କନକ ବ୍ୟୁରୋ : ତାମିଲନାଡୁର କୁନ୍ନୁର ଅଞ୍ଚଳରେ ଥିବା ୱେଲିଙ୍ଗଟନ ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜକୁ ଲେକଚର ଦେବାକୁ ଯାଉଥିଲେ ଜେନେରାଲ ରାୱତ । ଆଉ ମାତ୍ର ୧୦ କିଲୋମିଟର ଥିଲା । କିନ୍ତୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଗଲା । ତାମିଲନାଡୁ ସୁଲୁର ଏୟାରବେସରୁ ସିଡିଏସ ବିପିନ୍ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ ଏବଂ ୧୨ ଅଧିକାରୀଙ୍କୁ ନେଇ ଉଡାଣ ଆରମ୍ଭ କରିଥିଲା ଏମଆଇ-୧୭ ଭି-୫ ହେଲିକପ୍ଟର । ୱେଲିଙ୍ଗଟନ୍ ସ୍ଥିତ ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜର କ୍ୟାଡେଟମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିଲା । ହେଲେ ହେଲିପ୍ୟାଡର ୧୦ କିଲୋମିଟର ପୂର୍ବରୁ ଘଟିଲା ବଡ଼ ଅଘଟଣ ।
ବୁଧବାର ମଧ୍ୟାହ୍ନ । ସ୍ଥାନ: କୁନ୍ନୁର, ତାମିଲନାଡୁ । ନୀଳଗିରି ଅଂଚଳର ଘନ ଜଙ୍ଗଲ ଉପରେ ହେଲିକପ୍ଟର ଉଡୁଥିବା ବେଳେ ମଝି ଆକାଶରେ ଘଟିଥିଲା ଦୁର୍ଘଟଣା । ପ୍ରଚଣ୍ଡ ବିସ୍ଫୋରଣ ସହ ଜଳି ଯାଇଥିଲା ସିଡିଏସ ବିପିନ୍ ରାୱତଙ୍କୁ ନେଇ ଯାଉଥିବା ଏମଆଇ-୧୭ ଭି-୫ ହେଲିକପ୍ଟର । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇ ଜଳି ଯାଇଥିଲା ହେଲିକପ୍ଟର । ଘଟଣାସ୍ଥଳରେ ହେଲିକପ୍ଟରର ପାଉଁଶ ଓ ମୃତକଙ୍କ ପୋଡ଼ା ଶରୀର ଦେଖିବାକୁ ମିଳିଥିଲା । କାହାକୁ ଚିହ୍ନିବା ଭଳି ସ୍ଥିତି ନଥିଲା । ପ୍ରାୟ ୮୦-୯୦ ଭାଗ ଶରୀର ପୋଡି ଯାଇଥିବା ସୂଚନା ମିଳିଛି ।
କେତେ ମୃତ, କେତେ ଜୀବିତ ଜାଣିବା ଯେତିକି ମୁସ୍କିଲ ଥିଲା, ମୃତକମାନଙ୍କୁ ଚିହ୍ନଟ କରିବା ସେତିକି କଷ୍ଟକର ଥିଲା । ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତଦେହ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ପରିଚୟ ପାଇଁ ମୃତଦେହର ଡିଏନଏ ଟେଷ୍ଟ କରାଯିବ । ତେବେ କାହିଁକି ଏହି ଦୁର୍ଘଟଣା ଘଟିଲା, ଏ ନେଇ ଆରମ୍ଭ ହୋଇଛି ଖୋଳତାଡ଼ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ବାୟୁସେନା । ତେବେ ନଜର ପକାଇବା ଦୁର୍ଘଟଣାର ସମ୍ଭାବ୍ୟ କାରଣ ଉପରେ ।
କ’ଣ ହୋଇପାରେ ଦୁର୍ଘଟଣାର କାରଣ ? ପାଗ ଖରାପ ଯୋଗୁଁ ଦୁର୍ଘଟଣା ଘଟିଥିବା ଆଶଙ୍କା । ଘନ କୁହୁଡି ଯୋଗୁଁ ଅଘଟଣ ସନ୍ଦେହ । ଯାନ୍ତ୍ରିକ ତ୍ରୁଟି ମଧ୍ୟ ଦୁର୍ଘଟଣାର କାରଣ ହୋଇପାରେ । ଦୁର୍ଘଟଣା ଖବର ପ୍ରସାରିତ ହେବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପ୍ରଧାନମନ୍ତ୍ରୀଙ୍କୁ ଘଟଣା ସଂପର୍କରେ ଅବଗତ କରିଥିବା ବେଳେ ସିଡିଏସ ବିପିତ ରାୱତଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଛନ୍ତି । ସ୍ଥଳସେନା ମୁଖ୍ୟ ମଧ୍ୟ ସିଡିଏସ ବିପିନ୍ ରାୱତଙ୍କ ଘରକୁ ଯାଇଛନ୍ତି । ବାୟୁସେନା ମୁଖ୍ୟ କୁନ୍ନୁର ଯାଇଥିବା ବେଳେ ଗୁରୁବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ସଂସଦରେ ଏ ନେଇ ବୟାନ ରଖିବେ ।