କନକ ବ୍ୟୁରୋ : ଭୁବନେଶ୍ୱର ଲଗାତାର ଦ୍ୱିତୀୟ ଦିନରେ ମଧ୍ୟ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ରାଜଧାନୀରେ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଗତ ୧୦ବର୍ଷରେ ଏହା ତୃତୀୟ ସର୍ବାଧିକ ତାପମାତ୍ରା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କାହିଁକି ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର ? ଦେଶ ତଥା ରାଜ୍ୟର ଅନ୍ୟ ସହର ତୁଳନାରେ କାହିଁକି ତାତୁଛି ମନ୍ଦିର ମାଳିନୀ ଭୁବନେଶ୍ୱର ? ଏହା ପଛରେ କଣ ରହିଛି କାରଣ ?
ଖରା ଦିନ ଆରମ୍ଭ ହେଉ ହେଉ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ସାରା ଦେଶରେ ରେକର୍ଡ ଭାଙ୍ଗୁଛି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ଗତ ୧୦ ବର୍ଷରେ ଏହା ତୃତୀୟ ସର୍ବାଧିକ ତାପମାତ୍ରା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଫେବୃଆରୀ ୨୩, ୨୦୨୧ - ୩୭.୩ ଡିଗ୍ରୀ
ଫେବୃଆରୀ ୨୪, ୨୦୨୧ - ୩୮.୦ ଡିଗ୍ରୀ
ଫେବୃଆରୀ ୨୫, ୨୦୨୧ - ୩୯.୪ ଡିଗ୍ରୀ
ଫେବୃଆରୀ ୨୬, ୨୦୨୧ - ୪୦.୪ ଡିଗ୍ରୀ
କାହିଁକି ତତଲା ସହର ହେଉଛି ଭୁବନେଶ୍ୱର ? ସାରା ଦେଶରେ ସବୁଠୁ ଅଧିକ କାହିଁକି ? ଏହା ପଛରେ ଏକାଧିକ କାରଣ ଥିବା କହୁଛନ୍ତି ବିଶେଷଜ୍ଞ । ଗତ ନଭେମ୍ବର ମାସରୁ ମଧ୍ୟ ଭାରତ ସମେତ ଓଡିଶାରେ ବର୍ଷା ହୋଇ ନାହିଁ । ଫଳରେ ମାଟି ଶୁଖିଲା ଓ ଉତପ୍ତ ରହିଛି । ତେଣୁ ସୂର୍ଯ୍ୟକିରଣର ପ୍ରତିଫଳନ ମାତ୍ରା ବଢୁଛି । ବର୍ତମାନ ଓଡିଶା ଆଡକୁ ଉତର-ପଶ୍ଚିମ ଦିଗରୁ ଶୁଷ୍କ ଓ ତତଲା ପବନ ପ୍ରବାହିତ ହେଉଛି । ମଧ୍ୟ ଭାରତର ଶୁଖିଲା ଅଂଚଳ ଦେଇ ଆସୁଥିବା ବେଳେ ଏହି ପବନ ଧିରେ ଧିରେ ଅଧିକ ଉତପ୍ତ ହେଉଛି ।
ଓଡ଼ିଶାରେ ଭୁବନେଶ୍ୱରରେ କାହିଁକି ଅଧିକ ତାତି ?
ରାଜ୍ୟର ଅନ୍ୟ ସହର ତୁଳନାରେ ଭୁବନେଶ୍ୱରରେ ଅଧିକ ରହିଛି ସହରୀକରଣର ପ୍ରଭାବ । ଏହାସହ ଆର୍ଦ୍ରଭୂମିର ଅଭାବ, ସବୁଜ ବଳୟର ହ୍ରାସ ସହରର ତାତି ବୃଦ୍ଧିକୁ ତ୍ୱରାନ୍ୱିତ କରୁଥିବା କହିଛନ୍ତି ବିଶେଷଜ୍ଞ । ଆସନ୍ତା ୫ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ ଏବଂ ଦିନର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ ବୋଲି ଆକଳନ କରାଯାଇଛି ।