପାନୀ । ଆପଣ ବିଜ୍ଞାପନ ଦେଖି ଦୋକାନୀଙ୍କ ସହ କଥା ହେଲେ ନଜର ରଖାଯିବ । ତେବେ ବ୍ୟବହାରକାରୀଙ୍କ ତଥ୍ୟ ଫେସବୁକକୁ ସେୟାର କରାଗଲେ ଜଣାଇ ଦିଆଯିବ ବୋଲି କହିଛି ହ୍ୱାଟ୍ସଆପ ।