ମୁଣ୍ଡ ନୁଆଁଇଲା ହ୍ୱାଟ୍ସଆପ୍: ନୂଆ ପଲିସୀକୁ ମେ’ ମାସ ପର୍ଯ୍ୟନ୍ତ ରଖିଲା ସ୍ଥଗିତ । କୋଟି କୋଟି ଲୋକ ହ୍ୱାଟ୍ସଆପ୍ରୁ ଓହରିବା ପରେ ଚେତିଲା କଂପାନୀ  ।

797
କନକ ବ୍ୟୁରୋ: ମୁଣ୍ଡ ନୁଆଁଇଲା ହ୍ୱାଟ୍ସଆପ୍ । ନୂଆ ପଲିସୀକୁ ମେ’ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିଛି କମ୍ପାନୀ । କୋଟି କୋଟି ଲୋକ ହ୍ୱାଟ୍ସଆପ୍ରୁ ଓହରିବା ପରେ ହ୍ୱାଟ୍ସଆପ କଂପାନୀର ଚେତା ପଶିଛି । କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇ କୁହାଯାଇଛି ଯେ, ନୂଆ ପଲିସୀ ବୁଝିବା ପାଇଁ ମିଳିବ ଯଥେଷ୍ଟ ସମୟ ।
ହ୍ୱାଟ୍ସଆପ୍ର ନୂଆ ପ୍ରାଇଭେସି ପଲିସି ବଢାଇଛି ବ୍ୟବହାରକାରୀଙ୍କ ଚିନ୍ତା । ନିତିଦିନିଆ କାମରେ ବ୍ୟବହାର କରାଯାଉଥିବା ହ୍ୱାଟ୍ସ ଆପ୍ ସତରେ କଣ ଆଉ ସୁରକ୍ଷିତ ନୁହେଁ । କମ୍ପାନୀ ପକ୍ଷରୁ ନୂଆ ପଲିସି ଘୋଷଣା ପରେ ଏହାକୁ ନେଇ ସାରା ବିଶ୍ୱରେ ସମାଲୋଚନା ହୋଇଛି । ଏପରି ସ୍ଥିତିକୁ ଦେଖି ବ୍ୟବହାରୀକାରୀଙ୍କ ପାଇଁ ବଡ ଘୋଷଣା କରିଛି କମ୍ପାନୀ । ପ୍ରାଇଭେସୀ ପଲିସିକୁ ଗ୍ରହଣ କରିବା ସମୟକୁ ୩ମାସ ପାଇଁ ସ୍ଥଗିତ ରଖିଛି କମ୍ପାନୀ । ହ୍ୱାଟ୍ସଆପ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି, ଫେବୃୟାରୀ ୮ତାରିଖରେ କୌଣସି ହ୍ୱାଟ୍ସଆପ୍ ଆକାଉଂଟ ଡିଲିଟ କରିବାକୁ ପଡିବ ନାହିଁ । ହ୍ୱାଟ୍ସଆପ୍ରେ ଗୋପନୀୟତା ଏବଂ ସୁରକ୍ଷା କିଭଳି କାମ କରୁଛି ସେ ନେଇ ସୂଚନା ଦେବା ଲାଗି ଆଗକୁ ଆହୁରୀ ଅଧିକ କାମ ଚାଲିଛି । ଆସନ୍ତା ମେ’ ୧୫ରେ ନୂଆ ଅପଡେଟ ଅପସନ ଉପଲବ୍ଧ ହେବା ପୂର୍ବରୁ ଲୋକଙ୍କ ମଧ୍ୟରେ ଥିବା ଭ୍ରମ ଦୂର ହୋଇଯିବ ।
ପୂର୍ବରୁ ମଧ୍ୟ ହ୍ୱାଟ୍ସଆପ୍ ଫେସବୁକ ଓ ଥାର୍ଡ ପାର୍ଟି ଆପ ସହ ୟୁଜର୍ସଙ୍କ ଡାଟା ସେୟାର କରୁଥିଲା । ହେଲେ ଏବେ ବ୍ୟବହାରକାରୀଙ୍କ ଅନୁମତି ଲୋଡି ହ୍ୱାଟ୍ସଆପ୍ ଆଇନ ସମ୍ମତ ଭାବେ ତାହା କରିବାକୁ ଯାଉଛି । ତେବେ ଏହାର ସମାଲୋଚନା କରାଯିବା ପରେ ଏଥିପାଇଁ ସମୟ ସୀମା ବୃଦ୍ଧି କରିଛି କମ୍ପାନୀ ।
