ଏଣିକି ହ୍ୱାଟ୍ସଆପ ୱେବରେ କରିହେବ ହୃଦୟଖୋଲା କଥାବାର୍ତ୍ତା । ଡେକ୍ସଟପରେ ହେବ ଅଡିଓ- ଭିଡିଓ କଲ୍ । ନୂଆ ଫିଚର ଆଣିଲା ହ୍ୱାଟ୍ସଆପ୍ ।

255

କନକ ବ୍ୟୁରୋ: ପୁଣି ଖୁସି ଖବର ଆଣିଲା ହ୍ୱାଟ୍ସଆପ । ନୂଆ ପ୍ରାଇଭେସି ପଲିସି ନେଇ ବିବାଦରେ ଥିବା ହ୍ୱାଟ୍ସଆପ ଏବେ ବ୍ୟବହାରକାରୀଙ୍କ ପାଇଁ ନୂଆ ଫିଚର ଆଣିଛି । ଯେଉଁଥିରେ ହ୍ୱାଟ୍ସଆପ ୱେବ ମାଧ୍ୟମରେ ମନ ଖୋଲି କରିହେବ ଭଏସ କଲ ଓ ଭିଡିଓ କଲ । ତେବେ ନୂଆ ଫିଚର ନେଇ ହ୍ୱାଟ୍ସଆପ ଘୋଷଣା କରିବା ପରେ ବେଶ ଖୁସି ଅଛନ୍ତି ହ୍ୱାଟ୍ସଆପ ୟୁଜର ।

ସମସ୍ତଙ୍କ ହାତରେ ଏବେ ହ୍ୱାଟ୍ସଆପ ରହିଛି । ପିଲାଠୁ ବୁଢା ସମସ୍ତେ ହ୍ୱାଟ୍ସଆପରେ ହୃଦୟ ଖୋଲା କଥାବାର୍ତ୍ତା କରୁଛନ୍ତି । ମେସେଜିଂ ଆପ ହ୍ୱାଟ୍ସଆପ ଭାବ ଆଦାନପ୍ରଦାନର ଏକ ବଡ ମାଧ୍ୟମ ସାଜିଥିବା ବେଳେ, ବଡ ବଡ ଗ୍ରୁପରେ ବି ଅନେକ କାମ କରାଯାଉଛି । ତେଣୁ ୟୁଜର୍ସଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ଦିନକୁ ଦିନ ବଢୁଥିବାରୁ କମ୍ପାନୀ ବି ତାର ନୂଆ ନୂଆ ଫିଚର ବ୍ୟବହାରକାରୀଙ୍କୁ ଭେଟି ଦେଉଛି ।

ଆଉ ଇତି ମଧ୍ୟରେ ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ ୱାନ ଟୁ ୱାନ ଭିଡିଓ କଲ ଓ ଭଏସ କଲ ପାଇଁ ନୂଆ ଫିଚର ଆଣିଥିବା କହିଛି ହ୍ୱାଟ୍ସଆପ । ପୂର୍ବରୁ କେବଳ ମୋବାଇଲରେ ଭିଡିଓ ଏବଂ ଭଏସ କଲ ସମ୍ଭବ ହେଉଥିବା ବେଳେ ଏଣିକି ଡେକ୍ସଟପ ୱେବରେ ବି ଏହା ସମ୍ଭବ ହେବ । ଫୋନରେ ଭିଡିଓ କଲ ଠାରୁ ଡେକ୍ସଟପ ଭିଡିଓ କଲ ବ୍ୟାପକ ହେବ । ମୋବାଇଲରେ ଅଳ୍ପ ସ୍ପେସ ରହୁଥିବା ବେଳେ ଡେକ୍ସଟପ କିମ୍ବା ଲାପଟରେ ଇଙ୍ଗ ସ୍କ୍ରିନରେ ପରସ୍ପରକୁ ଦେଖିଚାହିଁ କଥାବାର୍ତ୍ତା କରିହେବ । ତେବେ ଏଥିରେ ଏକାସାଙ୍ଗରେ ପୂରା ପରିବାର ବସି ଦୂରରେ ରହୁଥିବା ସମ୍ପର୍କୀୟଙ୍କ ସହ ଭାବ ବାଣ୍ଟିପାରିବେ । ସେହିଭଳି ଅଫିସ କର୍ମଚାରୀ ବଡ ସ୍କ୍ରିନରେ ମିଟିଂରେ ସାମିଲ ହୋଇପାରିବେ ।

ଅନେକ ୟୁଜର୍ସ ମୋବାଇଲ ସହ ଲାପଟପ, କମ୍ପ୍ୟୁଟରରେ ହ୍ୱାଟ୍ସଆପ ଖୋଲି ବ୍ୟବହାର କରନ୍ତି । ହ୍ୱାଟ୍ସଆର ଚାଟ ବେଳେ ଯଦି ଭିଡିଓ କଲ କି ଭଏସ କଲର ଜରୁରୀ ଆବଶ୍ୟକ ପଡେ ତେବେ ତାହା ସମ୍ଭବ ହୋଇପାରୁନଥିଲା । ମାତ୍ର ନୂଆ ଫିଚର ପରେ ଏବେ ମାକ୍, ୱିଣ୍ଡୋରେ ବି ଭିଡିଓ କଲ କରିହେବ । ଏଥିପାଇଁ ୟୁଜର୍ସଙ୍କୁ ନିଜ ନିଜ ଲାପଟପ କିମ୍ବା କମ୍ପ୍ୟୁଟରରେ ଏକ ମାଇକ୍ରୋଫୋନ ଓ ୱେବ କ୍ୟାମେରା ଲଗାଇବାକୁ ପଡିବ । ବାସ୍ ତାପରେ ସହଜ ହୋଇଯିବ ସବୁକିଛି । ତେବେ ଏହି ନୂଆ ଫିଚରର ଫାଇଦା ଉଠାଇବା ପାଇଁ ବ୍ୟବହାରକାରୀଙ୍କୁ ଲାପଟପ କିମ୍ବା କମ୍ପ୍ୟୁଟରରେ ହ୍ୱାଟ୍ସଆପ ଆପ ଡାଉନଲୋଡ କରିବାକୁ ପଡିବ ବୋଲି ସ୍ପଷ୍ଟ କରିଛି ବହୁଳ ବ୍ୟବହୃତ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ।