କାନ୍ଥରେ ଟାଙ୍ଗିଛନ୍ତି ୧୦୩ ପ୍ରକାରର ଘଣ୍ଟା । ଘଡିର ଟିକ ଟିକ ଶବ୍ଦରେ ଘରେ ସାଇତି ରଖିଛନ୍ତି ସମୟର ସ୍ମୃତି ।

147

କନକ ବ୍ୟୁରୋ: ଜୟ ପ୍ରକାଶ ପଣ୍ଡା । ଘର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଂଚଳରେ । ହେଲେ ତାଙ୍କର ଏ ସମୟକୁ ସାଇତି ରଖିବାର ସଉକ.. ଆଜି ତାଙ୍କୁ ବନେଇ ଦେଇଛି ଘଂଟା ମଣିଷ । ଘରେ ସାଇତା ହୋଇ ରହିଛି ଗୋଟେ କି ଦୁଇଟା ନୁହଁ, ୧୦୩ ଘଂଟା । ନାନାଦି ପ୍ରକାରର…ବିଭିନ୍ନ କମ୍ପାନୀର ଘଂଟା ।

ଆଜିର ଦିନରେ ଅନେକ ଲୋକ, ଘରେ ପୋଷା ଜନ୍ତୁ କି ସୁନ୍ଦର ସୁନ୍ଦର ଚିତ୍ର ସାଇତି ରଖିଥିବା ଆପଣ ଦେଖିଥିବେ । ହେଲେ ଜୟପ୍ରକାଶ ବାବୁ କିନ୍ତୁ ପୂରା ନିଆରା । ନିଜ ଘରେ ସେ ସାଇତି ରଖିଛନ୍ତି ଏତେ ସଂଖ୍ୟକ ଘଂଟା । ଖାଲି ସେତିକି ନୁହେଁ, ତାଙ୍କ କହିବା କଥା ହେଉଛି..ଏ ଘଂଟା ତାଙ୍କୁ କେବେ ବି ଧୋକ୍କା ଦେବେନାହିଁ । ଏମାନେ ସବୁବେଳେ ତାଙ୍କୁ ଠିକ୍ ସମୟ ଦେଖେଇଚାଲିଥିବେ ।

୧୯୫୪ ମସିହାରେ ବ୍ରହ୍ମପୁର କେସି ପବ୍ଲିକ୍ ସ୍କୁଲରୁ ମାଟ୍ରିକ ପାସ୍ କରିଥିଲେ ଜୟପ୍ରକାଶ । ଏହାପରେ ସେ ଖଲ୍ଲିକୋଟ କଲେଜରୁ ବିଏ ପଢିବା ପରେ ଶାରିରୀକ ଶିକ୍ଷା ତାଲିମ ପାଇଁ କଟକ ଚାଲିଆସିଥିଲେ । ଆଉ ସେଠାରେ ଫେରିବା ପରେ ସେ ବ୍ରହ୍ମପୁର କେସି ହାଇସ୍କୁଲରେ କ୍ରୀଡା ଶିକ୍ଷକ ଭାବେ କାମ ଆରମ୍ଭ କରିଥିଲେ । ହେଲେ ୨୦୧୪ ମସିହାର ଏକ ଆକ୍ସିଡେଂଟ ତାଙ୍କ ଜୀବନର ମୋଡ୍ ବଦଳାଇଦେଇଥିଲା । ସେ ଏଥିରେ ଆହତ ହୋଇଥିଲେ ସତ, ହେଲେ ଜୀବନ ଆଉ ସମୟ କେତେ ମୂଲ୍ୟବାନ ତାଙ୍କୁ ଏହି ଆକ୍ସିଡେଂଟ ଶିକ୍ଷା ଦେଇଥିଲା । ବାସ୍ ସେବେଠୁ ସମୟକୁ ସାଇତି ରଖିବାକୁ ସେ ଆରମ୍ଭ କରିଥିଲେ ଏହି ଅଭିଯାନ । ଆଉ ନିଜ ଘରେ ସାଇତା ଆରମ୍ଭ କରିଥିଲେ ଘଂଟା ।

ୟା ଭିତରେ ଜୟ ପ୍ରକାଶ ଚାକିରିରୁ ଅବସର ନେଲେଣି । ହେଲେ ଏବେ ବି ଏ ଘଂଟା ସବୁ ତାଙ୍କ ଜୀବନର ଅଭିନ୍ନ ଅଙ୍ଗ । ଘଂଟାମାନେ ନିଇତି ଜୟ ପ୍ରକାଶଙ୍କ ଆଗରେ ଟିକ୍ ଟିକ୍ ହେଇ ଚାଲିଆସୁଛନ୍ତି । ଆଉ ସେ ବି ଦିନ ରାତି ତାଙ୍କର ଦେଖାରଖା କରିଆସୁଛନ୍ତି