ନୂଆ ପ୍ରାଇଭେସୀ ଟର୍ମ ଓ ପଲିସିକୁ ଆକସେପ୍ଟ ବା ଗ୍ରହଣ କରିବାକୁ ବ୍ୟବହାରକାରୀଙ୍କୁ ଫେବୃୟାରୀ ୮ ତାରିଖ ଯାଏଁ ଦିଆଯାଇଥିବା ସମୟ ଅବଧିକୁ ବଢାଇଛି କମ୍ପାନୀ । ଯେଉଁ ୟୁଜର୍ସ ନୂଆ ଟର୍ମ ଓ ପଲିସୀକୁ ଆସେପ୍ଟ କରିବେ ନାହିଁ, କଂପାନୀ ସେମାନଙ୍କ ହ୍ୱାଟ୍ସଆପ ଆକାଉଂଟକୁ ଡିଲିଟ କରିଦେବ । ଏବେ ଆମ ମନକୁ ଗୋଟିଏ ପ୍ରଶ୍ନ ଆସୁଛି ହ୍ୱାଟ୍ସଆପ ନିକଟରେ ଆମର ଏମିତି କଣ ତଥ୍ୟ ରହିଛି ଯାହାକୁ ଏହି କମ୍ପାନୀ ଅନ୍ୟ ସହ ସେୟାର କରିବାକୁ ଚାହୁଁଛି ।
କେଉଁ ସବୁ ତଥ୍ୟ ଫେସବୁକ ଓ ଥାର୍ଡ ପାର୍ଟି ଆପକୁ ସେୟାର କରିବ ହ୍ୱାଟ୍ସଆପ୍ … 
– ଫୋନ ନଂବର
– ମୋବାଇଲ ଡିଭାଇସ ସଂପର୍କିତ ସୂଚନା
–  ଆଇପି ଆଡ୍ରେସ
– ମୋବାଇଲ ସିଗନାଲର ସ୍ଥିତି
– ଟାଇମ ଜୋନ୍
– ହ୍ୱାଟ୍ସଆପ୍ ବ୍ୟବହାରକାରୀ
– ଗ୍ରୁପ୍ ସମ୍ପର୍କୀତ ସୂଚନା
– ସେବା ସଂପର୍କିତ ସୂଚନା
– ଫ୍ରୋଫାଇଲ ଫଟୋ 
ହ୍ୱାଟ୍ସଆପ୍ ପାଖରେ ଆମର ଏହିସବୁ ତଥ୍ୟ ରହିଛି । 
ହ୍ୱାଟ୍ସଅପ ସବୁବେଳେ ଏହାର ବ୍ୟବହାରକାରୀଙ୍କୁ କହି ଆସୁଥିଲା, ଆପଣଙ୍କ ବ୍ୟକ୍ତିଗତ ଗୋପନୀୟତାକୁ କଂପାନୀ ସବୁ ବେଳେ ସମ୍ମାନ କରେ । ସେଥିପାଇଁ ଏଂଡ ଟୁ ଏଂଡ ଏନକ୍ରିପସନର ଗ୍ୟାରେଂଟି ମଧ୍ୟ ଦେଉଥିଲା । କିନ୍ତୁ ଆଗକୁ ହ୍ୱାଟସ ଅପ ବଦଳିବାକୁ ଯାଉଛି । ଆଉ ସେହି ଗୋପନୀୟତା ମିଳିବ ନାହିଁ । ବ୍ୟକ୍ତିଗତ ଗୋପନୀୟତା ନିୟମାବଳୀ ଲାଗୁ କରିବାକୁ ହ୍ୱାଟ୍ସଆପ୍ ପକ୍ଷରୁ ଘୋଷଣା କରାଯାଇଥିଲା । ଏଥିପାଇଁ ଅନେକ ୟୁଜର୍ସ ହ୍ୱାଟ୍ସଆପ ଛାଡି ଦେଇଥିଲେ । କିଛି ଦିନ ତଳେ ହ୍ୱାଟ୍ସଆପ୍ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଥିଲେ ମଧ୍ୟ ୟୁଜର୍ସଙ୍କ ଅସନ୍ତୋଷ କମିନଥିଲା । ଏହାପରେ ୟୁୁଜର୍ସଙ୍କୁ ମନାଇବା ପାଇଁ ହ୍ୱାଟ୍ସଆପ୍ ପକ୍ଷରୁ ବ୍ୟକ୍ତିଗତ ଗୋପନୀୟତା ନିୟମାବଳୀଙ୍କୁ ଆସନ୍ତା ୩ମାସ ପାଇଁ ସ୍ଥଗିତ ରଖାଯାଇଛି ।