କନକ ବ୍ୟୁରୋ: ପୁତୁରା ଅଜିତ ପାୱାରଙ୍କ ବିଦ୍ରୋହ ପରେ ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ଶକ୍ତି ପ୍ରଦର୍ଶନ । ବିଧାୟକମାନଙ୍କୁ ସାଙ୍ଗରେ ଧରି ପୁନେ ସତାରାରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏକାଠି ଥିବା ବାର୍ତା ଦେବାକୁ ଚେଷ୍ଟା କରିଛନ୍ତି ରାଜନୀତିର ଚାଣକ୍ୟ । ସିନ୍ଦେ ସରକାରରେ ସାମିଲ ହୋଇଥିବା ୯ ବିଧାୟକଙ୍କୁ ବାଦ୍ ଦେଲେ ବାକି ସମସ୍ତେ ତାଙ୍କ ସହ ରହିଥିବା ଦମ୍ଭୋକ୍ତି କରିଛନ୍ତି ଶରଦ ପାୱାର ।

Advertisment

ସନ୍ଦେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ୯ ବିଦ୍ରୋହୀ ବିଧାୟକଙ୍କ ବାଦ୍ ଅନ୍ୟ ୩ ବିଧାୟକ ଓ ଦୁଇ ଲୋକସଭା ସଦସ୍ୟଙ୍କୁ ମଧ୍ୟ ଦଳରୁ ବହିଷ୍କାର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏମାନେ ରବିବାର ଆୟୋଜିତ ନୂଆ ମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହୋଇଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଲୋକସଭା ସାଂସଦ ସୁନୀଲ ଟଟକରେ ଓ ପ୍ରଫୁଲ୍ଲ ପଟେଲଙ୍କ ଦଳର ପ୍ରାଥମିକ ସଦସ୍ୟତା ରଦ୍ଦ ପାଇଁ ଶରଦ ପାୱାରଙ୍କୁ ଲେଖିଛନ୍ତି ଏନସିପି କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ ।

ସମର୍ଥକଙ୍କୁ ଧରି ଅଜିତ ପାୱାର କେବଳ ସରକାରରେ ସାମିଲ ହୋଇନାହାନ୍ତି, ବରଂ ଏନସିପିର ନାଁ ଓ ଚିହ୍ନ ଉପରେ ଅଧିକାର ଜାହିର କରିଛନ୍ତି । କାରଣ ତାଙ୍କ ସହ ଅଧିକାଂଶ ବିଧାୟକଙ୍କ ସମର୍ଥନ ରହିଥିବା ସେ ଦାବି କରିଆସୁଛନ୍ତି । ନଜର ପକାନ୍ତୁ ଏନସିପି ସଂଖ୍ୟା ଗଣିତ ଉପରେ ।

କାହାର ହେବ ଏନସିିପି?
ମହାରାଷ୍ଟ୍ରରରେ ମୋଟ୍ ୫୩ ଏନସିପି ବିଧାୟକ ଅଛନ୍ତି
ଅଜିତ ପାୱାରଙ୍କୁ ୪୦ ବିଧାୟକଙ୍କ ସମର୍ଥନ ଥିବା ଦାବି
ଏନସିପି କହିଛି ଅଜିତଙ୍କ ସହ କେବଳ ୯ ବିଧାୟକ ଅଛନ୍ତି
୩୬ ବିଧାୟକଙ୍କ ସମର୍ଥନ ରହିଲେ ଦଳ ବଦଳ ଆଇନ୍ ଲାଗିବନି

ଏହାରି ଭିତରେ ସବୁଠାରୁ ଚର୍ଚ୍ଚା ବଢାଇଛି ଉଦ୍ଧବ ଗୋଷ୍ଠୀ ଶିବସେନାର ମୁଖପତ୍ର ସାମନାରେ ପ୍ରକାଶ ପାଇଥିବା ଆଲେଖ୍ୟ । ଏଥିରେ ଦାବି କରାଯାଇଛି ଯେ, ଆଗକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବେ ଅଜିତ ପାୱାର । ଏଥିପାଇଁ ଡିଲ ହୋଇଛି । ଶିବସେନା ଛାଡିଥିବା ଏକନାଥ ସିନ୍ଦେ ଓ ୧୬ ବିଧାୟକଙ୍କ ସଭ୍ୟପଦ ରଦ୍ଦ ହୋଇପାରେ । ଏପରି ସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ପଦରୁ ମୁଖ୍ୟମନ୍ତ୍ରୀ ପଦକୁ ଉନ୍ନୀତ ହୋଇପାରନ୍ତି ଅଜିତ ପାୱାର । ଯାହା ଏନସିପି ଷଡଯନ୍ତ୍ରର ଏକ ଅଂଶ ବୋଲି ଉଦ୍ଧବଗୋଷ୍ଠୀ ଶିବସେନା ଦାବି କରିଛି ।