କନକ ବ୍ୟୁରୋ: ନିର୍ବାଚନ ପାଖଉଛି । ଆଉ ବିଜେଡି-ବିଜେପି ମଧ୍ୟରେ ମେଂଟ ଚର୍ଚ୍ଚା ଜୋର ଧରିଛି । ଏହି ସମୟରେ ଓଡିଶା ଆସୁଛନ୍ତି ମୋଦି । ତେଣୁ ସଭାରେ ମୋଦି କଣ କହିବେ ସେ ଉପରେ ସମସ୍ତଙ୍କ ନଜର ରହିଛି ।
ଗତ ଫେବ୍ରୁଆରୀ ୩ ତାରିଖରେ ସମ୍ବଲପୁର ଆସିଥିଲେ ପ୍ରଧାନମନ୍ତ୍ରୀ । ସାରା ରାଜ୍ୟର ନଜର ରହିଥିଲା ତାଙ୍କ ଉପରେ । କାରଣ ସାଧାରଣ ସଭାମଂଚରୁ ନିର୍ବାଚନୀ ବିଗୁଲ ବଜାଇବେ ବୋଲି ଜୋରଦାର ଆକଳନ କରାଯାଉଥିଲା । ହେଲେ ବିଜେଡି ସରକାର ବିରୋଧରେ ପଦଟିଏ କହିନଥିଲେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରିଥିଲେ ନରେନ୍ଦ୍ର ମୋଦୀ । ଏହା ଭିତରେ ଗୋଟିଏ ମାସ ବିତିଯାଇଛି । ଆଉ ଏହା ସହ ବିଜେଡି-ବିଜେପି ମେଂଟ ଚର୍ଚ୍ଚା ମଧ୍ୟ ବେଶ ଆଗକୁ ବଢିଛି । ଏଭଳି ଏକ ପୃଷ୍ଠଭୂମିରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ । ଚଣ୍ଡିଖୋଲରେ ଆୟୋଜିତ ଜନସଭାକୁ ସେ ସମ୍ବୋଧନ କରିବେ । ତାଙ୍କ ଭାଷଣରେ ଅନେକ କିଛି ଦ୍ୱନ୍ଦ୍ୱ ଦୂର ହେବ ବୋଲି ଆଶା କରୁଛନ୍ତି ରାଜନୈତିକ ସମୀକ୍ଷକ ।
ଆସନ୍ତାକାଲି ମୋଦୀ ଯାହା କହିବେ, ତାହା ସିଧାସଳଖ ହେଉ କିମ୍ବା ପରୋକ୍ଷ ଇସାରା ହେଉ, ରାଜ୍ୟ ରାଜନୀତି ପାଇଁ ତାହା ଅତି ଗୁରୁତ୍ୱପୂର୍ଣ୍ଣ । ବିଜେଡି ସହ ମେଂଟ ହେବ କି ରାଜ୍ୟର ସବୁ ଆସନରେ ଏକାକୀ ଲଢ଼ିବ ବିଜେପି, ତା’ର ଏକ ସଂକେତ ମିଳିପାରେ ବୋଲି ମତ ଦେଇଛନ୍ତି ରାଜନୈତିକ ସମୀକ୍ଷକ ।
ଆସନ୍ତାକାଲି ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ । ଏହାକୁ ସାରା ରାଜ୍ୟରେ ପାଳନ କରିବାକୁ ଯାଉଛି ବିଜେଡି । ଆଉ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦିନରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ । ବିଜୁବାବୁଙ୍କୁ ଭାରତରନ୍ତ୍ର ଦେବାକୁ ବର୍ଷ ବର୍ଷ ଧରି ଦାବି କରି ଆସୁଛି ବିଜେଡି । ଏପଟେ ରାଜନୈତିକ ସମୀକ୍ଷକଙ୍କ ଆକଳନ -
ମୋଦୀଙ୍କ ଭାଷଣ: କ’ଣ ହେଉଛି ଆକଳନ?
ବିଜୁବାବୁଙ୍କୁ ଭାରତ ରତ୍ନ ଘୋଷଣା କଲେ, ମେଂଟ ସମ୍ଭାବନା ଉଜ୍ଜଳ
ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ, ଥମିବ ମେଂଟ ଚର୍ଚ୍ଚା
ବିଜେଡି ବିରୋଧରେ କିଛି ନକହିଲେ, ଜାରି ରହିବ ଜଳ୍ପନାଜଳ୍ପନା
ସରକାରଙ୍କୁ ପ୍ରଶଂସା କଲେ, ଆହୁରି ଜୋରଦାର ହେବ ମେଂଟ ଚର୍ଚ୍ଚା
ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଭାଷଣ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ରାଜ୍ୟ ରାଜନୀତିର ମୋଡ଼ ଅନେକାଂଶରେ ଏହା ଉପରେ ନିର୍ଭର କରିବ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2024/03/24-4.jpg)