ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ କେବେ ହଟିବ ପରଦା ? ହତ୍ୟାର କାରଣ ପାଖରେ ଅଟକିଛି ପୁଲିସ

173

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ରହସ୍ୟ ଉପରୁ କେବେ ହଟିବ ପରଦା ? ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ମୁଖ୍ୟ ଅଭିଯୁକ୍ତ ରାକେଶ ତାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ପୋଲିସ ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ଏପରିକି ଜଣେ ପେଶାଦାର ଅପରାଧୀ ଭଳି ତଥ୍ୟା, ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲା ରାକେଶ ।

– ଭୁବନଶ୍ୱରରୁ ନେଇ ଝରାଫୁଲଙ୍କ ମୃତଦେହକୁ ଯାଜପୁର କୁଆଖିଆରେ ଫିଙ୍ଗିବା
– ସ୍କୁଟରରୁ ନମ୍ବର ପ୍ଲେଟକୁ କାଢି ଲୁଚାଇ ରଖିବା
– ଏପରିକି ନିଜେ ପିନ୍ଧିଥିବା ପ୍ୟାଂଟ, ସାର୍ଟକୁ ଲୁଚାଇ ରଖିବା
– ଝରାଫୁଲଙ୍କ ମୋବାଇଲ ଫୋନକୁ ଫିଙ୍ଗିଦେବା

ଏଭଳି ଘଟଣାରୁ ରାକେଶ ଅପରାଧ କରି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିବା ସ୍ପଷ୍ଟ ହେଉଛି । ହେଲେ ନିଜ ପ୍ରେମିକାଙ୍କୁ କାହିଁକି ହତ୍ୟାକଲା ରାକେଶ, ଏହି ପ୍ରଶ୍ନ ପାଖରେ ଅଟକି ଯାଇଛି ପୋଲିସ । ତାକୁ ରିମାଣ୍ଡରେ ଆଣି ପଚରା ଉଚରା ବେଳେ ମନଗଢା କାହାଣୀ କହି ନିଜକୁ ନିର୍ଦ୍ଦୋଶ ପ୍ରମାଣ କରିବାକୁ ଚେଷ୍ଟା କରିଥିଲା ରାକେଶ । ତେଣୁ ହତ୍ୟାର କାରଣ ପାଖରେ ପହଂଚି ପାରୁନାହିଁ କୁଆଖିଆ ପୋଲିସ । ତେବେ ମିଳିଥିବା ସୂଚନା ଅନୁସାରେ ୩ଟି ଥିଓରୀକୁ ନେଇ ଆଗକୁ ବଢୁଛି ପୋଲିସ ।

– ଝରାଫୁଲଙ୍କ ତରଫରୁ ବିବାହ ପାଇଁ ରାକେଶ ଉପରେ ଚାପ ପଡୁଥିଲା କି ?
– ଅନ୍ୟ କାହାସହ ଶାରୀରିକ ସଂପର୍କ ରଖିବାକୁ ଝରାଫୁଲଙ୍କୁ ରାକେଶ ବାଧ୍ୟ କରୁଥିଲା କି ?
– ରାକେଶ ଅନ୍ୟ କୌଣସି ଯୁବତୀଙ୍କ ସହ ସଂପର୍କ ରଖି ଝରାଫୁଲଙ୍କୁ ଧୋକା ଦେଉଥିଲା କି ?

ରାକେଶ ରଙ୍ଗିଲା ମିଜାଜର ହୋଇଥିବାରୁ ତୃତୀୟ ଥିଓରୀଟି ଉପରେ ପୋଲିସ ଅଧିକ ଗୁରୁତ୍ୱ ଦେଉଛି । ଧର୍ମବିହାର ଶିବସାଇ ଗେଷ୍ଟ ହାଉସରେ ଏମିତି କଣ ହେଲା ଯେ, ଦୁହିଁଙ୍କ ଭିତରେ ଝଗଡା ହେଲା ଓ ରାକେଶ ତାର ପ୍ରେମିକାଙ୍କୁ ହତ୍ୟା କରିବାକୁ ପଛାଇଲା ନାହିଁ. ଏହି ରହସ୍ୟ ପଛରେ ପଡିଛି କୁଆଖିଆ ପୋଲିସ । ସେଥିପାଇଁ ରାକେଶକୁ ପୁଣିଥରେ ପୋଲିସ ରିମାଣ୍ଡରେ ଆଣିପାରେ ବୋଲି ଅନୁମାନ କରାଯାଉଛି ।