ସସପେନ୍ସ ହୋଇ ରହିଯିବ କି ଆଦିତ୍ୟ ଦାସ ମୃତ୍ୟୁ ମାମଲା ? ତିନି ମାସ ହେବ ତଦନ୍ତ କରି ସୁରାକ ପାଉନି କ୍ରାଇମବ୍ରାଞ୍ଚ । ସିବିଆଇକୁ ମାମଲା ହସ୍ତାନ୍ତର ପାଇଁ ରାଜ୍ୟପାଳଙ୍କୁ ଗୁହାରୀ କଲେ ପିପୁଲ ଫର ସେବାର ସଦସ୍ୟ ।

240

କନକ ବ୍ୟୁରୋ: ବିତିଲାଣି ୩ ମାସ, ବାହାରୁନି ସତ । ସସପେନ୍ସ ହୋଇ ରହିଯିବ କି ଆଦିତ୍ୟ ମାମଲା ? କ୍ରାଇମବ୍ରାଞ୍ଚ କରୁଛି କଣ ? ଚେଇଁଛି ନା ଶୋଇଛି ? ଦିନ ଗଡୁଛି, ରହସ୍ୟ ବଢୁଛି । ମାନବପ୍ରେମୀଙ୍କ ମୃତ୍ୟୁକୁ ପ୍ରାୟ ୧୦୦ ଦିନ ବିତି ସାରିଥିବା ବେଳେ ଏବେବି ମାମଲା ସନ୍ଦେହ ଭିତରେ ରହିଛି । ଆଦିତ୍ୟଙ୍କ ମୃତ୍ୟୁ କେମିତି ହୋଇଛି ? ସେ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା ? ଯଦି ହତ୍ୟା ହୋଇଛି, କାହିଁକି ହତ୍ୟାକାରୀକୁ ସାମ୍ନାକୁ ଆଣୁନି କ୍ରାଇମବ୍ରାଞ୍ଚ । ଦୀର୍ଘ ୩ ମାସ ହେବ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲେ ହେଁ ଆଜି ଯାଏଁ କରୁଛି କଣ ? ଦିଗହରା ହୋଇଗଲା କି କ୍ରାଇମବ୍ରାଞ୍ଚ ? ତଦନ୍ତ କଇଁଛ ଗତିରେ ଆଗଉଥିବାରୁ କ୍ରାଇମବ୍ରାଞ୍ଚର କାର୍ଯ୍ୟଶୈଳୀରେ ଉପରେ ଉଠିଛି ଆଙ୍ଗୁଠି । ଆଉ ମାମଲା ସିବିଆଇକୁ ହସ୍ତାନ୍ତର ପାଇଁ ଦାବି ହୋଇଛି ।

ତେବେ ତଦନ୍ତକାରୀ ସଂସ୍ଥା ଉପରେ ସିଧାସଳଖ ଆଙ୍ଗୁଠି ଉଠାଇଛନ୍ତି ପିପୁଲ ଫର ସେବାର ସଦସ୍ୟ । ଆଦିତ୍ୟଙ୍କ ମୃତ୍ୟୁ ମିଷ୍ଟ୍ରି ଉପରୁ ରହସ୍ୟ ଫିଟାଇବା କ୍ରାଇମବ୍ରାଞ୍ଚ ପାଇଁ କାଠିକର ପାଠ ଆଉ ସେଇଥିପାଇଁ ତଦନ୍ତରେ ଶିଥିଳତା ହେଉଥିବା ଅଭିଯୋଗ ହୋଇଛି । ତେଣୁ ତଦନ୍ତ ଭାର କ୍ରାଇମବ୍ରାଞ୍ଚଠୁ ହସ୍ତାନ୍ତର କରି ସିବିଆଇକୁ ଦେବାକୁ ସଙ୍ଗଠନର ସଦସ୍ୟମାନେ ରାଜ୍ୟପାଳଙ୍କୁ ଜଣାଇଛନ୍ତି । ସିବିଆଇ ତଦନ୍ତ କଲେ ଡେଥ ସସପେନ୍ସ ଉପରୁ ପରଦା ହଟିବା ସହ ପାଣି ପାଣି, କ୍ଷୀର କ୍ଷୀର ହୋଇଯିବ । ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଏହି ଗୁହାରୀ କରିଛନ୍ତି ପିପୁଲ ଫର ସେବାର ସଦସ୍ୟ ।

