ପ୍ରଧାନମନ୍ତ୍ରୀଙ୍କ ନାଁ ନେଇ ଅଡିଓ କ୍ଲିପ୍ । ଗ୍ରୁପରେ ସେୟାର ନକଲେ ବନ୍ଦ ହୋଇଯିବ ଆପଣଙ୍କ ହ୍ୱାଟ୍ସଆପ୍,ଜାଣନ୍ତୁ ଏହା ପଛର ସତ୍ୟତା କ’ଣ ?

424

କନକ ବ୍ୟୁରୋ : ଗତ ୪ ତାରିଖରେ ସାରା ବିଶ୍ବରେ ୩ଟି ପ୍ରମୁଖ ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍, ହ୍ବାଟ୍ସଆପ୍, ଇନଷ୍ଟାଗ୍ରାମ ୬ଘଣ୍ଟା କାଳ ଅଚଳ ହୋଇଯାଇଥିଲା । ଏହି ବଡ଼ଧରଣର ବିଭ୍ରାଟ ପଛର କାରଣ ସଂପର୍କରେ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନଥିଲେ ସୁଦ୍ଧା କମ୍ପାନିର ଆଭ୍ୟନ୍ତରୀଣ ତ୍ରୁଟିକୁ ସୁଧାରିବା ପାଇଁ କାମ ଚାଲିଥିଲା । ଯେଉଁଥିପାଇଁ ପ୍ରାୟ ୬ଘଣ୍ଟା କାଳ ଏହି ୩ ସର୍ବାଧିକ ସାମାଜିକ ଗଣମାଧ୍ୟମ ସେବା ଯୋଗାଇ ପାରିନଥିଲା ।

ଏବେ ଏହାକୁ ସାଇବର ଠକ ଏକ ସୁଯୋଗ ଭାବେ ବିବେଚନା କରି ଠକିବା ପାଇଁ ଜାଲ ବିଛେଇବା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁ ନେଇ ଏକ ଅଡିଓ କ୍ଲିପ୍‌ ପ୍ରସ୍ତୁତ କରାଯାଇଛି । ଏହି ଅଡିଓ କ୍ଲିପ୍ ସହିତ ଏକ ମାଲଵେର୍ ଲିଙ୍କ୍‌ ମଧ୍ୟ ତିଆରି କରିଛନ୍ତି ସାଇବର ଠକ । ଅଡିଓରେ କୁହାଯାଉଛି, ଆଗାମୀ ୬ଦିନ ମଧ୍ୟରେ ଅର୍ଥାତ୍ ଶନିବାର ସୁଦ୍ଧା ଯଦି ଏହାକୁ ଅତିକମ୍‌ରେ ୮ରୁ ୧୦ଟି ଗ୍ରୁପ୍‌ ମଧ୍ୟରେ ସେୟାର କରାନଯାଏ, ତେବେ ଆପଣଙ୍କ ହ୍ବାଟ୍ସଆପ୍ ସବୁଦିନ ପାଇଁ ବନ୍ଦ ହୋଇଯିବ ।

ଏଥିରେ ଆହୁରି କୁହାଯାଇଛି ଯେ ଆଗାମୀ ଦିନରେ ହ୍ବାଟ୍ସଆପ୍ ଲୋକଙ୍କୁ ସୁବିଧା ଯୋଗାଇବାକୁ ହେଲେ ମାସକୁ ୪୯୯ ଟଙ୍କା ଦେୟ କରିବାକୁ ପଡ଼ିବ । ଏହାକୁ ଲାଗୁ କରିବା ପାଇଁ ହ୍ବାଟ୍ସଆପ୍ ସମେତ ଫେସବୁକ ଓ ଇନଷ୍ଟାଗ୍ରାମ ସୋମବାର ଦିନ ୬ଘଣ୍ଟା ଅଚଳ କରି ଏହି ନୂଆଧରଣର ପ୍ରକ୍ରିୟାକୁ ବ୍ୟବହାର କରିଛି । ତେବେ ଏଭଳି ଭୟଭୀତ କଲା ଭଳି ଅଡିଓ କ୍ଲିପ୍ ଶୁଣିବା ପରେ ଲୋକେ ସାଇବର ଠକ ଦ୍ବାରା ପ୍ରେରିତ ମାଲୱେର୍ ଲିଙ୍କ୍‌ ସମେତ ଉକ୍ତ ଅଡିଓ କ୍ଲିପ୍‌କୁ ଲୋକଙ୍କ ଠାରୁ ଆରମ୍ଭ କରି ଏକାଧିକ ଗ୍ରୁପ୍‌ରେ ସେୟାର କରୁଥିବା ଜଣାପଡ଼ିଛି ।

ଯାହା ଦ୍ବାରା ଉକ୍ତ ଲିଙ୍କ୍ କ୍ଲିକ୍ କରିବା ପରେ ସାଇବର ଠକ ଲୋକଙ୍କ ଆକାଉଣ୍ଟ୍‌ ତଥ୍ୟ ନେବା ସହିତ ସେମାନଙ୍କୁ ତଳିତଳାନ୍ତ କରିବାକୁ ଯୋଜନା କରୁଥିବା ବିଶେଷଜ୍ଞ କହିଛନ୍ତି । ଅପରପକ୍ଷରେ ହ୍ବାଟ୍ସଆପ୍ ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ଭାବେ ମେସେଜ୍ କି ଲିଙ୍କ୍‌ ପଠାଯାଇନଥିବା ଜଣାପଡ଼ିଛି ।