ଗୋବିନ୍ଦର ସହଯୋଗୀ ରାଧେ ଘରୁ ମିଳିଥିବା ମୋବାଇଲ କାହାର ? ମୋବାଇଲରେ କ’ଣ ଅଛି ?

164

କନକ ବ୍ୟୁରୋ : ମମିତା ମୃତ୍ୟୁ ମାମଲାରେ ଗୋବିନ୍ଦ ସାହୁର ସହଯୋଗୀ ରାଧେଶ୍ୟାମ ଘରୁ ମିଳିଥିବା ମୋବାଇଲକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏହି ମୋବାଇଲରୁ ସବୁ ଘଟଣାର ପର୍ଦ୍ଦାଫାସ ହେବ ବୋଲି ଆଲୋଚନା ଚାଲିଛି । ମମିତାଙ୍କ ସହ ରହୁଥିବା ଜଣେ ଛାତ୍ରୀଙ୍କ ପାଖରେ ଏହି ମୋବାଇଲ ଥିଲା । ଘରେ କିଏ ଦେଖିଦେବେ ବୋଲି ଛାତ୍ର ଜଣକ ମମିତାଙ୍କୁ ଏହି ମୋବାଇଲ ଦେଇଥିଲେ । ଏବଂ ଏହି ମୋବାଇଲ ପାଇବା ପାଇଁ ଗୋବିନ୍ଦ ସାହୁ ମମିତାଙ୍କୁ ଡକାଇଥିଲେ ବୋଲି କୁହାଯାଉଛି ।

ଗୋବିନ୍ଦର ସହଯୋଗୀ ରାଧେ ଘରୁ ମିଳିଥିବା ମୋବାଇଲ କାହାର ? ମୋବାଇଲରେ କଣ ଅଛି ? ଗୋବିନ୍ଦ ଓ ରାଜନେତାଙ୍କ କଳା କାରନାମାର ଭିଡିଓ ଅଛି କି ? ଗୋବିନ୍ଦ ସାହୁର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ଘରୁ ମିଳିଥିବା ମୋବାଇଲକୁ ନେଇ ଏବେ ଚର୍ଚ୍ଚା । କୁହାଯାଉଛି, ମହାଲିଙ୍ଗ କଲେଜରେ ଲେଡିଜ ହଷ୍ଟେଲ ରୁମ ନଂ-୨୦ରେ ମମିତାଙ୍କ ସହ ରହୁଥିବା ଯୁକ୍ତ ତିନି ବଟାନି ଅନର୍ସର ଜଣେ ଛାତ୍ରୀ ଏହି ମୋବାଇଲ ରଖିଥିଲେ । ଚର୍ଚ୍ଚା ଅନୁସାରେ, ଏହି ମୋବାଇଲରେ ଗୋବିନ୍ଦ ସାହୁ ଓ ସେଠାକୁ ଆସୁଥିବା ରାଜନେତାଙ୍କ କଳାକାରନାମାର ଅନେକ ଭିଡିଓ କ୍ଲିପ ଏହି ମୋବାଇଲରେ ରହିଛି ।

-ଘରେ କିଏ ଦେଖିଦେବା ଭୟରେ ଛାତ୍ରୀ ଜଣଙ୍କ ମମିତାଙ୍କ ପାଖରେ ଏହି ମୋବାଇଲ ରଖିଥିଲେ ।
-ମମିତା ଏହି ମୋବାଇଲକୁ ନିଜ ପାଖରେ ରଖିଥିଲେ
-ଗୋବିନ୍ଦ ସାହୁ ଏହି ମୋବାଇଲ ପାଇବା ପାଇଁ ଫୋନ କରି ମମିତାଙ୍କୁ ଡକାଇଥିଲେ
-ଗୋବିନ୍ଦ ସାହୁ ଚାନ୍ଦତୋରା ଛକରୁ ମମିତାଙ୍କୁ ନିଜ ଗାଡିକୁ ଡାକିଥିଲେ
-ଗାଡିରେ ମମିତାଙ୍କୁ ହତ୍ୟା କରାଯାଇଥିଲା
-ଏହି ମୋବାଇଲ ଥିବା ବ୍ୟାଗ ରାଧେ ଘରେ ରଖିବା ପାଇଁ ଗୋବିନ୍ଦ କହିଥିଲା
-ରାଧେଙ୍କ ପତ୍ନୀ ଖଟ ତଳୁ ଏହି ବ୍ୟାଗ ପାଇ ପୁଲିସକୁ ଦେଇଥିଲେ

ଏହି ମୋବାଇଲ ବର୍ତ୍ତମାନ ପୁଲିସ ହାତରେ ରହିଛି । ଯଦି ମୋବାଇଲକୁ ନେଇ ହେଉଥିବା ଚର୍ଚ୍ଚା ସତ୍ୟ ହୋଇଥାଏ, ତେବେ ପୁଲିସ ହାତରେ ଗୋବିନ୍ଦ ଓ ନେତାଙ୍କ କଳାକାରନାମାର ପୁରା ଭିଡିଓ ମିଳିସାରିଥିବ । ଯୁକ୍ତ ୩ରେ ପଢୁଥିବା ଛାତ୍ରୀ ଜଣକୁ ପୁଲିସ ପଚରାଉଚରା କରୁଥିବା ନେଇ ସୂଚନା ମିଳୁଛି । ତେବେ ଏ ନେଇ ଆନୁଷ୍ଠାନିକ ଭାବେ ପୁଲିସ ପକ୍ଷରୁ କିଛି କୁହାଯାଇନାହିଁ ।