ସେପଟେ କ୍ରାଇମବ୍ରାଞ୍ଚ ସଠିକ ଘଟଣା ପାଖରେ ପହଞ୍ଚିପାରୁନଥିବା କଥା ଦାବିପତ୍ରରେ ଉଲ୍ଲେଖ ରହିଥିବା ବେଳେ ବିବାହ ପରେ ଆଦିତ୍ୟ ସବୁବେଳେ ମାନସିକ ଚାପରେ ରହୁଥିବା ମଧ୍ୟ ଉଲ୍ଲେଖ କରାଯାଇଛି । ଆଶ୍ରମରେ ଆଦିତ୍ୟ ବାହା ହୋଇ ଭୁଲ କରିଛନ୍ତି ବୋଲି ବାରମ୍ବାର କହୁଥିବା ଓକିଲ କହିଛନ୍ତି । ତେବେ ବିବାହ ପରେ ସତରେ ଚାପରେ ରହୁଥିଲେ କି ଆଦିତ୍ୟ ? ମୃତ୍ୟୁ ପାଇଁ ସେ ଦିଗ କେତେ ଦୂର ଦାୟୀ ? ତାହାର ପରଦା ଏଯାଏଁ ଉଠିପାରୁନି ।

ସେପଟେ ଜୁଲାଇ ୭ରେ ଆଦିତ୍ୟଙ୍କ ମୃତଦେହ ସୁନ୍ଦରପଦା ରେଳଧାରଣାରୁ ଉଦ୍ଧାର ହେବା ପରେ ରହସ୍ୟଜନକ ମୃତ୍ୟୁର କାରଣ ଖୋଜଥିଲା ଜିଆରପି । ପରେ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା ତଦନ୍ତଭାର । ଆଉ ତାପରେ ଆରମ୍ଭ ହୋଇଥିଲା ମାରାଥନ ଜେରା । ଘଟଣାର ଛାନଭିନ ସହ ମିଛ ଥରା ମେସିନରେ ଆଦିତ୍ୟଙ୍କ ସହ ସମ୍ପର୍କରେ ଥିବା ଲୋକଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରିଯାଇଥିଲା । ଏମିତି କି ଆଦିତ୍ୟଙ୍କ ବାଲେଶ୍ୱର ପ୍ରେମିକା ଚିନ୍ମୟୀକୁ ମଧ୍ୟ ପଚରାଉଚରା କରାଯାଇଥିଲା । ହେଲେ ଘନଘନ ପଚରା ଉଚରା, ମାରାଥନ ଜେରା ପରେ ବି କ୍ରାଇମବ୍ରାଞ୍ଚ ପାଖରୁ କିଛି ଶୁଭ ଖବର ମିଳୁନି । ତେଣୁ ବାଧ୍ୟ ହୋଇସିବିଆଇ ତଦନ୍ତ ଦାବି କରି ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛନ୍ତି ପିପୁଲ ଫର ସେବାର ସଦସ୍ୟ । ତଦନ୍ତ ତଦନ୍ତରେ ତ ତିନି ମାସ ବିତିଗଲା ହେଲେ ରହସ୍ୟ ଉପରୁ ପରଦା ହଟାଇବାକୁ ଆଉ କେତେ ଦିନ ଲାଗିବ । ତାହା ଏବେ ଗୋଟିଏ ପ୍ରଶ୍ନ ?