କଟକରେ ନିୟନ୍ତ୍ରଣରେ ଅଛି କରୋନା । ଜିଲ୍ଲାପାଳଙ୍କ ସୂଚନା, ବର୍ତ୍ତମାନ ପଜିଟିଭଙ୍କଠୁ ଅଧିକ ରହିଛି ସୁସ୍ଥ ହାର ।

141

କନକ ବ୍ୟୁରୋ: କଟକରେ ନିୟନ୍ତ୍ରଣରେ ଅଛି କରୋନା । ରାଜ୍ୟ ସରକାରଙ୍କ ସହଯୋଗରେ ଜିଲ୍ଲା ପ୍ରଶାସନ କରୋନାକୁ ସଫଳତାର ସହିତ ମୁକାବିଲା କରୁଛି । ଜିଲ୍ଲାରେ ଗତ ସପ୍ତାହରେ ସୁସ୍ଥତା ହାର ୬୬ ପ୍ରତିଶତ ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୭୨ ପ୍ରତିଶତରେ ପହଂଚିଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏହା କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କହିଛନ୍ତି, ପଜିଟିଭ ସଂଖ୍ୟା ଗତ ସପ୍ତାହରେ ୭୪ ପ୍ରତିଶତ ଥିବା ବେଳେ ଏହା ଏବେ ହ୍ରାସ ପାଇ ୨୭ ପ୍ରତିଶତରେ ପହଂଚିଛି।

ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ଉକ୍ତି ଏବଂ ଏଥିରେ ଭରି ରହିଥିବା ସମ୍ବେଦନଶୀଳତା କଟକ ଜିଲ୍ଲାର ସମସ୍ତ କୋଭିଡ କାର୍ଯ୍ୟାଳୟରେ ପରିଲକ୍ଷିତ ହୋଇଛି। କୋଭିଡ ମୁକାବିଲା ପାଇଁ ଗ୍ରାମାଂଚଳରେ ୧୮୨୧ କମିଟି ଓ ସହରାଂଚଳରେ ୧୧୩ଟି ଓ୍ଵାର୍ଡ କମିଟି କାର୍ଯ୍ୟ କରୁଛନ୍ତି। ଏହାର ସଦସ୍ୟମାନେ ଘର ଘରୁ ବୁଲି ଯେଉଁମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଉଛି ଓ ପଜିଟଭି କଣ୍ଟାକ୍ଟରେ ଆସିଥିବା ଲୋକଙ୍କ ଚିହ୍ନଟ କରି ଟେଷ୍ଟ କରୁଛନ୍ତି। ରାପିଡ ଆଣ୍ଟିଜେନ କିଟ ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲରେ ମିଳୁଛି। ଫଳରେ ଆମେ ଅଧିକ ଟେଷ୍ଟ କରିପାରିଛୁ । ଜିଲ୍ଲାପାଳ ଚୟନୀ କହିଛନ୍ତି, କଟକ ଜିଲ୍ଲାରେ ଏଯାଏଁ ୫୪ ହଜାର ୮୮୪ଟି ନମୁନା ସଂଗ୍ରହ ହୋଇଛି। ଏଥିରୁ ୩୭୪୭ ପଜିଟିଭ ମିଳିଛି। ୧୦୨୦ ଜଣ ବ୍ୟକ୍ତି ଚିକିତ୍ସାଧୀନ ଅଛନ୍ତି। ଏଥିରୁ ୫୯% ସହରାଂଚଳ ଏବଂ ଅନ୍ୟମାନେ ଗ୍ରାମାଂଚଳର ବ୍ୟକ୍ତି ବିଶେଷ।

ଆମେ ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ଅଧିକ ଟେଷ୍ଟକରିପାରିଛୁ। ଆରଟିପିସିଆର ଟୁର୍ଣ୍ଣାଣ୍ଟ କିଟ୍‌ରେ ନମୁନା ପରୀକ୍ଷା କରାଯାଉଛି। ଏସସିବିରେ ୧୮ଟି ଜିଲ୍ଲାର ୧ ଲକ୍ଷ ୩୩ ହଜାର ୭୦୦ଟି ନମୁନା ପରୀକ୍ଷା ହୋଇଛି। କଟକ ଜିଲ୍ଲାରେ ଆମେ ଗତ ସପ୍ତାହରେ ୧୩ ହଜାର ୧୨୪ ନମୁନା ପରୀକ୍ଷା କରିଥିଲୁ ଏହି ସପ୍ତାହରେ ୧୭୪୩୫ ଟେଷ୍ଟ ହୋଇପାରିଛି।

କୋଭିଡକୁ ନିୟନ୍ତ୍ରଣରେ ରଖିବାରେ ଆମେ ସୁଦୃଢ଼ ଭିତ୍ତିଭୂମି ତିଆରି କରିପାରିଛୁ। ଏକ ଉତ୍ସର୍ଗୀକୃତ କୋଭିଡ ହସ୍‌ପିଟାଲ ନିର୍ମାଣ ହୋଇଛି। ଜିଲ୍ଲାରେ ମୋଟ ୮ଟି କୋଭିଡ କେୟାର ସେଣ୍ଟରରେ ୧୨ ଶହରୁ ଅଧିକ ଶଯ୍ୟା ଅଛି। ଏଥିରେ ୭୪ଟି ଆଇସିୟୁ ଓ ୧୫ଟି ଭେଣ୍ଟିଲେଟର ଅଛି।  ଜିଲ୍ଲାରେ ୨୨୩ ଜଣ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି ।

କଟକରେ ହସ୍ପିଟାଲ, କୋଭିଡ କେୟାର ସେଣ୍ଟରକୁ ଡାକ୍ତରମାନଙ୍କୁ ପଠାଯାଉଛି । ଏକ ଯୁଗାନ୍ତକାରୀ ଚିକିତ୍ସା ହେଉଛି ପ୍ଲାଜମା ଥେରାପି । ୧୧୨ ଜଣଙ୍କ ଠାରୁ ୨୨୪ ୟୁନଟି ପ୍ଲାଜମା ସଂଗ୍ରହ ହୋଇଛି। ଏଥିରୁ ୧୭୯ ୟୁନିଟ ବ୍ୟବହାର କରାଯାଇଛି । କୋଭିଡ ଯୋଦ୍ଧାଙ୍କୁ ଉପଯୁକ୍ତ ଯତ୍ନ ନେଉଛୁ। ଏଯାଏଁ ୩୩୨ ଜଣ କୋଭିଡ ଯୋଦ୍ଧାଙ୍କ ମଧ୍ୟରୁ ୨୪ ଚିକିତ୍ସାଧୀନ ଥିବା ବେଳେ ବାକି ସବୁ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ।