କାହିଁକି ଖାରଜ ହେଲା ଆରୟନଙ୍କ ଜାମିନ ? ବମ୍ବେ ହାଇକୋର୍ଟରେ କରିବେ ଜାମିନ ଆବେଦନ

104

କନକ ବ୍ୟୁରୋ : ବଲିଉଡ ସୁପରଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆରୟନ ଖାଁଙ୍କ ଜାମିନ ଆବେଦନ ଆସନ୍ତାକାଲି ପୁଣି ଥରେ ଖାରଜ ହୋଇଯାଇଛି । ସ୍ବତନ୍ତ୍ର ଏନଡିପିଏସ କୋର୍ଟ ଜାମିନ ଆବେଦନକୁ ଖାରଜ କରି କେତେକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । ନିଜ ଆଦେଶରେ ଜଜ୍ ଭିଭି ପାଟିଲ କହିଛନ୍ତି ଯେ ଦାଖଲ ହୋଇଥିବା ତଥ୍ୟ ପ୍ରମାଣକୁ ଦେଖିଲେ ମନେ ହେଉନାହିଁ ଯେ ଅଭିଯୁକ୍ତ ଆରୟନ ଖାଁ, ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା ଜାମିନ ମିଳିବା ପରେ ଆଉ ସେହି ଅପରାଧ କରିବେ ନାହିଁ ।

ତିନି ଅଭିଯୁକ୍ତ ଏକ ବଡ଼ ଅପରାଧ କରିଛନ୍ତି, ତାହା ଜାମିନ ଯୋଗ୍ୟ ନୁହେଁ । ଜାମିନରେ ଯିବା ପରେ ଆରୟନ ତଥ୍ୟ ପ୍ରମାଣ ନଷ୍ଟ କରିବାର ଆଶଙ୍କା ରହିଛି । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ନିଜ ସାଙ୍ଗମାନଙ୍କ ପାଖରେ ଡ୍ରଗ୍ସ ଥିବା ଆରୟନ ଭଲଭାବେ ଜାଣିଥିଲେ । କୋର୍ଟଙ୍କ ୧୮ ପୃଷ୍ଠା ବିଶିଷ୍ଟ ଆଦେଶରେ ଆହୁରି ମଧ୍ୟ କୁହାଯାଇଛି ଅଭିଯୁକ୍ତ ନଂ-୧ (ଆରୟନ)ଙ୍କ ହ୍ବାଟ୍ସଆପ ଚାଟରୁ ଜଣାପଡ଼ୁଛି ଯେ ସେ କେତେକ ବିଦେଶୀ ଡ୍ରଗ୍ସ ଚାଲାଣକାରୀଙ୍କ ଯୋଗାଯୋଗରେ ଥିଲେ । ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୩ରେ ଆରୟନ ଖାଁ, ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା ଗିରଫ ହୋଇଥିଲେ । ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ଜାହାଜ କୋର୍ଡେଲିଆରେ ଡ୍ରଗ୍ସ ରଖିବା ଓ ସେବନ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା । ତେବେ ଆରୟନଙ୍କ ପାଖରୁ ଡ୍ରଗ୍ସ ମିଳିନଥିଲା ।

– ଏନସିବି ପକ୍ଷରୁ ଆରୟନ ଖାନଙ୍କ ଫୋନ୍ ଚାଟ୍ କୋର୍ଟରେ ଦାଖଲ କରାଯାଇଥିଲା
– ଆରୟନଙ୍କୁ ବେଲ୍ ଦିଆଗଲେ ତଦନ୍ତ ବାଟବଣା ହେବ ବୋଲି ଏନସିବି ଯୁକ୍ତି କରିଥିଲା

ସେପଟେ ଆରୟନଙ୍କ ଓକିଲ କୋର୍ଟରେ କହିଥିଲେ ଯେ,
– ଆରୟନଙ୍କ ପାଖରୁ ଡ୍ରଗ୍ସ ମିଳିନାହିଁ
– କି ଡ୍ରଗ୍ସ କାରୋବାର ନେଇ ଏନସିବି ପାଖରେ କୌଣସି ପ୍ରମାଣ ନାହିଁ
– ଏହାସହ ମୁନମୁନ ଧମେଚା ସହ ମଧ୍ୟ ଆରୟନଙ୍କ କୌଣସି କନେକ୍ସନ୍ ନାହିଁ

ବିନା କୌଣସି ପ୍ରମାଣରେ ଏତେ ଦିନ ଆରୟନଙ୍କୁ ଜେଲରେ ରଖାଯିବା ଉଚିତ ନୁହେଁ ବୋଲି ଯୁକ୍ତି ବାଢିଥିଲେ ଆରୟନଙ୍କ ଓକିଲ ଅମିତ ଦେଶାଇ । ସେପଟେ ଶିବସେନା, ଏନସିପି ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରୟନଙ୍କ ଗିରଫକୁ ବିରୋଧ କରାଯାଉଛି । ତାଙ୍କୁ ଉଦ୍ଦେଶ୍ୟ ମୂଳକ ଭାବରେ ଗିରଫ କରାଯାଇଛି ବୋଲି ବାରମ୍ବାର ଅଭିଯୋଗ କରାଯାଉଛି । ଏହା ସତ୍ୱେ ମଧ୍ୟ ଆରୟନଙ୍କୁ ବେଲ୍ ମିଳିପାରିନାହିଁ । ଆରୟନଙ୍କ ସମେତ ଅର୍ବାଜ ମରଚ୍ୟାଂଟ ଓ ମୁନମୁନ ଧମେଚାଙ୍କ ବେଲ ମଧ୍ୟ ଖାରଜ ହୋଇଛି ।

ଗତ ଅକ୍ଟୋମ୍ବର ୨ ତାରିଖରୁ ଆରୟନଙ୍କୁ ଗିରଫ କରାଯାଇଥିବାବଳେ ୧୩ ଦିନ ଧରି ଆରଥର ରୋଡ୍ ଜେଲରେ ଅଛନ୍ତି ଆରୟନ । ଯେଉଁଠି ବେଶ ଅସୁବିଧାରେ ତାଙ୍କ ଦିନ କଟୁଛି ।

– ସୁରକ୍ଷା ଦୃଷ୍ଟିରୁ ଆରୟନଙ୍କୁ ଜେଲରେ କୋଠରୀ ନମ୍ବ ୧ରେ ରଖାଯାଉଛି
– ସୁପରଷ୍ଟାରଙ୍କ ପୁଅ ଜେଲରେ ବିସ୍କୁଟ୍ ପାଣି ଖାଇ ଦିନ କାଟୁଛନ୍ତି
– ଘୋଡେଇ ହେବାକୁ ଏକ ପତଳା ଚାଦର ଦିଆଯାଇଛି
– କିଛି ପଚାରିଲେ କେବଳ ‘ମୁଁ ନିର୍ଦ୍ଦୋଶ’ ବୋଲି କହୁଛନ୍ତି ଆରୟନ
– ଜେଲରେ ତାଙ୍କୁ ଡ୍ରଗ୍ସ ଛାଡିବାକୁ ଉପଦେଶ ଦିଆଯାଉଛି
– ଶୃଙ୍ଖଳିତ ଜୀବନ ଅତିବାହିତ କରିବାକୁ ଆରୟନଙ୍କୁ କୁହାଯାଉଛି

ଏବେ ଆରୟନଙ୍କ ବେଲ ଆବେଦନ ନେଇ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ଶାହରୁଖ ଖାନ୍ ।