ଦେଶରେ କରୋନା ସଂକ୍ରମଣ ଉପରମୁହାଁ  : ମାସକ ଭିତରେ ସାଢେ ୧୫ ହଜାରରୁ ଦେଢ ଲକ୍ଷ ଟପିଲା ଦୈନିକ ସଂକ୍ରମଣ

କରୋନା କଟକଣା ନମାନିବାକୁ ମୁଖ୍ୟ କାରଣ ବୋଲି କହିଲେ ବିଶେଷଜ୍ଞ  

191

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଛି । ମାର୍ଚ୍ଚ ୧ ତାରିଖରେ ଦେଶରେ ୧୫ ହଜାର ୫ଶହ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ମାସକ ପରେ ଏପ୍ରିଲ ୧୧ରେ ଦେଢ ଲକ୍ଷ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଅନ୍ୟପଟେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ୮ଶହ ପାଖପାଖି ରହୁଛି ।

ତେବେ ଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ପଛର କାରଣ କହିଛନ୍ତି ବିଶେଷଜ୍ଞ ଓ ଡାକ୍ତର । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଅନୁସାରେ ଲୋକେ କରୋନା ଗାଇଡଲାଇନକୁ କଡାକଡି ଭାବେ ପାଳନ ନକରିବାରୁ ଆଜି କରୋନା ଭୟଙ୍କର ରୁପ ନେଇଛି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ସହ ସାନିଟାଇଜ ଭଳି ସତର୍କତାମୂଳକ ପଦକ୍ଷେପ ନେଲେ କରୋନାକୁ ଦୁରେଇ ହେବ ବୋଲି କହିଛନ୍ତି କେନ୍ଦ୍ର ସରକାର । ଅନ୍ୟପଟେ ବିଶେଷଜ୍ଞମାନେ ମଧ୍ୟ କରୋନା ନିୟମ ପାଳନ ଅବହେଳାକୁ ଦ୍ରୁତ ସଂକ୍ରମଣର ବଡ କାରଣ ବୋଲି କହିଛନ୍ତି । ଟିକା ନେବା ପରେ ମଧ୍ୟ କରୋନା ପ୍ରୋଟୋକଲ ମାନିବାକୁ ପରାମର୍ଶ ଦେଇଛନ୍ତି ଭାଇରୋଲୋଜିଷ୍ଟ ସହିଦ ଜାମିଲ ଓ ଟି ଜାକବ ଜନ ।

ଭାଇରୋଲୋଜିଷ୍ଟ ସହିଦ ଜାମିଲ କହିଛନ୍ତି, କରୋନାର ଭବିଷ୍ୟତ ଭାରତରେ ଓ ବିଶ୍ୱର କଣ ହେବ ତାହା ଆଗାମୀ କିଛି ମାସ ଭିତରେ ଭୁତାଣୁ ରୁପ ବଦାଳାଇବା ଓ ଟିକାର ପ୍ରଭାବ ସ୍ପଷ୍ଟ କରିବ । ତେବେ କରୋନାର ଦ୍ରୁତ ସଂକ୍ରମଣ ପାଇଁ ଭୁତାଣୁର ନୂଆ ଷ୍ଟ୍ରେନକୁ ଯେତେ ବଦନାମ କରାଯାଉଛି, ତାହା ଆଂଶିକ ସତ । ସମସ୍ତଙ୍କ ଟିକା କରଣ କରିବା ପୂର୍ବରୁ ରାଜନୈତିକ ସମାବେଶ, ଧାର୍ମିକ ସଭା, ସ୍କୁଲ, କଲେଜ ଖୋଲିବା ମଧ୍ୟ ଦ୍ରୁତ ସଂକ୍ରମଣ ପାଇଁ ଭୁମି ପ୍ରସ୍ତୁତ କରିଥିବା ବିଶେଷଜ୍ଞ କହିଛନ୍ତି ।