କନକ ବ୍ୟୁରୋ : ଆଗାମୀ ନିର୍ବାଚନରେ କିଏ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାହାକୁ ନେଇ ପଞ୍ଜାବ କଂଗ୍ରେସରେ କନ୍ଦଳ ଆହୁରି ବଢିଯାଇଛି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନ କରିବାକୁ କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତି ପରେ ନିଜର ଅସନ୍ତୋଷକୁ ଖୋଲାଖୋଲି ଜାହିର କରିଛନ୍ତି ପିସିସି ସଭାପତି ନବଜ୍ୟୋତ ସିଂ ସିଦ୍ଧୁ । ସେ କହିଛନ୍ତି, ‘ବିନା ବରରେ ବାହାଘର କେମିତି ହେବ ?’ ଦଳରେ ଚାଲିଥିବା ସଂକଟର ସମ୍ମୁଖୀନ ହେବାକୁ ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଆବଶ୍ୟକ ବୋଲି ସେ କହିଛନ୍ତି ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟର ଆର୍ଥିକ ସ୍ଥିତି, ବଜେଟ ଆଦିକୁ ବିଚାରକୁ ନ ନେଇ ବିଭିନ୍ନ ଲୋକପ୍ରିୟ ସ୍କିମ ଘୋଷଣା କରିବାର କୌଣସି ମାନେ ନାହିଁ । ସେହିପରି ଧର୍ମ ଅପମାନ ମାମଲାର ତଦନ୍ତରେ ବିଳମ୍ବ ନେଇ ସେ ପଂଜାବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଗାମୀ ବିଧାନସଭା ନିର୍ବାଚନରେ କୌଣସି ନିର୍ଦ୍ଦିଷ୍ଟ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନ କରି ଦଳଗତ ଭାବେ ଲଢିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ପଂଜାବ କଂଗ୍ରେସରେ ଥିବା ଗୋଷ୍ଠୀ କନ୍ଦଳକୁ ଦୃଷ୍ଟିରେ ରଖି ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଦଳ ଜାଠ ଶିଖ ନେତା ଭାବେ ସିଦ୍ଧୁଙ୍କୁ ଉପସ୍ଥାପିତ କରୁଥିବାବେଳେ ହିନ୍ଦୁ ନେତା ଭାବେ ସୁନୀଲ ଝାକର ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନିଙ୍କୁ ଦଳିତ ଚେହେରା ଭାବେ ଉପସ୍ଥାପିତ କରିବାକୁ ଚାହୁଁଛି ।