କନକ ବ୍ୟୁରୋ : ଶ୍ରୀମନ୍ଦିର ଗଲେ ପିନ୍ଧିବେ କ’ଣ ? ଏ ନେଇ ବଡ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଯିବାକୁ ହେଲେ ଭକ୍ତଙ୍କ ପୋଷାକରେ ଶାଳୀନତା ରଖିବାକୁ ପଡିବ । ଶାଳୀନତା ଭାବେ ପୋଷାକ ପିନ୍ଧି ଭକ୍ତ ଶ୍ରୀମନ୍ଦିର ଭିତରକୁ ଯିବେ । ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏଭଳି ନିଷ୍ପତ୍ତି ନିଆଯିବା ପରେ ଆଜିଠାରୁ ଭକ୍ତଙ୍କୁ ଏ ନେଇ ସଚେତନ କରାଯିବ । ଆଉ ୩ ମାସ ସଚେତନ କଲାପରେ ଆସନ୍ତା ଜାନୁଆରୀ ପହିଲାରୁ ଏହି ନିୟମ କଡାକଡି ହେବ । ସିଂହଦ୍ୱାର ଓ ଅନ୍ୟ ଦ୍ୱାରରେ ଏନେଇ କଡା ଚେକିଂ କରାଯିବ ।

Advertisment

ଜେଟିପି ଓ ପ୍ରତିହାରୀ ସେବକ ଏନେଇ ଚେକିଂ କରିବେ । ଏହାପରେ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ଛଡାଯିବ । ସି ବିଚକୁ ଯେଭଳି ଡ୍ରେସ ପିନ୍ଧି ଯାଉଛନ୍ତି ସେଭଳି ଡ୍ରେସ ପିନ୍ଧି ଭକ୍ତ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିଁ । ଚିରା, ଫଟା ଜିନ୍ସ ପିନ୍ଧିବେ ନାହିଁ । ହାତ କଟା ପୋଷାକ ପିନ୍ଧିବା ଉପରେ କଟକଣା ଲାଗିବ । ଭାଫ୍ ପ୍ୟାଣ୍ଟପିନ୍ଧି ଶ୍ରୀମନ୍ଦିର ଯାଇପାରିବେ ନାହିଁ । କେବଳ ୧୨ ବର୍ଷରୁ କମ୍ ପିଲା ପିନ୍ଧି ପାରିବେ ହାଫ୍ ପ୍ୟାଣ୍ଟ ।

ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ଅଶାଳୀନ ପୋଷାକ ପରିଧାନ ନ କରି ଯେଭଳି ମାର୍ଜିତ ତଥା ପାରମ୍ପରିକ ପୋଷାକ ପରିଧାନ କରି ଆସିବେ, ତାଉପରେ କଡ଼ା ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ବାଳଧୂପ ଓ ରାଇଦାମୋଦର ବେଶ ନୀତି ପାଇଁ ପ୍ରତିଦିନ ଭୋର୍‌ ୪ଟାରେ ଦ୍ବାରଫିଟା ଓ ଭୋର ୫ଟାରେ ମଙ୍ଗଳ ଆଳତି ପାଇଁ ସମୟ ଧାର୍ଯ୍ୟ ହୋଇଛି । ଅକ୍ଟୋବର ୨୮ରେ କୁମାର ପୂର୍ଣ୍ଣିମା ଓ ପ୍ରଭୁ ସୁଦର୍ଶନଙ୍କ ଚାରି ଆଶ୍ରମ ବିଜେ ନୀତି ପଡ଼ୁଛି । ଏହିଦିନ ବି ଚନ୍ଦ୍ରଗ୍ରହଣ ପଡ଼ୁଛି । ଅପରାହ୍ଣ ୪ଟା ୪ରୁ ଗ୍ରହଣ ସ୍ପର୍ଶ କରୁଛି ।

ରାତି ପ୍ରାୟ ଗୋଟାଏରେ ଗ୍ରହଣ ଛାଡ଼ିବ । ଏହା ପୂର୍ବରୁ ନୀତିକାନ୍ତି ସାରିବାକୁ ନିଷ୍ପତ୍ତି ହୋଇଛି। ଏଣୁ କୁମାର ପୂର୍ଣ୍ଣିମା ପୂର୍ବଦିନ ରାତି ୨ଟାରେ ଦ୍ବାରଫିଟା, ରାତି ୩ଟାରେ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନୀତି କରିବାକୁ ନିଷ୍ପତ୍ତି ହୋଇଛି । ପ୍ରଭୁ ସୁଦର୍ଶନଙ୍କ ଚାରି ଆଶ୍ରମ ବିଜେ ବେଳେ ଅନ୍ୟ କୌଣସି ପୂଜାର୍ଚ୍ଚନା କରାଯିବନି । କେବଳ ସର୍ପମଣୋହୀ କରାଯିବ। ୨୦୧୪ ମସିହାରେ ବି ଚନ୍ଦ୍ରଗ୍ରହଣ ପଡ଼ିବାରୁ ପ୍ରଭୁ ସୁଦର୍ଶନଙ୍କ କେବଳ ସର୍ପମଣୋହୀ ନୀତି କରାଯାଇଥିଲା ।