ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପତ୍ତି ଖୋଜୁଛି ଭିଜିଲାନ୍ସ । ୨୩ ଘଣ୍ଟାର ରେଡ୍, ଜବତ ହେଲା ୧୪ଶହ ୪୦ ଗ୍ରାମର ସୁନାଗହଣା ।

118

କନକ ବ୍ୟୁରୋ : ଭିଜିଲାନ୍ସ ଚଢାଉ ବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ମିଳିଛି ୧୪ଶହ ୪୦ ଗ୍ରାମର ସୁନା ଗହଣା । ସବ୍ୟସାଚୀ ବ୍ରାଣ୍ଡର ୨୪ ଲକ୍ଷ ୨୫ ହଜାର ଟଙ୍କାର ନେକଲେସ୍ ଜବତ ହୋଇଛି । ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଚଢାଉ ବେଳେ ମିଳିଥିବା ଜରୁରୀ କାଗଜପତ୍ରର ଛାନଭିନ୍ କରିବେ ଚାର୍ଟାର୍ଡ ଆକାଉଣ୍ଟାଟ । ବ୍ୟାଙ୍କିଙ୍ଗ କନସଲଟାଣ୍ଟ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯିବ ।

ସେହିପରି ଇଲେକ୍ଟ୍ରୋନିକ୍ ପ୍ରମାଣ ଓ ଡକ୍ୟୁମେଣ୍ଟର ଯାଞ୍ଚ କରିବ ସାଇବର ସେଲ୍ । ସାକ୍ଷୀ, ସନ୍ଦୀଗ୍ଧ ଏବଂ ଅଭିଯୁକ୍ତଙ୍କ ପରୀକ୍ଷା ଠିକ୍ ସମୟରେ କରାଯିବ । ଏବେ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଦୀର୍ଘ ୨୩ ଘଣ୍ଟା ଧରି ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ରାତି ସାରା ଚାଲିଥିଲା ଚଢାଉ । ଜେରା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ତାଙ୍କ ଝିଅ, ଝିଆରୀ, ଶାଶୁ ଓ ପୁତୁରା ଉପସ୍ଥିତ ଥିଲେ ।

ଗତକାଲି ଭିଜିଲାନ୍ସ ଟିମ୍ ବ୍ରହ୍ମପୁରରେ ବିଧାୟକଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ଚଢାଉ କରିଥିଲା । ଭୁବନେଶ୍ୱର ସରକାରୀ ବାସଭବନ ସମେତ ମୋଟ୍ ୧୫ଟି ସ୍ଥାନରେ ଏକକାଳୀନ ଚଢାଉ କରି ଖୋଳତାଡ କରିଛି ଭିଜିଲାନ୍ସ । ଭିଜିଲାନ୍ସ ବିଭାଗର ଜଣେ ଏସପିଙ୍କ ନେତୃତ୍ୱରେ ଦୁଇ ଜଣ ଏଏସପି, ୧୭ ଜଣ ଡିଏସପି ସାମିଲ ଥିଲେ । ୨୦୦୯ରୁ ୨୦୨୦ ମଧ୍ୟରେ ୫ କୋଟି ୫ ଲକ୍ଷରୁ ଅଧିକ ଟଙ୍କା ଠୁଳ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆସିବା ପରେ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ ।